ବେଙ୍ଗାଲୁରୁ: ସିରିଞ୍ଜ ଟ୍ୟୁବ ଏବଂ ପରଫ୍ୟୁମ ବୋତଲରେ ବିକ୍ରି ହେଉଛି ଭଳିକି ଭଳି ରଙ୍ଗର ଚକୋଲେଟ । କର୍ଣ୍ଣାଟକ ଚାମରାଜନଗର କୋଲେଗଲା ଅଞ୍ଚଳର ଦୋକାନମାନଙ୍କରେ ବିକ୍ରି ହେଉଛି ଏହି ନିଆରା ଚକୋଲେଟ । ଯାହାକୁ କିଣି ଖାଇବାକୁ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଖୁବ୍ ଉତ୍ସୁକତା ଦେଖିବାକୁ ମିଳୁଛି ।
ସିରିଞ୍ଜ ଟ୍ୟୁବରେ ମିଳୁଥିବା ଏହି ଚକୋଲେଟକୁ 'ଇଞ୍ଜେକ୍ସନ ଚକୋଲେଟ' କୁହାଯାଉଛି । ସିରିଞ୍ଜରେ ଚକୋଲେଟ ଆଇସକ୍ରିମ ଭଳି ଭର୍ତ୍ତି କରାଯାଇଛି । କେବଳ ଏହାର ଅଗ୍ରଭାଗରେ ଛୁଞ୍ଚିଥିବା ଅଂଶକୁ ବାଦ୍ ଦିଆଯାଇଛି । ଏହି ଇଞ୍ଜେକ୍ସନ ଚକୋଲେଟର ଦାମ ଗୋଟିଏ ପିଛା 5 ଟଙ୍କା ରହିଛି । ପ୍ରତ୍ୟେକ ମେଡିକାଲ ଦୋକାନରେ ଏହି ସିରିଞ୍ଜ ଟ୍ୟୁବର ଦାମ 5 ଟଙ୍କା ରହିଥିବାବେଳେ ବ୍ୟବସାୟୀମାନେ ପ୍ରତି ସିରିଞ୍ଜ ପିଛା 2.5 ଟଙ୍କାରେ କିଣୁଛନ୍ତି । ଏଣୁ ଏହି ସିରିଞ୍ଜଗୁଡିକୁ ପୂର୍ବରୁ ବ୍ୟବହାର କରାଯାଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ସୃଷ୍ଟି ହେଉଛି ।
ତେବେ ରାସ୍ତାକଡ ଦୋକାନମାନଙ୍କରେ ଏହିଭଳି ସିରିଞ୍ଜ ଚକୋଲେଟ ବିକ୍ରି ହେଉଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗର ଏଥିପ୍ରତି ନିଘା ନାହିଁ ବୋଲି ଅଭିଯୋଗ ହେଉଛି । ସେପଟେ ପିଲାମାନଙ୍କର ଏହାପ୍ରତି ଆଗ୍ରହ ଦେଖି ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି । ଜଣେ ସାମାଜିକ କର୍ମୀଙ୍କ କହିବା ମୁତାବକ, ସିରିଞ୍ଜରେ ଛୁଞ୍ଚିଟିକୁ କଟାଯାଉଥିଲେ ମଧ୍ୟ ସିରିଞ୍ଜ ଖୋଳଟି ଆଗରୁ ବ୍ୟବହାର ହୋଇଛି କି ନାହିଁ ସେ ସମ୍ପର୍କରେ କିଛି ଜଣାପଡୁନି । ଏହି ସିରିଞ୍ଜ ଚକୋଲେଟ ଖାଇବା ଦ୍ବାରା ପିଲାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଏଣୁ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସଚେତନ ହେବା ସହ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ