ଡେରାଡୁନ: 2016, ଉତ୍ତରାଖଣ୍ଡ କଂଗ୍ରେସରେ ଆରମ୍ଭ ହୋଇଥିଲା ବିଦ୍ରୋହ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ବହୁଗୁଣାଙ୍କ ସମେତ 10 ବିଧାୟକ ବିଜେପିରେ ହୋଇଗଲେ ସାମିଲ । ଆଉ ରାଜ୍ୟରେ ଲାଗିଲା ରାଷ୍ଟ୍ରପତି ଶାସନ ।
ଦେବଭୂମିରେ ଦୋହଲୁଥିଲା କଂଗ୍ରେସ ଗଡ । ଏଭଳି ସ୍ଥିତିରେ ହରୀଶ ରାୱତ ସରକାରଙ୍କ ଭାଙ୍ଗୁଥିବା ଘରେ ଲୁହାର କାନ୍ଥ ହୋଇ ଛିଡା ହୋଇଥିଲେ ଜଣେ ନେତ୍ରୀ । ଆଉ ସେ ହେଉଛନ୍ତି ଇନ୍ଦିରା ହୃଦୟେଶ ।
ଅନେକ ଅବସର ଆସିଛି, ଯେବେ ରାଜନୈତିକ ସ୍ତରରେ ଇନ୍ଦିରା ହୃଦୟେଶ ଓ ହରିଶ ରାୱତଙ୍କ ମଧ୍ୟରେ ଦେଖିବାକୁ ମିଳିଛି ମତଭେଦ । ହେଲେ ସଙ୍କଟ ସମୟରେ କେବେ ବି ରାୱତଙ୍କ ହାତ ଛାଡିନଥିଲେ ହୃଦୟେଶ ।
ବୟସର ସାୟାହ୍ନରେ 80 ବର୍ଷୀୟ ହୃଦୟେଶ ଥିଲେ ଅସୁସ୍ଥ । କିଛି ଦିନ ପୂର୍ବରୁ ଦିଲ୍ଲୀରୁ ଚିକିତ୍ସିତ ହୋଇ ଫେରିଥିଲେ ଇନ୍ଦିରା । କୋରୋନାକୁ ମଧ୍ୟ ଦେଇଥିଲେ ମାତ । ଏହି ସବୁ ମଧ୍ୟରେ ରବିବାର ଅଟକିଛି ହୃଦୟେଶଙ୍କ ହୃଦୟ ଗତି ।
ମୂର୍ବତନ ମୁଖ୍ୟମନ୍ତ୍ରୀ ହେମବତୀ ନନ୍ଦନ ବହୁଗୁଣା ଓ ନାରାୟଣ ଦତ୍ତ ତିୱାରୀଙ୍କ କାଳରେ ରାଜନୀତିରେ ପାଦ ଥାପିଥିବା ହୃଦୟେଶ ଧିରେ ଧିରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଚାଲିଲେ । ମାତ୍ର 20 ବର୍ଷ ବୟସରେ ଉତ୍ତରାଖଣ୍ଡ ରାଜନୀତିରେ ଦିଦି ନାଁରେ ପରିଚିତ ହୋଇଯାଇଥିଲେ ଇନ୍ଦିରା ହୃଦୟେଶ ।
କଂଗ୍ରେସ ହେଉ କି ବିଜେପି, ପରାମର୍ଶ ନେବାକୁ ଦିଦିଙ୍କ ପାଖକୁ ଛୁଟିଆସୁଥିଲେ ସବୁ ଦଳର ନେତା । ବିରୋଧୀ ଦଳର ନେତା ତଥା ସଂସଦୀୟ କାର୍ଯ୍ୟମନ୍ତ୍ରୀ ସ୍ବର୍ଗତଃ ହୃଦୟେଶଙ୍କ କଥାର ରହସ୍ୟ ଖୋଜିବା କଠିନ ହୋଇପଡୁଥିଲା । ସଂସଦୀୟ ମାମଲାରେ ବିଜେପି ନେତା ବି ନେଉଥିଲେ ଇନ୍ଦିରାଙ୍କ ପରାମର୍ଶ ।
1974ରେ ଉତ୍ତରପ୍ରଦେଶ ବିଧାନ ପରିଷଦକୁ ପ୍ରଥମ ଥର ଚୟନ ହେବା ପରେ 1986,1992 ଓ 1998ରେ କ୍ରମାଗତ 4 ଥର ଅବିଭାଜିତ ଉତ୍ତରପ୍ରଦେଶ ବିଧାନ ପରିଷଦର ସଦସ୍ୟ ହୋଇଥିଲେ ଇନ୍ଦିରା । 2000ରେ ଅନ୍ତରୀଣ ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀ ଦଳର ନେତା ହୋଇ ରାଜ୍ୟର ସମସ୍ୟାକୁ ଗୃହରେ ରଖୁଥିଲେ ।
2002ରେ ଉତ୍ତରାଖଣ୍ଡରେ ଯେବେ ପ୍ରଥମ ବିଧାନସଭା ନିର୍ବାଚନ ହେଲା, ସେବେ ହଲଦ୍ବାନୀରୁ ନିର୍ବାଚନରେ ବିଜୟ ହାସଲ କରିଥିଲେ ହୃଦୟେଶ । ଏହାପରେ ଏନଡି ତିୱାରୀ ସରକାରରେ ସଂସଦୀୟ କାର୍ଯ୍ୟ, ଲୋକ ନିର୍ମାଣ ବିଭାଗ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ତାଙ୍କୁ ମିଳିଥିଲା ବଡ ଦାୟିତ୍ବ ।
2007ରୁ 2012 ପର୍ଯ୍ୟନ୍ତ କୌଣସି ନିର୍ବାଚନ ଜିତିନଥିଲେ ହୃଦୟେଶ । ହେଲେ 2012ରେ ପୁଣି ଥିରେ ସେ ବିଧାନସଭା ନିର୍ବାଚନରେ ବିଜୟ ହାସଲ କରି ବିଜୟ ବହୁଗୁଣା ତଥା ହରିଶ ରାୱତ ସରକାରରେ ଅର୍ଥମନ୍ତ୍ରୀ ଦାୟିତ୍ବ ସମ୍ଭାଳିଥିଲେ । ସେହିପରି 2017 ବିଧାନସଭା ନିର୍ବାଚନରେ ଇନ୍ଦିରା ହୃଦୟେଶ ପୁଣିଥରେ ହଲଦ୍ବାନୀରୁ ନିର୍ବାଚନ ଜିତି ବିଧାନସଭା ପହଞ୍ଚିଥିଲେ ।
କଂଗ୍ରେସ ବିରୋଧୀ ଦଳର ଆସନରେ ବସିବା ପରେ ନେତା ପ୍ରତିପକ୍ଷ ଭାବରରେ ହୃଦୟେଶଙ୍କୁ ଦଳର ନେତୃତ୍ବ ନେବାର ସୁଯୋଗ ମିଳିଲା । ଇନ୍ଦିରା ହୃଦୟେଶ ମଜବୁତ ବିଚାରଧାରା ରଖୁଥିବା ମହିଳା ଥିଲେ । ତାଙ୍କୁ ଉତ୍ତରାଖଣ୍ଡ ରାଜନୀତିର ଆଇରନ ଲେଡି ମଧ୍ୟ କୁହାଯାଉଥିଲା । ଉତ୍ତରାଖଣ୍ଡ ରାଜନୀତିକୁ ଏକ ନୁଆ ଉଚ୍ଚତାରେ ପହଞ୍ଚାଇବା ନେଇ ଇନ୍ଦିରା ହୃଦୟେଶଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ