କୋଲକାତା: ରାମ ନବମୀ ଆଖାଡ଼ାରେ ଖଣ୍ଡା ଧରି ଷ୍ଟଣ୍ଟ ମାରିଲେ ବିଜେପି ବିଧାୟକ ଅଜୟ ପୋଦ୍ଦର । ଷ୍ଟଣ୍ଟ ସହ ନୃତ୍ୟ କରିଥିବା ବେଳେ ତାଙ୍କ ଉପରେ ସମସ୍ତଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି । ରାମ ନବମୀଠାରୁ କୁଲତି ବିଧାନସଭା ମଣ୍ଡଳୀରେ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଉତ୍ସବରେ ଅନେକ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି । ଏହି ସମୟରେ ବିଧାୟକଙ୍କ ଏପରି ଅବତାରକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି ।
ମାତ୍ର ରାଜ୍ୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ମାରଣାସ୍ତ୍ର ଦେଖାଇବାକୁ ଅନୁମତି ନାହିଁ । ଏପରି ସ୍ଥଳେ ବିଜେପି ବିଧାୟକ ଖୁଲମଖୁଲା ଖଣ୍ଡା ଧରି ନୃତ୍ୟ କରିବାକୁ କିଛି ବିରୋଧ ମଧ୍ୟ କରିଛନ୍ତି । ହେଲେ କୁଲତି ବିଧାୟକ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, "ଆମ ହିନ୍ଦୁ ଦେବାଦେବୀମାନେ ଖଣ୍ଡା ଧାରଣ କରନ୍ତି । ଏପରିକି ଆମେ ଖଣ୍ଡାକୁ ପୂଜା ମଧ୍ୟ କରିଥାଉ । ରାମ ନବମୀ ପରେ ଏହି ଆଖାଡ଼ା ଅନୁଷ୍ଠିତ ହେବା ଏକ ପୁରୁଣା ପ୍ରଥା । ଏଣୁ ଧାର୍ମିକ କାର୍ଯ୍ୟରେ ଖଣ୍ଡା ଧରି ନାଚିବା କିଛି ଭୁଲ ନୁହେଁ । ହିନ୍ଦୁ ଧର୍ମାବଲମ୍ବୀ ଭାବେ ଏହାକୁ ଆମେ ସ୍ବାଗତ କରିବା ଉଚିତ।"
ଏହା ବି ପଢନ୍ତୁ- BBC ମୁଖା ଖୋଲିଦେଲା ଟ୍ୱିଟର୍ ! ମିଡିଆ ଜଗତରେ ଉଠିଲା ଝଡ
ସେ ଆହୁରି କହିଛନ୍ତି, "ମୁଁ ଅନ୍ୟ କୌଣସି ସ୍ଥାନରେ ଖଣ୍ଡା ଦେଖାଇନାହିଁ କି ଖଣ୍ଡା ଧରି ରାସ୍ତାଘାଟରେ ବୁଲୁ ନାହିଁ । ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ଘଟଣା ଘଟିଛି । ରାବଣର ବଦ୍ଧ ପରେ ତାକୁ ପୋଡ଼ା ଯାଇଥାଏ । ଏହାପରେ ସମସ୍ତେ ଉକ୍ତ ଅସ୍ତ୍ରକୁ ପୂଜା କରିଥାନ୍ତି । ଏହି ଗ୍ରାମରେ ଅନେକ ଦିନରୁ ଲୋକେ ପାଳନ କରିଆସୁଛନ୍ତି । ଏହା ଏକ ପୁରାତନ ପ୍ରଥା ବା ପରମ୍ପରା ।" ଏହି ଉତ୍ସବରେ ଅନେକ ମହିଳା ଓ ଛୋଟଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଛନ୍ତି । ସେପଟେ ଖଣ୍ଡା ଧରି ନୃତ୍ୟ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭାଇରାଲ ଭିଡିଓରେ ବିଜେପି ବିଧାୟକ ଅଜୟ ହାତରେ ୨ଟି ଖଣ୍ଡା ଧରି ଷ୍ଟଣ୍ଟ କରିବା ସହ ନୃତ୍ୟ ପରିବେଷଣ କରୁଛନ୍ତି । ଏହି ସମୟରେ ସେ କମଳା ରଙ୍ଗରେ ଏକ ପଗଡ଼ି ମଧ୍ୟ ପିନ୍ଧିଛନ୍ତି । ସେ ଏପରି ଅବତାର ଧାରଣ କରି ନୃତ୍ୟ କରୁଥିବା ବେଳେ କିଛି ଲୋକ ତାଙ୍କୁ ଘେରି ଠିଆ ହୋଇଥିବା ବେଳେ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ହେଲେ ଜନଗହଳି ସ୍ଥାନରେ ଏପରି ଖଣ୍ଡାକୁ ନେଇ ଅଜୟଙ୍କ ବିରୋଧରେ ନୂଆ ବିବାଦ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଏନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ନମାନି ବିଜେପି ବିଧାୟକ ଏପରି ଆଚରଣ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।