ଥିରୁଅନନ୍ତପୁରମ: କେରଳର ମାଲାପୁରମ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଲାପୁରମ ଜିଲ୍ଲାର ପୋଥୁକାଲ ନେଟ୍ଟିକୁଲମ ଅଞ୍ଚଳରେ ଜଣେ ମହିଳା ନିଜର 3 ଜଣ ପୁଅଙ୍କ ସହ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ନେଟ୍ଟିକୁଲମ ଅଞ୍ଚଳର ମୁଥୁପୁରେଦାଥରେ ନିଜ ସ୍ବାମୀଙ୍କ ସହ ରହୁଥିଲେ। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସେନେଇ କୌଣସି ସୂଚନା ମିଳି ପାରିନାହିଁ।
ସ୍ଥାନୀୟ ଲୋକଙ୍କ ମୁତାବକ ଗତ 6 ମାସ ତଳେ ନେଟିକୁଲମରେ ବିନେଶ ଶ୍ରୀଧରଣ ନାମକ ଜଣେ ବ୍ୟକ୍ତି ନିଜ ଧର୍ମପତ୍ନୀଙ୍କ 3 ଜଣ ପୁଅଙ୍କୁ ନେଇ ଏଠାରେ ରହି ଆସୁଥିଲେ। ତେବେ ଆଜି(ରବିବାର) ସକାଳୁ ଏହି ପରିବାର ଲୋକେ ଘର କବାଟ ନଖୋଲିବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହାପରେ ଏହାକୁ ନେଇ ଲୋକେ ନଟ୍ଟିକୁଲମ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା। ତେବେ ସେଠାରେ ପୋଲିସ 3 ଜଣ ନାବାଳାକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ଏହାପରେ ଘର ପଛପଟେ ବିନେଶ ଶ୍ରୀଧରଣଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇଥିଲା।
ଗୁରୁତର ଅବସ୍ଥାରେ 4 ଜଣଙ୍କୁ ସ୍ଥାନୀୟ ନିଳାମ୍ବର ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି। ମୃତକମାନେ ହେଉଛନ୍ତି ବିନେଶ ଶ୍ରୀଧରଣଙ୍କ ପତ୍ନୀ ରାହମା, ରାହାମାଙ୍କ 3ପୁ୍ଅ ଆଦିତ୍ୟନ, ଅନାନ୍ଦୁ ଓ ଅର୍ଜୁନ। ପୋଲିସ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଘଟଣାକୁ ନେଇ ଶ୍ରୀଧରଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପାରିବାରିକ କଳହରୁ ରାହାମା ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ