ନୂଆଦିଲ୍ଲୀ: ବିଜେପି ବିଦ୍ରୋହୀ ପ୍ରାର୍ଥୀଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନକରିବାକୁ ପ୍ରଧାନମନ୍ତ୍ରୀ ମୋଦି ପକାଉଛନ୍ତି ଚାପ । ଏପରି କିଛି ଅଭିଯୋଗ ନେଇ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେବାକୁ ଯାଉଛି କଂଗ୍ରେସ । ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜେ ଏପରି କରିଥିବା କଂଗ୍ରେସ ଦାବି କରିବା ସହ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବାକୁ ଯାଉଛି ।
ଅଖିଳ ଭାରତ କଂଗ୍ରେସ କମିଟି ମୁଖପାତ୍ର ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଅଭିଯୋଗ କରିଛନ୍ତି, "ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀଙ୍କ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ବିଜେପିର ବିଦ୍ରୋହୀ କ୍ରିପାଲ ପାରମାରଙ୍କୁ କଙ୍ଗରା ଜିଲ୍ଲାର ଫତେହପୁର ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଚାପ ପ୍ରୟୋଗ କରୁଛନ୍ତି ।"
ସିଂଭି ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ନିଜ କ୍ଷମତାର ଅପବ୍ୟବହାର କରି ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ପ୍ରୟାସ କରୁଛନ୍ତି । ତେବେ ଦଳ ଏହି ପ୍ରସଙ୍ଗକୁ ନେଇ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି । ଏବେ ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ, ପ୍ରଚାର ମଧ୍ୟ ଜୋରଦାର ଜାରି ରହିଛି । ପ୍ରଧାନମନ୍ତ୍ରୀ ମୋଦି ହିମାଚଳ ପ୍ରଦେଶରେ ପ୍ରଚାର ଜାରି ରଖିଛନ୍ତି ।"