ନୂଆଦିଲ୍ଲୀ: ଚୀନ ଟାର୍ଗେଟରେ ଭାରତର ବିଦ୍ୟୁତ ବିତରଣ କେନ୍ଦ୍ର । ଲଦାଖରେ ଥିବା ପାୱାର ଗ୍ରୀଡ ଉପରେ ସାଇବର ଆକ୍ରମଣ କରିଛି ଡ୍ରାଗନ । ଗତ ୮ ମାସ ହେଲା ଉତ୍ତର ଭାରତର ପାୱାର ଗ୍ରୀଡରେ ଚୀନ ହ୍ୟାକର ସାଇବର ଆକ୍ରମଣ କରୁଛନ୍ତି । ଗତବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଚୀନ ପାୱାର ଗ୍ରୀଡ ଉପରେ ସାଇବର ଆଟାକ୍ କରିଥିଲା । ରେକର୍ଡେଡ ଫ୍ୟୁଚର(Recorded Future) ନାମକ ଘରୋଇ ଗୁପ୍ତଚର ସଂସ୍ଥା ଏକ ରିପୋର୍ଟରେ ଏହାର ଖୁଲାସା କରିଛି । ସାଇବର ଗୁଇନ୍ଦାଗିରି କରିବା ପାଇଁ ଡ୍ରାଗନ ଏହି ଆକ୍ରମଣ କରିଥିବା ସଂସ୍ଥା ଦାବି କରିଛି ।
ସାଇବର ଆକ୍ରମଣ କରି ଭାରତର ତଥ୍ୟ ଚୋରି କରିବାକୁ ଚୀନ ଉଦ୍ୟମ କରୁଛି । ରିପୋର୍ଟ ଅନୁଯାୟୀ, ଗତବର୍ଷ ଅଗଷ୍ଟରୁ ମାର୍ଚ୍ଚ ଯାଏଁ ଚୀନ ହ୍ୟାକର ପାୱାର ଗ୍ରୀଡକୁ ଆକ୍ରମଣ କରି ଭାରତର ଅତିକମରେ ସାତୋଟି ଷ୍ଟେଟ ଲୋଡ୍ ଡେସପ୍ୟାଚ ସେଣ୍ଟରଗୁଡିକୁ(SLDCs) ହ୍ୟାକ କରିବା ପାଇଁ ଚେଷ୍ଟା କରିଛନ୍ତି । ପାୱାର ଗ୍ରୀଡଟି ଭାରତ ଓ ଚୀନର ସୀମା ନିକଟରେ ରହିଛି । ହ୍ୟାକରମାନେ ଏହା ଉପରେ ଆକ୍ରମଣ କରି ଭାରତର ତଥ୍ୟ ଚୋରାଇବାକୁ ଉଦ୍ୟମ କରୁଛନ୍ତି । ଯାହାଦ୍ବାରା ଚୀନ ସମସ୍ତ ଗତିବିଧି ଉପରେ ନଜର ରଖି ଏହାକୁ ଭାରତ ବିପକ୍ଷରେ ବ୍ୟବହାର କରିପାରିବ । ସେହିପରି ପାୱାରଗ୍ରୀଡ ସମେତ ହ୍ୟାକର ନ୍ୟାସନାଲ ଏମର୍ଜେନ୍ସି ରେସପନ୍ସ ସିଷ୍ଟମ(national emergency response system) ଉପରେ ମଧ୍ୟ ଆକ୍ରମଣ କରିଥିବାର କୁହାଯାଇଛି । ତେବେ ଚୀନର ଏହି ସାଇବର ଆକ୍ରମଣ ସଫଳ ହୋଇନଥିବା ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।