ରାୟପୁର: ଶାସନ ଆଳରେ ସୀମା ଟପିଗଲେ କି ଜିଲ୍ଲାପାଳ । ଲକଡାଉନରେ ବାହାରେ ବୁଲୁଥିବା ଜଣେ ଯୁବକଙ୍କୁ ଛତିଶଗଡ ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମା ମାଡ ମାରିବା ସହ ତାଙ୍କ ମୋବାଇଲ୍ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଛତିଶଗଡ ସୁରଜପୁର ଜିଲ୍ଲାପାଳଙ୍କ ଏହି ତାଗିଦ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ପଦରୁ ବହିସ୍କାର କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ରାଜ୍ୟରେ ଜଣେ ନାଗରିକ ପ୍ରତି ଏପରି ବ୍ୟବହାର ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏନେଇ ଜିଲ୍ଲାପାଳ ରଣବୀର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସମ୍ପୃକ୍ତ ଯୁବକ ଜଣକ ଲକଡାଉନ ସମୟରେ ବାହାରେ ବୁଲିବା ସହ ମିଛକହି ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ମେଡିସିନ୍ ନେବାକୁ ବାହାରକୁ ଆସିଥିବା ଯୁବକଙ୍କ ପାଖରେ ପ୍ରେସକ୍ରିପସନ ନଥିଲା । ପରେ ସେ ତାଙ୍କ ଜେଜେ ମାଆଙ୍କୁ ଭେଟିବାକୁ ଯାଉଥିବା କହିଥିଲେ । ଯେତେବେଳେ ସେ ଏପରି କହି ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ ମୁଁ ସେତେବେଳେ ତାଙ୍କ ଉପରେ ହାତ ଉଠାଇଥିଲି । ଏସବୁ ଆଚରଣ ପାଇଁ ମୁଁ ଅନ୍ତରରୁ କ୍ଷମା ମାଗୁଛି । ତାଙ୍କୁ ଏପରି ବ୍ୟବହାର କରିବାରେ ମୋର କୌଣସି ଉଦ୍ଦେଶ୍ୟ ନଥିଲା ବୋଲି ଜିଲ୍ଲାପାଳ ରଣବୀର କହିଛନ୍ତି । ଅନ୍ୟପଟେ ଘଟଣା ପରେ ଜିଲ୍ଲାପାଳଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ