ଲକ୍ଷ୍ନୌ: କିଛି ଦିନ ହେବ ଦେଶର ଅନେକ ସ୍ଥାନରେ ସାଂମ୍ପ୍ରଦାୟିକ ହିଂସା ଲାଗି ରହିଛି । ଦିଲ୍ଲୀ, ରାଜସ୍ଥାନ ଆଦି ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି କଠୋର ଆଭିମୁଖ୍ୟ ଆପଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ, ଯେକୌଣସି ଧାର୍ମିକ କାର୍ଯ୍ୟ ପାଇଁ ରାଜ୍ୟରେ ମାଇକ୍ ବ୍ୟବହାର ହୋଇପାରିବ । କିନ୍ତୁ ମାଇକ୍ ଶବ୍ଦ ଯୋଗୁଁ ଯେପରି କାହାର ସମସ୍ୟା ନ ହୁଏ ଏବଂ ଶବ୍ଦ ସେହି ଧାର୍ମିକ କ୍ଷେତ୍ର ପରିସର ବାହାରକୁ ନ ଶୁଣାଯାଏ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି ।
କେବଳ ଏତିକି ନୁହେଁ, ପ୍ରଶାସନିକ ଅନୁମତି ବିନା କୌଣସି ଶୋଭାଯାତ୍ରା ବାହାରିପାରିବ ନାହିଁ । ଏଥିସହ ଶୋଭାଯାତ୍ରାରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ଅଧିକାରୀମାନେ ଏକ ଶପଥ ପତ୍ର ମଧ୍ୟ ଦେବେ । ଏହା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ଯୋଗୀ ଆସନ୍ତା ୪ ତାରିଖ ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କୁ ଛୁଟି ବାତିଲ କରିଦେଇଛନ୍ତି । ସମସ୍ତ ପର୍ବପର୍ବାଣି ଯେପରି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ଦିଗରେ ଜରୁରୀ ପ୍ରୟାସ କରିବା ସଙ୍ଗେ ସଙ୍ଗେ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରୁଥିବା ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ଅଧିକ ପୋଲିସ ଫୋର୍ସ ମୁତୟନ ହେବେ । ଡ୍ରୋନ ଜରିଆରେ ସ୍ଥିତି ଉପରେ ନଜର ରଖାଯିବ । ଏଥିସହ ପୋଲିସ ପ୍ରତିଦିନ ସନ୍ଧ୍ୟାରେ ଫୁଟ୍ ପାଟ୍ରୋଲିଂ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଅଧିକାରୀମାନେ କହିଛନ୍ତି, ନିକଟରେ ବିଭିନ୍ନ ଧର୍ମର ବହୁ ପବିତ୍ର ପର୍ବ ଅନୁଷ୍ଠିତ ହୋଇଛି । ଖୁସିର ବିଷୟ କି, ସାରା ରାଜ୍ୟରେ ଶାନ୍ତିର ବାତାବରଣ ରହିଛି । ରାଜ୍ୟର ପ୍ରତିଟି ନାଗରିକଙ୍କ ସୁରକ୍ଷା ଆମର ଦାୟିତ୍ବ । ଆମକୁ ନିଜ ଦାୟିତ୍ବ ପ୍ରତି ସଦାସର୍ବଦା ସତର୍କ ଏବଂ ସାବଧାନ ରହିବାକୁ ହେବ । ବର୍ତ୍ତମାନ ପବିତ୍ର ରମଜାନ ମାସ ଚାଲୁଛି । ଆଗକୁ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ପର୍ବପର୍ବାଣି ଆସୁଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ଆଗ ଅପେକ୍ଷା ଅଧିକ ସଜାଗ ରହିବା ଜରୁରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ