ହାଇଦ୍ରାବାଦ: ଧାନ କିଣାବିକାକୁ ନେଇ ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି କେସିଆର ସରକାର(Telangana Rashtra Samithi) । ତେଲେଙ୍ଗାନା କୃଷକଙ୍କ ଧାନ କିଣାବିକା ନେଇ କେନ୍ଦ୍ର ସରକାରଙ୍କୁ ୨୪ ଘଣ୍ଟାର ମହଲତ ଦେଇଥିଲେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ହେଲେ ତାହା ସମ୍ଭବ ହେଲା ନାହିଁ । କୃଷି କ୍ଷେତ୍ରକୁ କର୍ପୋରେଟରମାନଙ୍କୁ ହସ୍ତାନ୍ତର କରିବା ସହ ଶ୍ରମିକମାନଙ୍କୁ ମଧ୍ୟ ଚାଷରୁ ବିରତ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି କେସିଆର ।
ରାଜ୍ୟରେ ଚାଷୀଙ୍କଠାରୁ ଧାନ କ୍ରୟ ନେଇ ଦୀର୍ଘ ଦିନ ଧରି କେନ୍ଦ୍ର ଓ ଟିଆରଏସ ମଧ୍ୟରେ ବିବାଦ ଲାଗି ରହିଛି । ଏନେଇ କେନ୍ଦ୍ର ବିରୋଧରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ରାଜ୍ୟ ମନ୍ତ୍ରୀ ଓ ବିଧାୟକ ଦିଲ୍ଲୀରେ ଥିବା ତେଲେଙ୍ଗାନା ଭବନରେ ବିକ୍ଷୋଭ କରିଥିଲେ । ଯେଉଁଥିରେ କୃଷକ ନେତା ରାକେଶ ଟିକାୟତ ସାମିଲ ମଧ୍ୟ ହୋଇଥିଲେ । ଚାଷୀଙ୍କ ଧାନ କ୍ରୟ ପାଇଁ କେନ୍ଦ୍ର ପାଖରେ ଅର୍ଥ ନାହିଁ କି ଇଚ୍ଛା ଶକ୍ତିର ଅଭାବ ବୋଲି ସେ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଚାଷୀଙ୍କୁ ଅପମାନିତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ରାଜ୍ୟ ଗୁଡିକୁ ଏହାରି ମାଧ୍ୟମରେ ଦୁର୍ବଳ କରିବାକୁ ଚାହୁଁଛି ।
କେସିଆର କହିଛନ୍ତି ଆଦାନୀ ଗ୍ରୁପକୁ ପାଇଁ ସରକାର ୧୨୦୦୦ କୋଟି ଖର୍ଚ୍ଚ କରୁଛନ୍ତି । ହେଲେ କୃଷକଙ୍କ ଠାରୁ ଖାଦ୍ୟଶସ୍ୟ କିଣିବା ପାଇଁ 3000 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ନୁହଁନ୍ତି । କେନ୍ଦ୍ର ସରକାରଙ୍କ କୃଷି ବିରୋଧି ନୀତିକୁ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ବ୍ୟାଙ୍କଗୁଡିକୁ ଦେବାଳିଆ କରିଛନ୍ତି ସେମାନଙ୍କୁ ସରକାର ସୁରକ୍ଷା ଦିଅନ୍ତି । ଲଣ୍ଡନରେ କର୍ପୋରେଟ କ୍ରୁକ୍ ସଞ୍ଚୟ ପାଇଁ 10,000 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାର ତଥ୍ୟ ଆମେ ରଖିଛୁ ବୋଲି ସେ କହିଛନ୍ତି।
ଏହାବି ପଢନ୍ତୁ : ଧାନ ପାଇଁ ଧାରଣା, ମୁଖ୍ୟମନ୍ତ୍ରୀଙ୍କ ସହ ବସିଲେ ବରିଷ୍ଠ ନେତା
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆର ଏକ କ୍ୟାବିନେଟ ବୈଠକ କରିଛନ୍ତି । ଯେଉଁଥିରେ ଚାଷୀଙ୍କ ଧାନ କିଣା ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । କୃଷକମାନଙ୍କ ଦ୍ବାର ଉତ୍ପାଦିତ ପ୍ରତ୍ୟେକ ଶସ୍ୟ କିଣିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି ।
ମନ୍ତ୍ରୀମାନେ ପ୍ରତ୍ୟେକ ଜିଲ୍ଲା ଯିବେ। ପ୍ରତ୍ୟେକ ଗ୍ରାମରେ କ୍ରୟ କେନ୍ଦ୍ର ପ୍ରତିଷ୍ଠା କରାଯିବ। ତିନୋଟି ବିବାଦୀୟ ଚାଷ ଆଇନ ରଦ୍ଦ ହେବାର ପ୍ରାୟ ପାଞ୍ଚ ମାସ ପରେ କେନ୍ଦ୍ର ସହିତ ତେଲେଙ୍ଗାନା ସରକାର ଚାଷୀଙ୍କ ଶଷ୍ୟ କିଣିବା ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। କୃଷକ କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀରେ ଏକ ବର୍ଷ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିବା କୃଷକମାନେ ବର୍ତ୍ତମାନ ଜାତୀୟ ସ୍ତରରେ “ମହାସଂଗ୍ରାମ ” ଯୋଜନା କରୁଛନ୍ତି ବୋଲି ଘୋଷଣା କରିଛନ୍ତି ।