ମୁମ୍ବାଇ: ପ୍ରେମ ବ୍ୟାପାରରୁ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଅନ୍ୟ ଜଣେ ନାବାଳକକୁ ସର୍ବସାଧାରଣ ସ୍ଥାନରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି କିଛି ଯୁବକ । ଯାହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଘଟଣାଟି ବାନ୍ଦ୍ରା ରେଳ ଷ୍ଟେସନ (ଟର୍ମିନସ)ର ବୋଲି କୁହାଯାଉଛି । ଅଭିଯୋଗ ଅନୁସାରେ, ଉଭୟ ନାବାଳିକା ଓ ନାବାଳକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଏହି କାରଣରୁ ନାବାଳକଜଣଙ୍କ ନାବାଳିକାକୁ ଜୁଲାଇ 21 ତାରିଖରେ ଅପହରଣ କରି ନେଉଥିବା ସମୟରେ ତାକୁ କାବୁ କରିଥିଲେ କିଛି ଯୁବକ ।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ନାବାଳକ ପ୍ରେମୀ ଯୁଗଳଙ୍କୁ ବାନ୍ଦ୍ରା ଟର୍ମିନସରେ କାବୁ କରୁଛି ଯୁବକଙ୍କ ଏକ ଗୋଷ୍ଠୀ । ପରେ ନାବାଳକୁ ନିର୍ଧୂମ ମାଡ ମାରୁଛି ଏହି ଗୋଷ୍ଠୀ । ସାଙ୍ଗରେ ସମ୍ପୃକ୍ତ ନାବାଳିକାକୁ ମଧ୍ୟ ଅଣାଯାଉଛି । ନାବାଳିକା ଜଣଙ୍କ ଏହାକୁ ବିରୋଧ କରିବାକୁ ପ୍ରୟାସ ମଧ୍ୟ କରୁଛି । ଏହା ପରେ ଉଭୟଙ୍କୁ ଟର୍ମିନସ ବିଲ୍ଡିଂ ବାହାରକୁ ନିଆଯାଉଛି । ଏମାନଙ୍କୁ ପରେ ପୋଲିସରେ ହସ୍ତାନ୍ତର କରାଯାଇଥିବା ମଧ୍ୟ ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ:-ଟୋଲ ପ୍ଲାଜାରେ BJP ନେତାଙ୍କ ଦବଙ୍ଗଗିରି ! ଭିଡିଓ ଭାଇରାଲ
ଅନ୍ୟପଟେ ସ୍ଥାନୀୟ ଥାନାଧିକାରୀ କହିଛନ୍ତି, ଘଟଣାଟି ପ୍ରାୟ 1 ମାସ ତଳର । ନାବାଳିକାକୁ ଅପହରଣ କରାଯାଇଥିବା ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ କରିଥିଲା । ହେଲେ ଉଭୟଙ୍କୁ ବାନ୍ଦ୍ରା ଟର୍ମିନସରେ ଠାବ କରିବା ପରେ କିଛି ଯୁବକ ଉଭୟଙ୍କୁ ନିକଟସ୍ଥ ଥାନାରେ ହସ୍ତାନ୍ତର କରିଥିଲେ । ନାବାଳିକାକୁ ଅପହରଣ ଅଭିଯୋଗରେ ସମ୍ପୃକ୍ତ ନାବାଳକକୁ କୋର୍ଟରେ ହାଜର କରାଯାଇଥିଲା । ତାକୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁଧାର ଗୃହକୁ ମଧ୍ୟ ପଠାଯାଇଛି ।
ଏବେ ମାଡ ମରାଯିବାର ଭାଇରାଲ ହେଉଥିବା ଭିଡିଓଟି ସେହି ସମୟର ହୋଇଥାଇ ପାରେ । ଭିଡିଓଟି ମାସେ ତଳର । ଟର୍ମିନସରେ ସେମାନଙ୍କୁ କାବୁ କରାଯିବା ସମୟରେ ଏପରି ହୋଇଥାଇ ପାରେ ବୋଲି କହିଛନ୍ତି ସମ୍ପୃକ୍ତ ପୋଲିସ ଅଧିକାରୀ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରି ହିଂସା କରିଥିବା ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବତନ ବିଧାୟକ ୱାରିସ ପଠାନ ଏହି ଭିଡିଓକୁ ଟ୍ୱିଟ କରି ସମାଲୋଚନା କରିଛନ୍ତି । ସେ ମୁମ୍ବାଇ ପରି ସହରରେ ଏପରି ଘଟଣାକୁ କଡା ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ