ପାଟନା: ହଠାତ ଭୁଶୁଡି ପଡିଲା ପୋଲ । ମଝି ପୋଲରେ ଝୁଲି ରହିଛି ବାଲି ବୋଝେଇ ଟ୍ରକ । ଅଳ୍ପେକେ ବର୍ତ୍ତିଯାଇଛି ଡ୍ରାଇଭରଙ୍କ ଜୀବନ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ବିହାରର ଦରଭଙ୍ଗାରେ ଦେଖିବାକୁ ମିଳିଛି । ସ୍ଥାନୀୟ କମଲା ନଦୀ ଉପରେ ଲୁହା ନିର୍ମିତ ଏକ ପୋଲର ମଝି ଅଂଶ ଭୁଶୁଡିପଡିଛି । ଡ୍ରାଇଭରକୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଟ୍ରକଟି ଏବେ ସୁଦ୍ଧା ଭଙ୍ଗା ପୋଲରେ ଝୁଲି ରହିଛି । ଘଟଣାସ୍ଥଳରେ ପୋଲିସ ଓ ଅନ୍ୟ ସ୍ଥାନୀୟ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଖପାଖ କେତୋଟି ଗ୍ରାମର ଲୋକେ ଏହି ପୋଲି ବ୍ୟବହାର କରୁଥିବାରୁ ଯୋଗାଯୋଗ ପ୍ରଭାବିତ ହୋଇଛି ।
ତେବେ ଅଘଟଣ ପରେ ସ୍ଥାନୀୟ ଲୋକେ ଉକ୍ତ ପୋଲ କାମ ନେଇଥିବା ଠିକା ସଂସ୍ଥା ଉପରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିମ୍ନମାନର କାର୍ଯ୍ୟ ପାଇଁ ପୋଲ ଭୁଶୁଡିପଡିଥିବା ସେମାନେ ଅଭିଯୋଗ କରି ସମ୍ପୃକ୍ତ ନିର୍ମାଣକାରୀ ସଂସ୍ଥା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ମଧ୍ୟ କରିଛନ୍ତି । ପୋଲଟି ପୁରୁଣା ହୋଇଯାଇଥିବାରୁ ଏହାର ମରାମତି ସହ ସମାନ୍ତରଳ ଭାବେ ଅନ୍ୟ ଏକ ନୂତନ ପୋଲ ପାଇଁ ସମ୍ପୃକ୍ତ ଠିକା କମ୍ପାନୀକୁ ଟେଣ୍ଡର ମିଳିଥିଲା । 2021ରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ନୂତନ ପୋଲ ପାଇଁ ଶିଳାନ୍ୟାସ ମଧ୍ୟ କରିଥିଲେ । ହେଲେ ନୂତନ ପୋଲ କାମ ଆରମ୍ଭ ହୋଇନଥିବା ବେଳେ ଏହି ଅସୁରକ୍ଷିତ ପୋଲର ନିମ୍ନମାନର କାମ କରି ସମ୍ପୃକ୍ତ ଠିକା ସଂସ୍ଥା ମରାମତି ସାରି ଦେଇଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଦେଶରେ ପୋଲ ଦୁର୍ଘଟଣା ବାରମ୍ବାର ଘଟିବାରେ ଲାଗିଛି । କେଉଁଠି ଅସୁରକ୍ଷିତ ପୋଲ ସାଙ୍ଗକୁ ଅତ୍ୟଧିକ ଭିଡ ତ, ଆଉ କେଉଁଠି ନୂତନ ପୋଲ ହୋଇଥିଲେ ସୁଦ୍ଧା ନିମ୍ନମାନର କାମ ଦୁର୍ଘଟଣାର କାରଣ ପାଲଟିବାରେ ଲାଗିଛି । ନିକଟରେ ଗୁଜୁରାଟ ମୋରବୀରେ ଏକ ପୂରାତନ ଝୁଲାପୋଲ ଭୁଶୁଡିପଡିବା ଘଟଣାରେ 135 ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା । ଯାହାପରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଅସୁରକ୍ଷିତ ପୋଲକୁ ନେଇ ଚିନ୍ତା ବଢିଥିଲା । ଗତବର୍ଷ ଡିସେମ୍ବର 22 ତାରିଖରେ ବିହାର ବେଗୁସରାଇ ଜିଲ୍ଲାରେ ମଧ୍ୟ ଏକ ନୂତନ ପୋଲର କିଛି ଅଂଶ ଲୋକାର୍ପିତ ହେବା ପୂର୍ବରୁ ଭୁଶୁଡି ପଡିଥିଲା । ଏବେ ପୁଣି ଦରଭଙ୍ଗାରେ ଏହି ପୋଲ ଭୁଶୁଡିବା ଘଟଣା ବିହାରରେ ନିର୍ମାଣ କାମର ମାନକୁ ନେଇ ପ୍ରଶ୍ନ ଉଠିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ