ଚଣ୍ଡିଗଡ: ଦିନ ଦ୍ବିପ୍ରହରେ ବିଚ ରାସ୍ତାରେ ଜଣେ ମହିଳାଙ୍କୁ ନିସ୍ତୁକ ପିଟୁ ଥିଲେ ଯୁବକ ଜଣକ । ସାଥୀରେ ଥିଲେ କିଛି ସହଯୋଗୀ । ବାରମ୍ବାର ମାଡରୁ ରକ୍ଷା ପାଇବାକୁ ମହିଳା ଜଣଙ୍କ ଚେଷ୍ଟା କଲେ ବି ମାଡ ବଢୁଥିଲା ପଛେ କମୁନଥିଲା । ଦେଖୁ ଦେଖୁ ମହିଳାଙ୍କୁ ବଞ୍ଚାଇବା ପାଇଁ ଆସିଥିବା ମହିଳାଙ୍କ ଉପରେ ମଧ୍ୟ ଆରମ୍ଭ ହୋଇଥିଲେ ନିର୍ଦ୍ଧୁମ ମାଡ । ଏ ହେଉଛି ମୁକ୍ତସରର ଘଟଣା । ଯେଉଁଠାରେ ଏଭଳି ବର୍ବରତାର କାଣ୍ଡ ଭିଆଇଥିଲେ ସ୍ଥାନୀୟ କଂଗ୍ରେସ ନେତାଙ୍କ ଭାଇ ।
ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ନେତାଙ୍କ ଭାଇର ଗୁଣ୍ଡାଗର୍ଦ୍ଦିର ଅସଲ ଚେହେରା । ସୂଚନା ଅନୁଯାୟୀ ପଇସା ଦିଆନିଆରୁ ଆରମ୍ଭ ଏହି ଝଗଡା କ୍ରମଶଃ ଉଗ୍ର ରୂପ ନେଇ ଗଣ୍ଡଗୋଳରେ ପରିଣତ ହୋଇଥିଲା । ତେବେ ଭିଡିଓରେ ଦେଖିବାକୁ ମିଳିଛି କି ମ୍ୟୁନିସିପାଲ କର୍ପୋରେଶନ କାଉନସିଲର ରାକେଶ ଚୌଧୁରୀଙ୍କ ଭାଇଙ୍କ ବର୍ବରତା ।
ସେ ପ୍ରଥମେ ଜୋରଜବରଦସ୍ତ ମହିଳା ଜଣଙ୍କୁ ଘରୁ ଘୋଷାଡି ବାହାରକୁ ଆଣିଥିଲେ । ଏହାପରେ ବାଡି ଓ ବେଲ୍ଟରେ ମହିଳାଙ୍କୁ ପ୍ରହାର କରିବା ଆରମ୍ଭ କରିଥିଲେ । କିଛି ସମୟ ନୀରବ ହୋଇ ଦେଖିବା ପରେ ସାଥିରେ ଥିବା ସହଯୋଗୀମାନେ ମଧ୍ୟ ଆସି ମହିଳା ଜଣଙ୍କୁ ମାରିବା ଆରମ୍ଭ କରିଥିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଜଣେ ମହିଳା ପୀଡିତାଙ୍କୁ ରକ୍ଷା କରିବାକୁ ଆଗେଇ ଆସିଥିଲେ । ହେଲେ ସେ ବି ଅଭିଯୁକ୍ତର କ୍ରୋଧର ଶିକାର ହୋଇ ମାଡ ଖାଇଥିଲେ ।
ମହିଳାଙ୍କୁ ମାଡ ମରାଯାଉଥିବା ବେଳେ ପାଖରେ ତାଙ୍କର 5ବର୍ଷର ପୁଅ ଏହାକୁ ଦେଖ ଭୟରେ କାନ୍ଦୁଥିଲା । ହେଲେ ପିଲାଟିର ବିକଳ କାନ୍ଦ ଦେଖି ବି ନରମି ନଥିଲା ଅଭିଯୁକ୍ତ । ତେବେ ଘଟଣାଟି ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ପଚରା ଉଚୁରା ଜଣା ପଡିଥିଲା କି ପୀଡିତା ଜଣଙ୍କ ଅଭିଯୁକ୍ତଠାରୁ 23ହଜାର ଟଙ୍କା ଧାର ଆଣିଥିଲେ । ହେଲେ ସମୟରେ ସେସବୁ ଫେରାଇ ନପାରିବାର ଉତ୍ତ୍ୟକ୍ତ ହୋଇ ନେତାଙ୍କ ଭାଇ ଏପରି କାଣ୍ଡ ଘଟାଇଥିଲେ ।
ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଅଭିଯୁକ୍ତ ସୁରେଶ ଚୌଧୁରୀ ଏବଂ ସହଯୋଗୀ ରୁପ ଲାଲ, ସନ୍ନି ଚୌଧୁରୀ, ଗୁଡ୍ଡି, ଶେଖୁ ଓ ଜେବୋଙ୍କ ବିରୋଧରେ ଆଇପିସି ଧାରା 307, 452, 354, 354 ବି, 120 ବି ଆଧାରରେ ମାମଲା ରୁଜୁ କରାଯାଇଛି । ତେବେ ଅଭିଯୁକ୍ତମାନଙ୍କ ଯଥାଶୀଘ୍ର ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ସୂଚନା ଦେଇଛି ପୋଲିସ ।