ହାଇଦ୍ରାବାଦ: ଆଜି ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ଭୋଟ ଗଣତି ଓ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ଅନ୍ୟପଟେ ଉପନିର୍ବାଚନ ହୋଇଥିବା ଉତ୍ତର ପ୍ରଦେଶର ଗୋଟିଏ ଲୋକସଭା ଓ ବିଭିନ୍ନ ରାଜ୍ୟର ମୋଟ 6 ବିଧାନସଭା ଆସନରେ ମଧ୍ୟ ଭୋଟ ଗଣତି ଜାରି ରହିଛି । ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଲକ୍ଷାଧିକ ଭୋଟରେ ଆଗରେ ରହିଛନ୍ତି । ପାର୍ଟି ମୁଖ୍ୟ ତଥା ଶଶୁର ମୁଲାୟମ ସିଂଙ୍କ ଦେହାନ୍ତ ପରେ ଏହି ଲୋକସଭା ଆସନରେ ଉପନିର୍ବାଚନ ହେଉଛି ।
ସେହିିପରି ବିଧାନସଭା ଉପନିର୍ବାଚନରେ ମଧ୍ୟରେ ବିହାର, ରାଜସ୍ଥାନ, ଛତିଶଗଡ ଓଡିଶାର ଗୋଟିଏ ଲେଖାଏଁ ଆସନ ସହ ଉତ୍ତର ପ୍ରଦେଶର ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଯାହାର ଗଣତି ମଧ୍ୟ ଜାରି ରହିଛି । ବିହାର ଖୁଡନୀରେ(Kurhani Assembly) ଜନତା ଦଳ (ସଂଯୁକ୍ତ) ଜେଡିୟୁ ପ୍ରାର୍ଥୀ ମନୋଜ ସିଂ ଖୁସଓ୍ବା ଆଗରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ମନୋଜଙ୍କୁ 49,435 ଭୋଟ ମିଳିଛି । ଛତିଶଗଡର ଭାନୁପ୍ରତାପପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମଣ୍ଡାଭୀ ଆଗରେ ରହିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା 33,823 ଭୋଟ ପାଇଛନ୍ତି । ରାଜସ୍ଥାନର ସର୍ଦ୍ଦାରସହର ଆସନରେ କଂଗ୍ରେସ ପ୍ରାର୍ଥୀ ଅନିଲ କୁମାର ଶର୍ମା ଆଗରେ ରହିଛନ୍ତି । ଶର୍ମାଙ୍କୁ ବର୍ତ୍ତମାନ ସୁଦ୍ଧା 76,710 ଭୋଟ ମିଳିଛି ।
ସେହିପରି ଉତ୍ତର ପ୍ରଦେଶର ଚର୍ଚ୍ଚିତ ରାମପୁର ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅସୀମ ରାଜା ଆଗରେ ରହିଛନ୍ତି । ଆଜମ ଖାନଙ୍କ ସଭ୍ୟପଦ ରଦ୍ଦ ହେବା ପରେ ଏହି ଆସନରେ ଉପନିର୍ବାଚନ ହେଉଛି । ଅସୀନ ରାଜା ହେଉଛନ୍ତି ଆଜମ ଖାନଙ୍କ ବେଶ ନିକଟତର । ବର୍ତ୍ତମାନ ସୁଦ୍ଧା ସେ 14 ହଜାରରୁ ଅଧିକ ଭୋଟ ସହ ଆଗରେ ଚାଲିଛନ୍ତି ।
ଓଡିଶାର ପଦ୍ମପୁର ଆସନରେ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ବର୍ଷା ସିଂ ବରିହା ଆଗରେ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ବିଜେଡି ପାର୍ଥୀ ବର୍ଷା 64 ହଜାରରୁ ଅଧିକ ଭୋଟ ପାଇବାରେ ସଫଳ ହୋଇଛନ୍ତି । ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ 34,748 ଭୋଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ