ନୂଆଦିଲ୍ଲୀ: ପୁଣି ଦାଦାଗିରି ଦେଖାଇଛି ଚୀନ । ପ୍ରଥମେ ଗଲୱାନରେ ପଶି ପତାକା ଉଡାଇଲା ଆଉ ପରେ ପରେ ପୁଣି ଏଲଏସିରେ ପାଙ୍ଗୋଙ୍ଗ ହ୍ରଦରେ ସେତୁ ନିର୍ମାଣ କରୁଛି ଚୀନ (Chinese construction near Pangong Lake) । ଏହି ସେତୁ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପଟକୁ ଯୋଗାଯୋଗ କରିବ। ପ୍ରାୟ 2 ମାସ ହେବ ଏହି ସେତୁଟିକୁ ନିର୍ମାଣ କରୁଥିବା ସୂଚନା ମିଳିଛି । ଯେଉଁ ଅଞ୍ଚଳକୁ ଭାରତ ଆମର ବୋଲି ଦାବି କରୁଛି ସେଠାରେ ସେତୁ ନିର୍ମାଣ ହେଉଥିବା ଚର୍ଚ୍ଚା ହେଉଛି ।
ଦୁଇମାସ ହେବ ଏପରି କାରସାଦି ଚଲେଇଛି ଚୀନ । LACରୁ ୨୫ରୁ ୩୦ କିଲୋମିଟର ଦୂରରେ ଏହି ସେତୁ ନିର୍ମାଣ କରୁଛି ଡ୍ରାଗନ । ଚୀନ ସୈନିକଙ୍କ ପାଇଁ ଗମନାଗମନ ସହଜ କରିବା ଲକ୍ଷ୍ୟରେ ଏହି ସେତୁ ନିର୍ମାଣ କରୁଛି । ହ୍ରଦର ଦକ୍ଷିଣପଟ କୈଳାସ ରେଞ୍ଜର ଉଚ୍ଚ ଭାଗର ପ୍ରମୁଖ ଅଂଶକୁ ଅଗଷ୍ଟ ୨୦୨୦ରେ ଭାରତ ଅକ୍ତିଆର କରିଛି । ଏହାପରେ ଏଠାରେ ସେନା ନିୟୋଜିତ କରିଛି ଭାରତ। ଚୀନର ଗିତିବିଧିକୁ ନୀରିକ୍ଷଣ ଏବଂ ମୁକାବିଲା ପାଇଁ ଭାରତ ଏଠାରେ ସେନା ନିୟୋଜିତ କରିଛି । ଏହା ପରେ ବି ଚୀନର ସାହାସ କିଛି କମ ନୁହେଁ । ସେଠାରେ ପ୍ରାଧାନ୍ୟ ବିସ୍ତାର କରି ପାଙ୍ଗୋଙ୍ଗ ହଦ୍ରରେ ସେତୁ ନିର୍ମାଣ କରୁଥିବା ଜଣାପଡ଼ିଛି। ଯାହାର ଚିତ୍ର ସାଟେଲାଇଟରେ ଉତ୍ତୋଳନ ହୋଇଛି ।
ପ୍ରକାଶ ଥାଉ କି, ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରଥିଲେ ଚୀନ ଯବାନ । ଜାନୁଆରୀ ୧ରେ ଚୀନ ଯବାନ ଗଲୱାନ ଉପତ୍ୟକାରେ ନିଜ ଦେଶର ଜାତୀୟ ପତାକା ଉଡାଇଛନ୍ତି (China unfurls flag in Galwan) । ଯାହାର ଭିଡିଓ ଚୀନ ସରକାରୀ ଚ୍ୟାନେଲ ଗ୍ଲୋବାଲ ଟାଇମ୍ସ ପ୍ରକାଶ କରିଥିଲା ।
ଏହା ବି ପଢନ୍ତୁ...ଗଲୱାନରେ ପଶି ପତାକା ଉଡାଇଲା ଚୀନ, କେନ୍ଦ୍ରକୁ ଘେରିଲେ ବିରୋଧୀ
୨୦୨୦ ମେ’ରେ ଲଦାଖରେ ବିବାଦ ଆରମ୍ଭ ହେବା ପର ଠୁ ସେଠାରେ ଭାରତ ଏବଂ ଚୀନ୍ ପକ୍ଷରୁ ୫୦,୦୦୦ ସୈନ୍ୟ ମୁତୟନ କରାଯାଇଛି। ଖାଲି ଲଦାଖ ନୁହେଁ ଗତ ବର୍ଷ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ସୀମାବର୍ତ୍ତୀ ପୂର୍ବ ସେକ୍ଟରରେ ଆକ୍ରମଣାତ୍ମକ ପଦକ୍ଷେପ ନେଇଛି ଡ୍ରାଗନ । ୨୦୨୦ ଜୁନ୍ ୨୦ରେ ଗଲୱାନ ଘାଟିରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ ।