ଅମରାବତୀ: ପୁଣି ବଢିଲା ଦକ୍ଷତା ବିକାଶ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ଆନ୍ଧ୍ର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ଜୁଡିସିଆଲ ରିମାଣ୍ଡ । ଚଳିତ ୧୯ ତାରିଖ ପର୍ଯ୍ୟନ୍ତ ତାଙ୍କ ଜୁଡିସିଆଲ ରିମାଣ୍ଡକୁ ବୃଦ୍ଧି କରିଛନ୍ତି କୋର୍ଟ । ଦୁର୍ନୀତି ନିବାରଣ ବ୍ୟୁରୋ କୋର୍ଟ ଆଜି କ୍ରମାଗତ ତୃତୀୟ ଥର ପାଇଁ ତାଙ୍କର ବିଚାର ବିଭାଗୀୟ ହେପାଜତକୁ ବୃଦ୍ଧି କରିଛନ୍ତି । ଆସନ୍ତାକାଲି ତାଙ୍କ ପୂର୍ବ ନ୍ୟାୟିକ ହାଜତ ଅବଧି ଶେଷ ହେବାକୁ ଯାଉଥିଲା ।
ଅନ୍ୟପଟେ ନାଇଡୁଙ୍କ ଜାମିନ ଆବେଦନ ଏବଂ ଆନ୍ଧ୍ର ପ୍ରଦେଶ ସିଆଇଡି ରିମାଣ୍ଡ ଆବେଦନର ଶୁଣାଣି ଆସନ୍ତାକାଲି (ଶୁକ୍ରବାର) କରିବା ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଆଜି ତଦନ୍ତକାରୀ ସଂସ୍ଥା ପକ୍ଷରୁ ଆଡଭୋକେଟ ଜେନେରାଲ ପି.ସୁଧାକର ରେଡ୍ଡୀ ପକ୍ଷ ରଖିଥିବା ବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରମୋଦ ଦୁବେ ପକ୍ଷ ରଖିଥିଲେ ।
ଚନ୍ଦ୍ରବାବୁଙ୍କ ଗିରଫଦାରୀ ପରେ ବାରମ୍ବାର ତାଙ୍କ ଜାମିନ ଆବେଦନ ଖାରଜ ହେବାରେ ଲାଗିଛି । ଚନ୍ଦ୍ରବାବୁ ପ୍ରଥମେ ତଳକୋର୍ଟ ଓ ପରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ନିରାଶ ହେବା ପରେ ସେ ଏବେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଛନ୍ତି । ତାଙ୍କ ବିରୋଧରେ ଜାରି ରହିଥିବା ମାମଲା ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ଉକ୍ତ ମାମଲା ଖାରଜ କରିବା ସର୍ବୋଚ୍ଚ କୋର୍ଟରେ ହାଜର ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ ।
ଏହା ମଧ୍ୟ ପଢନ୍ତୁ:- Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ
ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 9 ତାରିଖ ଭୋର ସମୟରେ ରାଜ୍ୟ ସିଆଇଡି ବିଭାଗର ଟିମ୍ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ସେବେଠାରୁ ଏକାଧିକ ଥର ତାଙ୍କର ବିଚାର ବିଭାଗୀୟ ହାଜତ ଅବଧି ବୃଦ୍ଧି କରଗଲାଣି । ଚନ୍ଦ୍ରବାବୁ ନିଜ ପାଇଁ ସର୍ବୋଚ୍ଚ କୋର୍ଟରେ ଲଢୁଥିବା ବେଳେ ପୁଅ ନାରା ଲୋକେଶଙ୍କୁ ମଧ୍ୟ ଅମରାବତୀ ଇନର ରୋଡ ଘୋଟାଲାରେ ସିଆଇଡି ହାଜର ହେବା ପାଇଁ ନୋଟିସ ଜାରି କରିଛି । ଚନ୍ଦ୍ରବାବୁଙ୍କ ଗିରଫଦାରୀ ପରେ ଆନ୍ଧ୍ରରେ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ