ନୂଆଦିଲ୍ଲୀ: ଗତ 24 ଘଣ୍ଟା ମଧ୍ୟରେ ଭାରତରେ 505ଟି କୋରୋନା ପଜିଟିଭ ଚିହ୍ନଟ ହେବାପରେ ମୋଟ ପଜିଟିଭଙ୍କ ସଂଖ୍ୟା 3500କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ମୋଟ ମାମଲା ରବିବାର ସୁଦ୍ଧା 3,577କୁ ବୃଦ୍ଧି ପାଇଥିବା ବେଳେ ଏପର୍ଯ୍ୟନ୍ତ 83 ଜଣଙ୍କର ମୃତ୍ୟୁ ହୋଇଛି ।
ବିଭିନ୍ନ ରାଜ୍ୟମାନଙ୍କରେ ମଧ୍ୟ ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ଏହି ସଂଖ୍ୟା 748ରେ ପହଞ୍ଚିଛି । ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇରେ 29ଟି ପଜିଟିଭ ମାମଲା, ପୁଣେରେ 17, ପିସିଏମସିରେ 4, ଅହମ୍ମଦନଗର 3, ଔରଙ୍ଗାବାଦରେ 2ଟି ପଜିଟିଭ ମାମଲା ରିପୋର୍ଟ ହୋଇଛି । ଉତ୍ତରପ୍ରଦେଶରେ ଚାରୋଟି ନୂଆ କୋରୋନା ପଜିଟିଭ ମାମଲା ଆଜି ରିପୋର୍ଟ ହୋଇଛି, ଯାହା ରାଜ୍ୟରେ ମୋଟ ପୀଡିତ ସଂଖ୍ୟାକୁ 26 କୁ ନେଇଛି । ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଚାରି ଜଣଙ୍କୁ ଚିକିତ୍ସା କରାଯାଇ ଡିସଚାର୍ଜ କରାଯାଇଛି ।
ଆଜି ଲୁଧିଆନା, ଏସନାଗର ଏବଂ ବର୍ଣ୍ଣାଲାରେ ତିନୋଟି ମାମଲା ରିପୋର୍ଟ ହେବା ପରେ ପଞ୍ଜାବରେ ମୋଟ କୋରୋନା ଭାଇରସ ପଜିଟିଭ ମାମଲା 68କୁ ବୃଦ୍ଧି ପାଇଛି । ଲୁଧିଆନାରେ ପଜିଟିଭ ଥିବା ବ୍ୟକ୍ତି ଦିଲ୍ଲୀର ତବଲିଗୀ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସୂଚନା ମିଳିଛି | କାଶ୍ମୀରରେ 14 ଟି ନୂଆ ମାମଲା ସହିତ ଜମ୍ମୁ କାଶ୍ମୀରରେ ମୋଟ ପଜିଟିଭ ସଂଖ୍ୟା ବର୍ତ୍ତମାନ 106ରେ ପହଞ୍ଚିଛି । କାଶ୍ମୀରରେ ସକ୍ରିୟ 82ଟି ସକ୍ରିୟ ମାମଲା ରହିଥିବା ବେଳେ ଏବଂ ଜମ୍ମୁରେ 18 ଜଣ ସକ୍ରିୟ ରହିଛନ୍ତି । ଏନେଇ ଜମ୍ମୁର ମୁଖ୍ୟ ସଚିବ ରୋହିତ କାନସାଲ କହିଛନ୍ତି ।
ତାମିଲନାଡୁରେ ଆଜି 86 ଟି COVID-19 ପଜିଟିଭ ମାମଲା ରିପୋର୍ଟ ହୋଇଛି । ଯେଉଁଥିରୁ 85 ଜଣ ଦିଲ୍ଲୀର ନିଜାମୁଦ୍ଦିନ ମର୍କାଜରେ ତବଲିଗୀ ଜମାତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବୋଲି ତାମିଲନାଡୁର ସ୍ବାସ୍ଥ୍ୟ ସଚିବ ବେଲା ରାଜେଶ କହିଛନ୍ତି । ସେହିପରି ତାମିଲନାଡୁରେ 571 ଟି COVID ପଜିଟିଭ ମାମଲା ରହିଥିବା ବେଳେ 522ଟି ମାମଲା ଦିଲ୍ଲୀର ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଲୋକଙ୍କର ବୋଲି ସେ କହିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ ମାମଲା 122 ରହିଛି । ଆଜି 9ଟି ପଜିଟିଭ ମାମଲା ମିଳିଥିବା ନେଇ ଇନ୍ଦୋର ମୁଖ୍ୟ ଚିକିତ୍ସା ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡ.ପ୍ରବୀଣ ଜାଦିଆ କହିଛନ୍ତି ।
@ANI