ଶିଲଂ: 45,000 କିଲୋଗ୍ରାମ ଶୁଖିଲା ମଟର ଚୋରା ଚାଲାଣ କରୁଥିବା 58 ବାଂଲାଦେଶୀ ଡଙ୍ଗାକୁ ଜବତ କଲା ବିଏସ୍ଏଫ୍ । ତେବେ ଏହି ଶୁଖିଲା ମଟରର ଆନୁମାନିକ ମୂଲ୍ୟ 68 ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏହିସହୁ ମଟରକୁ ପ୍ଲାଷ୍ଟିକ ବ୍ୟାଗରେ ବେଆଇନ ଭାବେ ଚାଲାଣ କରାଯାଉଥିଲା । ଏନେଇ ବିଏସଏଫ ମୁଖପାତ୍ର ୟୁ.କେ ନାୟାଲ କହିଛନ୍ତି ଯେ, ମେଘାଳୟର ଭାରତ-ବାଂଲାଦେଶ ସୀମାରେ ଥିବା ଲାକ୍ରା ନଦୀ ଦେଇ ଭାରତୀୟ ଅଞ୍ଚଳକୁ ପ୍ରବେଶ କରିବା ସମୟରେ ଶୁଖିଲା ମଟର ଚୋରା ଚାଲାଣ କରୁଥିବା କାଠ ଡଙ୍ଗାକୁ ଅଟକାଇଥିଲା ବିଏସଏଫ ।
ନିକଟରେ ସ୍ଥଳ ମାର୍ଗରେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଶୁଖିଲା ମଟର ଜବତ ହେବାପରେ ସେମାନେ ନଦୀ ପଥ ବ୍ୟବହାର କରିଥୁବା ସେ କହିଛନ୍ତି । ମେଘାଳୟ ସହିତ 443 କିଲୋମିଟର ଲମ୍ବର ଭାରତ-ବାଂଲାଦେଶ ସୀମାରେ ନଦୀ, ଘଞ୍ଚ ଜଙ୍ଗଲ, ପାହାଡ଼ିଆ ଅଞ୍ଚଳ ରହିଛି, ଯାହା ସବୁ ପ୍ରକାର ଚୋରା ଚାଲାଣ ତଥା ବେଆଇନ ବାଣିଜ୍ୟ କାରବାରକୁ ସୁହାଇଥାଏ । ଏହି ପ୍ରକାର ଚୋରା କାରବାର ଯେକୌଣସି ଦେଶର ଅର୍ଥନୀତିକୁ ବିଗାଡ଼ିବାର କ୍ଷମତା ରଖିଥାଏ ଏବଂ ବିଶେଷକରି ଭାରତୀୟ ଉତ୍ପାଦକଙ୍କ ଜୀବିକା ଉପରେ ପ୍ରଭାବ ପକାଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ