ଭୋପାଳ: ଶନିବାର ରାତିରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳର ବାଜରିଆ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦ୍ରୁତ ଗତିରେ ଆସୁଥିବା ଏକ କାର ହଠାତ୍ ଦୁର୍ଗା ବିସର୍ଜନ ଶୋଭାଯାତ୍ରାରେ ପ୍ରବେଶ କରିଥିଲା । ଯାହା ଫଳରେ ସେଠାରେ ଉପସ୍ଥିତ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଏପଟେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରି କାର ଡ୍ରାଇଭର ତାଙ୍କ କାରକୁ ପଛୁଆ ଚଲାଇବା ଆରମ୍ଭ କରିଥିଲେ । ଯଦ୍ବାରା ତିନିରୁ ଚାରି ଜଣ ଲୋକ ମଧ୍ୟ ତାଙ୍କ କାରରେ ଧକ୍କା ହୋଇଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସୂଚନା ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଏହି ଦୁର୍ଘଟଣାରେ ଜଣେ ଶିଶୁ ଆହତ ହୋଇଛନ୍ତି ।
ରାତି ପ୍ରାୟ 11.30 ସମୟରେ ଦୁର୍ଗା ବିସର୍ଜନ ଶୋଭାଯାତ୍ରା ଭୋପାଳ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର -1 ବାହାରେ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏଥିରେ ପ୍ରାୟ 4 ଜଣ ଲୋକ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତେବେ ଗାଡିର ନମ୍ବର ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କେବଳ ଧୂସର ରଙ୍ଗର ଗାଡି ଆଧାରରେ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।
ଏହି ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଯେଉଁଥିପାଇଁ ସେଠାରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି। ବିଳମ୍ବିତ ରାତିରେ ଲୋକମାନେ ଏହି ଘଟଣାକୁ ନେଇ ପୋଲିସ ଷ୍ଟେସନକୁ ମଧ୍ୟ ଘେରି ରହିଥିଲେ। ଘଟଣାର ସିସିଟିଭି ଫୁଟେଜ ମାଧ୍ୟମରେ ଗାଡି ଏବଂ ଡ୍ରାଇଭରକୁ ଖୋଜା ଚାଲିଛି। ଖୁବ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ କହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ