ଇନ୍ଦ୍ର ଶେଖର ସିଂହ
ବିଶ୍ବ ବାଣିଜ୍ୟ ସଂଗଠନ WTO ସହ ଚୁକ୍ତି ମୁତାବକ ସରକାର ତାରିଫ୍ ରେଟ୍ କୋଟା ସ୍କିମ୍ ଅଧିନରେ ସୀମା ଶୁଳକ 15 ପ୍ରତିଶତ ରିହାତିରେ 5 ଲକ୍ଷ ମେଟ୍ରିକ ଟନ୍ ମକାଜାତୀୟ ଖାଦ୍ୟଶସ୍ୟ ଏବଂ 10 ହଜାର ମେଟ୍ରିକ ଟନ୍ ଦୁଗ୍ଧ ଏବଂ ଦୁଗ୍ଧଜାତ ସାମଗ୍ରୀ ଆମଦାନୀ ପାଇଁ ଅନୁମତି ଦେଇଛନ୍ତି। ଆସନ୍ତୁ ଦେଖିବା ଭାରତୀୟ ମକାଚାଷୀଙ୍କ ଉପରେ କ’ଣ ରହିବ ଏହାର ପ୍ରଭାବ। ବିଶ୍ବ ବାଣିଜ୍ୟ କାରବାରରେ ସଦସ୍ୟ ରାଷ୍ଟ୍ର ଭାବେ ଭାରତ ବିଶ୍ବ ବାଣିଜ୍ୟ ସଂଗଠନ(WTO)ର ଚୁକ୍ତିର ସ୍ବାକ୍ଷର କରିଛି। ସାରା ବିଶ୍ବରେ ‘ମୁକ୍ତ-ବାଣିଜ୍ୟ’ କାରବାରରୁ ବଢାଇବା ପାଇଁ WTO ଏକ ବହୁ-ପାକ୍ଷିକ ଅନୁମୋଦିତ ସଂସ୍ଥା।
ଶୁଳକ, ଆମଦାନୀ ଶୁଳକ, ସବସିଡି ପ୍ରତ୍ୟାହାର ଆଦି ବାଣିଜ୍ୟିକ କଟକଣା ଦୂର କରିବା ଦିଗରେ ଏହି ସଂସ୍ଥା କାମ କରିଥାଏ। ଉନ୍ନତ ପାଶ୍ଚାତ୍ୟ ରାଷ୍ଟ୍ର ସହିତ ବ୍ୟାପକ ବୈଷମ୍ୟତା ରହିଥିବାରୁ ବିକାଶଶୀଳ ଓ ଦକ୍ଷିଣ ଏସୀୟ ରାଷ୍ଟ୍ର ଗୁଡିକ ନିର୍ଦ୍ଦିଷ୍ଟ ଏଜେଣ୍ଡା ସତ୍ତ୍ବେ ସେମାନଙ୍କ ଚାଷୀମାନଙ୍କ ପାଇଁ ରିହାତି ଦାବି କରିଥାନ୍ତି। ଏ କ୍ଷେତ୍ରରେ ଭାରତ ଦକ୍ଷିଣ ଆଫ୍ରିକୀୟ ଦେଶଗୁଡିକ ସହ ମିଶି ରିହାତି ପାଇଁ ଆନ୍ଦୋଳନର ନେତୃତ୍ବ ନେଇ ଆସୁଛି।
କିନ୍ତୁ ଅନେକ ଦିନ ହେଲା ଆମେରିକା ନେତୃତ୍ବରେ ଉନ୍ନତ ରାଷ୍ଟ୍ରଗୁଡିକ ଏହାକୁ ବିରୋଧ କରି ଆସୁଛନ୍ତି। ଅଥଟ ଆମେରିକା ଚାଷୀମାନେ ଆଗରୁ ଏବଂ ଏବେ ମଧ୍ୟ ବିଶ୍ବର ସବୁଠାରୁ ଅଧିକ ରିହାତି ପାଇ ଆସୁଛନ୍ତି। ଏପଟେ ବିକାଶଶୀଳ ରାଷ୍ଟ୍ରଗୁଡିକ ସେମାନଙ୍କ ଚାଷୀଙ୍କ ସୁରକ୍ଷା ପାଇଁ ଯେଉଁ ଶୁଳକ ଲାଗୁ କରୁଛନ୍ତି ସେଥିରୁ କିଛି ନିର୍ଦ୍ଦିଷ୍ଟ କୃଷିଜାତ ସାମଗ୍ରୀ ବାଦ୍ ଦେବାକୁ ଆମେରିକା ଚାହୁଁଛି। ସେମାନେ ଏବେ ଏକ ତାରିଫ ରେଟ୍ କୋଟା ସ୍କିମ୍ ଆରମ୍ଭ କରିଛନ୍ତି, ଏହାଦ୍ବାରା ସେମାନଙ୍କର କୃଷିଜାତ ସାମଗ୍ରୀ କିଣିବା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସେସବୁର ଆମଦାନୀ ଉପରେ ସୀମା ଶୁଳକ କମାଇବା ସହ ବଜାର ଖୋଲିବାକୁ ବ୍ୟବସ୍ଥା ରହିଛି।
ବାଣିଜ୍ୟ ଓ ଶୁଳକ ସମ୍ପର୍କିତ ସାଧାରଣ ରାଜିନାମା ବା ଗାଟ୍(GATT)ର ଧାରା 28କୁ ପାଳନ କରିବାକୁ ଯାଇ ଭାରତ ତାର ବଜାର ସୁବିଧା ଯୋଗାଇ ଦେବା ସହ ସାନି ଆମଦାନୀ ପାଇଁ ଅନୁମତି ଦେଇଛି। ଘରୋଇ ବଜାରରେ ଖାଦ୍ୟଶସ୍ୟ ଯେପରି ମହଜୁଦ ନରୁହେ, ସେଥିପ୍ରତି ଧ୍ୟାନ ଦେଇ ଭାରତ ଏବେ ମକା ଜାତୀୟ ଖାଦ୍ୟଶସ୍ୟ ଉପରେ ପ୍ରାୟ 50 ପ୍ରତିଶତ ଏବଂ ଅନ୍ୟ ଡାଲି ଜାତୀୟ ଖାଦ୍ୟଶସ୍ୟ ଉପରେ 40ରୁ 60 ପ୍ରତିଶତ ଆମଦାନୀ ଶୁଳକ ଲାଗୁ କରୁଛି।
ମକାଜାତୀୟ ଚାଷୀଙ୍କ ପାଇଁ ବର୍ତ୍ତମାନ ଭଲ ସମୟ ନଥିବା ବେଳେ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ବିହାରରେ ମକାଜାତୀୟ ରବି ଫସଲର ଦର ବହୁତ ତଳେ ରହିଛି, ଚାଷୀମାନେ ଏକର ପିଛା 20 ହଜାର ଟଙ୍କା କ୍ଷତି ସହିଥିବା ସୂଚନା ରହିଛି। ମକା ଦର ହଠାତ କମିବା ପାଇଁ ଏହାର ଅଧିକ ଉତ୍ପାଦନ, ଗଚ୍ଛିତ ରଖିବା ପାଇଁ ଭଣ୍ଡାର ଘର ଅଭାବ ଆଦି ଅନ୍ୟସବୁ କାରଣ ରହିଛି। ଭାରତୀୟ ଉପମହାଦେଶରେ ଦେଖା ଦେଇଥିବା ଫଲ୍ ଆର୍ମିଓର୍ମ(FAW) ନାମରେ ଏକ ନୂଆ ପୋକ ମକା ଉତ୍ପାଦନରେ ଏକ ପ୍ରମୁଖ ବିପଦ ସାଜିଛି। ବିହାର, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ବି ଏପରି ନୂଆ ପୋକ ନେଇ ଖବର ଆସୁଛି। ଯେତେପ୍ରକାର କୀଟନାଶକ ଔଷଧ ବ୍ୟବହାର କଲେ ସୁଦ୍ଧା ଏହି ପୋକକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଏହା ସମ୍ପୃକ୍ତ ଅଞ୍ଚଳରେ ମକା ଚାଷୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।
କୋଭିଡ-19 କାରଣରୁ ଲକଡାଉନ ପରବର୍ତ୍ତୀ ସମୟରେ ମକା ଦର ତଳକୁ ଖସିଯିବାରୁ ସାରା ଭାରତରେ ମକାଚାଷୀ ଆଶଙ୍କା ମଧ୍ୟରେ ଅଛନ୍ତି। କୁକୁଡା ଖାଦ୍ୟ ଭାବେ 60 ପ୍ରତିଶତ ମକା ବ୍ୟବହାର ହୋଇଥାଏ, ମଣ୍ଡ ବା ଖଳି ପ୍ରସ୍ତୁତକାରୀ ମଧ୍ୟ ମକାକୁ କଞ୍ଚାମାଲ ଭାବେ ବ୍ୟବହାର କରିଥାନ୍ତି। କୁକୁଡ଼ା ପାଳନ କ୍ଷେତ୍ର ମଧ୍ୟ କୋଭିଡ ମହାମାରୀରେ ଅନେକାଂଶରେ ପ୍ରଭାବିତ ହୋଇଛି ଏବଂ ଏହାର ଚାହିଦା ବି ଏବେ ବଢିବା ସମ୍ଭାବନା ନାହିଁ। ପରବର୍ତ୍ତୀ ଚ୍ୟାଲେଞ୍ଜ ହେଲା ଜେନେଟିକାଲି ମୋଡିଫାଇଡ କର୍ଣ୍ଣ ଯାହାକୁ ଜିଏମ ମକା କୁହାଯାଏ, ଯାହା ମୁଖ୍ୟତଃ ଆମଦାନୀ ହୋଇଥାଏ। ସାରା ବିଶ୍ବରେ ଜିଏମ ମକା ଭାରତରେ ଅମଳ ହେଉଥିବା ଅଣ ଜିଏମ ମକାଠାରୁ ଶସ୍ତାରେ ମିଳିଥାଏ।
ଏପରି ଅବସ୍ଥାରେ 5 ଲକ୍ଷ ମେଟ୍ରିକ ଟନ୍ ଜିଏମ ମକା ଆମଦାନୀ ହେଲେ ଏହା ଘରୋଇ ମକା ପାଇଁ ବିପଦ ସୃଷ୍ଟି କରିବ। ଏହା ହେଲେ ଦେଶରେ ମକାର ଦର ଆହୁରି ତଳକୁ ଖସିବ। ବ୍ରାଜିଲ ଏବଂ ଆମେରିକାରେ ସେମାନଙ୍କ ସରକାର ମକା ଚାଷୀଙ୍କୁ ରିହାତି ଦେଇ ମକା ଦରକୁ କୁତ୍ରିମ ଆକାରରେ ବଢାଉଛନ୍ତି। କଠୋର କଟକଣା ଅଭାବରୁ ଭାରତକୁ କିଛି ରାଷ୍ଟ୍ର ସେମାନଙ୍କର ବଳକା ଜିଏମ ମକା ପଠାଇବାକୁ ଟାର୍ଗେଟ କରୁଛନ୍ତି। ଭାରତର ମକା ଚାଷୀ ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ଯଦି ଆମଦାନୀ ହେବାକୁ ଥିବା ମକାରେ ଆଉ କିଛି ନୂଆ ପୋକ ଆସିଯାଏ ତେବେ ସ୍ଥାନୀୟ ମକା ଉପ୍ତାଦନ ନଷ୍ଟଭ୍ରଷ୍ଟ ହୋଇଯିବ ଏବଂ ଭାରତକୁ ଶେଷରେ ବିଦେଶୀ ମକା ଉପରେ ନିର୍ଭର କରିବାକୁ ପଡିବ।
ଯଦି ଆମେ ଏବେକାର ଖରିଫ ଚାଷ କଥା ଦେଖିବା, ଉତ୍ତର ଭାରତରେ ଏକର ଏକର ଜମିରେ ମକା ଚାଷ କରାଯାଉଛି। ବାସ୍ତବରେ ଅନେକ ପରିବା ଓ ଫୁଲ ଚାଷୀ ଏଥର ନିରାପଦରେ ରହିବା ପାଇଁ ମକା ଚାଷ କରୁଛନ୍ତି। ମକା ଚାଷ ହେଉଥିବା ମୋଟ ଜମି ଆକାର ବି ବୃଦ୍ଧି ପାଇଛି, ଏହା ଅର୍ଥ ଅମଳ ସମୟରେ ଅଧିକ ଉତ୍ପାଦନ କାରଣରୁ ପୁଣି ଦର ଦର କମିପାରେ। ଅକ୍ଟୋବର ଶେଷବେଳକୁ ଗୋଦାମଘର ଗୁଡ଼ିକ ଯଦି ଆମଦାନୀ ମକାରେ ଭର୍ତ୍ତି ହୋଇଯାଇଥିବା ତେବେ ସ୍ଥାନୀୟ ଚାଷୀ ସେମାନଙ୍କ ଉତ୍ପାଦିତ ମକା ରଖିବାକୁ ଜାଗା ପାଇବେ ନାହିଁ। ଏହା ବି ମନେ ରଖିବାକୁ ପଡ଼ିବ, ଏବେ ବେପାରୀଙ୍କ ଠାରୁ ଗଚ୍ଛିତ ସୀମା ହଟାଇ ନିଆଯାଇଛି ଏବଂ ଚାଷୀ ସିଧାସଳଖ ରପ୍ତାନିକାରୀଙ୍କୁ ବିକ୍ରି କରିପାରିବେ।
ଭାରତୀୟ ମକା ଜିଏମ ମକାଠାରୁ ଅଧିକ ମହଙ୍ଗା ହୋଇଥିବାରୁ ବିଦେଶୀ ମକା ଆସିଲେ ତାହା ଚାଷୀଙ୍କ ପାଇଁ କ୍ଷତିକାରକ ହେବ। ଚାଷୀ କିପରି ତାର ସର୍ବନିମ୍ନ ମୂଲ୍ୟ ପାଇବ ତାହା ବି ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଭାରତୀୟ ମକାର ଦରଠାରୁ ଶସ୍ତା ବିଦେଶୀ ମକା ଆମଦାନୀ ହେଲେ ଭାରତୀୟ ଚାଷୀଙ୍କ ପାଇଁ ଭବିଷ୍ୟତ ଅନ୍ଧାର ପାଲଟିବ। ଆଗାମୀ ଦିନରେ ମକା ଆମଦାନୀ ପାଇଁ ସରକାରଙ୍କ ନିଷ୍ପତ୍ତି କେବଳ ସମସ୍ୟା ସୃଷ୍ଟି କରିବ।
ନିର୍ଦ୍ଦେଶକ-ପଲିସି ଏଣ୍ଡ ଆଉଟରିଚ୍, ନ୍ୟାସନାଲ ସିଡ୍ ଆସୋସିଏସନ ଅଫ୍ ଇଣ୍ଡିଆ