ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲ ହେଉଛି ଭାରତ । ଡିଜିଟାଲ ଦୁନିଆକୁ ଫୋକସ ଦେଉଛନ୍ତି ସରକାର । ନିର୍ବାଚନୀ ପ୍ରଚାରଠୁ ଆରମ୍ଭ କରି ପ୍ରକଳ୍ପ ଉଦଘାଟନ, ସବୁକିଛି ଏବେ ଡିଜିଟାଲ ମାଧ୍ୟମରେ ସମ୍ଭବ ହୋଇପାରିଛି ।
ସୋସିଆଲ ମିଡିଆରେ ଭାରତୀୟ ଜନତା ପାର୍ଟିର ବଢି ଚାଲିଛି ଲୋକପ୍ରିୟତା । ଫେସବୁକଠୁ ଆରମ୍ଭ କରି ଟ୍ବିଟର ଓ ୟୁଟ୍ୟୁବରେ ବେଶ ସକ୍ରିୟ ରହିଛି ବିଜେପି । ତେବେ ଏପଟେ ତୃଣମୂଳ ସ୍ତରରେ ଦୁର୍ବଳ ହେଉଥିବା କଂଗ୍ରେସ ଏବେ ସୋସିଆଲ ମିଡିଆରେ ନିଜକୁ ଆକ୍ଟିଭ ରଖିବାକୁ ଆରମ୍ଭ କରିଛି ପ୍ରୟାସ ।
ନିଜର ଏକ ଡିଜିଟାଲ ଚ୍ୟାନେଲ ଲଞ୍ଚ କରିଛି କଂଗ୍ରେସ, ଯାହାର ନାଁ ରହିଛି ଆଇଏନସି ଟିଭି । ୟୁଟ୍ୟୁବ ଜରିଆରେ ଆରମ୍ଭ ହେବ ଏହି ଚ୍ୟାନେଲ । 24 ଏପ୍ରିଲରୁ ଏହି ଡିଜିଟାଲ ପ୍ଲାଟଫର୍ମର ଶୁଭାରମ୍ଭ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ଏପ୍ରିଲ 24 ହେଉଛି ଜାତୀୟ ପଞ୍ଚାୟତିରାଜ ଦିବସ ଏବଂ ଏହି ଦିନ କଂଗ୍ରେସର ଡିଜିଟାଲ ଟିଭି ଲଞ୍ଚ ହେବ। ଏହି ଅବସରରେ ଦଳର ନେତା କହିଛନ୍ତି, ଗଣମାଧ୍ୟମର କାର୍ଯ୍ୟ ହେଉଛି ସତ୍ୟ ଦେଖାଇବା, କିନ୍ତୁ ଦୀର୍ଘ ଦିନ ଧରି ବ୍ୟକ୍ତିବିଶେଷଙ୍କ ମହିମାମଣ୍ଡନ କରାଯାଉଥିବା ଦେଖିବାକୁ ମିଳୁଛି ।
ସେପଟେ ରାହୁଲ ଗାନ୍ଧୀ ମଧ୍ୟ ଅନେକ ଥର ଭର୍ଚୁଆଲ ମାଧ୍ୟରେ ବିଦେଶରେ ଥିବା ପ୍ରଫେସରଙ୍କ ସହିତ ଆଲୋଚନା କରୁଥିବା ନଜର ଆସୁଛନ୍ତି । ତେବେ ଆଗାମୀ ଦିନରେ କଂଗ୍ରେସର ଏହି ଟିଭିରେ ରାହୁଲଙ୍କୁ କହିବାର ସୁଯୋଗ ମିଳିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।