“ମଣିଷ ଦ୍ବାରା ମଳ ସଫା କରିବା ହେଉଛି ନିକୃଷ୍ଟ କାମ, ଏପରି କରିବାରେ ଜଣେ ବ୍ୟକ୍ତିଠାରୁ ତା’ର ମାନବତାକୁ ଛଡ଼ାଇ ନିଆଯାଏ। ଏପରି କାମ ସମ୍ପର୍କରେ କିଛି ଧାର୍ମିକ ଅବତାରଣା ନାହିଁ “ବୋଲି ଭାରତର ସମ୍ବିଧାନ ପ୍ରଣେତା ଡଃ ବାବାସାହେବ ଆମ୍ବେଦକର ଚେତାବନୀ ଦେଇଥିଲେ। ଭାଙ୍ଗି ଝାଡୁ ଛୋଡୋ (ଝାଡୁ ପରିହାର କର) ସ୍ଲୋଗାନ ଦେଇ ସେ ତୁରନ୍ତ ମଣିଷ ଦ୍ବାରା ମଳ ସଫା କରିବା କାମ ବା ମେହେନ୍ତର ପ୍ରଥା ବର୍ଜନ କରିବାକୁ ସଂଗ୍ରାମ କରିଥିଲେ। ଏଭଳି ଘୃଣ୍ୟ ପେଶାର ପ୍ରଚଳନକୁ ସେ ସର୍ବଦା ପ୍ରତ୍ୟାଖ୍ୟାନ କରି ଆସୁଥିଲେ। ଦଶନ୍ଧି ପରେ ଦଶନ୍ଧି ବିତିଗଲାଣି, ତଥାପି ଏବେ ବି ଭାରତରେ ମଣିଷଙ୍କ ଦ୍ବାରା ମଳ ସଫା କାମ ଅନେକ ସ୍ଥାନରେ କରାଯାଉଛି। ମେହେନ୍ତର ପ୍ରଥାର ଉଚ୍ଛେଦ ପାଇଁ ଦେଶରେ କଠୋର ଆଇନ ବ୍ୟବସ୍ଥା ଥିଲେ ସୁଦ୍ଧା ଏହା ଏ ଦିଗରେ ଯଥେଷ୍ଟ ପ୍ରମାଣିତ ହେଉନାହିଁ। 2013ରେ କେନ୍ଦ୍ର ସରକାର ମେହନ୍ତର ନିଯୁକ୍ତି ନିଷିଦ୍ଧ କରିବା ସହିତ ସେମାନଙ୍କର ଥଇଥାନ ପାଇଁ ଏକ ଆଇନ ପ୍ରଣୟନ କରିଥିଲେ, କିନ୍ତୁ ଏହା ଏଯାଏଁ ପୂରା ମାତ୍ରାରେ କାର୍ଯ୍ୟକାରୀ କରାଯାଇପାରିନାହିଁ। ସରକାର ଏବେ 2020ରେ ସଂସଦର ମୌସୁମୀ ଅଧିବେଶନରେ ଦି ପ୍ରହିବିସନ ଅଫ ଏମ୍ପ୍ଲୟମେଣ୍ଟ ଆଜ ମ୍ୟାନୁଆଲ ସ୍କାଭେଞ୍ଜର୍ସ ଏଣ୍ଡ ଦେୟାର ରିହାବିଲିଟେସନ (ଆମେଣ୍ଡମେଣ୍ଟ) ବିଲ ଆଗତ କରିବାକୁ ଯୋଜନା ରଖିଛନ୍ତି। ବର୍ତ୍ତମାନ କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷ ପାଇଖାନା ଟାଙ୍କି କିମ୍ବା ନଳା ସଫା ଭଳି ବିପଜ୍ଜନକ କାମରେ ଯଦି କୌଣସି ବ୍ୟକ୍ତିଙ୍କୁ ନିୟୋଜିତ କରନ୍ତି ତେବେ ତାଙ୍କୁ 5 ବର୍ଷ ଜେଲଦଣ୍ଡ କିମ୍ବା 5 ଲକ୍ଷ ଟଙ୍କା ଯାଏଁ ଜୋରିମାନା କିମ୍ବା ଆବଶ୍ୟକ ସ୍ଥଳେ ଉଭୟ ଦଣ୍ଡରେ ଦଣ୍ଡିତ କରିବାର ବ୍ୟବସ୍ଥା ରହିଛି। ନୂଆ ବିଧେୟକରେ ଦଣ୍ଡବିଧାନକୁ ଆହୁରି କଠୋର କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି।
ସମାଜର ଉତ୍ପୀଡ଼ିତ ବର୍ଗର ଲୋକେ ମଣିଷ ମଳ ସଫା କରିବା କାମରେ ନିୟୋଜିତ ହୋଇ ଆସୁଛନ୍ତି। ଶୌଚ ଅନେକ ବ୍ୟବସ୍ଥାରେ ପରିବର୍ତ୍ତନ ସତ୍ତ୍ବେ ସେମାନଙ୍କର ଜୀବନଧାରଣ ଅବସ୍ଥାରେ ସେତେଟା ପରିବର୍ତ୍ତନ ହେଉନାହିଁ। ପୀଢି ପରେ ପୀଢ଼ି ସେମାନେ ଓ ସେମାନଙ୍କ ପରିବାର ପାଇଖାନା ଟାଙ୍କି, ନାଳ ଆଦି ସଫା କରିବା ଭଳି ନିକୃଷ୍ଟ କାମ କରି ଆସୁଛନ୍ତି। ପ୍ରତିବର୍ଷ ପାଇଖାନା ଟାଙ୍କି ସଫା କରିବା ଘଟଣାରେ ଶହ ଶହ ମେହେନ୍ତରଙ୍କର ମୃତ୍ୟୁ ଘଟୁଛି। କେବଳ 2019ରେ 119 ଜଣ ଶ୍ରମିକ ପ୍ରାଣ ହରାଇଥିଲେ। 2016ରୁ 2019 ମଧ୍ୟରେ ଦେଶବ୍ୟାପୀ ବିଭିନ୍ନ ଘଟଣାରେ 282 ଜଣ ସଫେଇ କର୍ମଚାରୀ ପାଇଖାନା ଟାଙ୍କି ଏବଂ ନାଳ ସଫା କରିବା ବେଳେ ମୃତ୍ୟୁମୁଖରେ ପଡିଛନ୍ତି। ସଫାଇ କର୍ମଚାରୀ ଆନ୍ଦୋଳନ (ଏସକେଏ)ର ଅଭିଯୋଗ ହେଲା ଏହି ସଂଖ୍ୟା କେବଳ ଥାନାରେ ହୋଇଥିବା ରିପୋର୍ଟ ଉପରେ ଆଧାରିତ, କିନ୍ତୁ ପ୍ରକୃତ ସଂଖ୍ୟା ଏହାଠାରୁ ଯଥେଷ୍ଟ ଅଧିକ। ସଫେଇ କର୍ମଚାରୀଙ୍କ ପାଇଁ ଥିବା ଜାତୀୟ କମିସନ (ଏନସିଏସକେ) ହେଉଛି ପରିମଳ ଶ୍ରମିକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏକ ବିଧିବଦ୍ଧ ସଂସ୍ଥା। ଏହି ସଂସ୍ଥା ଦେଇଥିବା ରିପୋର୍ଟ ମୁତାବକ ଜାନୁଆରିରୁ ଅଗଷ୍ଟ 2017 ମଧ୍ୟରେ ସେପ୍ଟିକ ଟ୍ୟାଙ୍କ ଏବଂ ମ୍ୟାନହୋଲ ସଫା କରିବା ବେଳ ଦୁର୍ଘଟଣାରେ 127 ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଏସକେଏ କରିଥିବା ଆକଳନରେ ସେହି ସମୟ ମଧ୍ୟରେ କେବଳ ନ୍ୟାସନାଲ କ୍ୟାପିଟାଲ ରିଜିଅନରେ 429 ଜଣ ପରିମଳ ଶ୍ରମିକଙ୍କର ମୃତ୍ୟୁ ଘଟିଛି।
1993ରୁ ହିଁ କେନ୍ଦ୍ର ସରକାରଙ୍କ ଦି ଏମ୍ପ୍ଲୟମେଣ୍ଟ ଅଫ ମ୍ୟାନୁଆଲ ସ୍କାଭେଞ୍ଜର୍ସ ଏଣ୍ଡ କନଷ୍ଟ୍ରକସନ ଅଫ ଡ୍ରାଏ ଲାଟ୍ରିନ (ପ୍ରହିବିସନ) ଆଇନ ଗୃହୀତ ହୋଇଛି। କିନ୍ତୁ ରାଜ୍ୟ ସରକାରମାନେ ଏହି ଆଇନକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ଆସିଛନ୍ତି। ଏସକେଏର ଜାତୀୟ ଆବାହକ ତଥା ରମଣ ମାଗାସେସେ ପୁରସ୍କାର ବିଜେତା ବେଜାୱାଡା ୱିଲସନଙ୍କ କହିବା କଥା ହେଲା, 2013 ଆଇନରେ ସଫେଇ ଶ୍ରମିକମାନଙ୍କ ଥଇଥାନ ସମ୍ପର୍କରେ କିଛି ସ୍ପଷ୍ଟ ନିର୍ଦ୍ଦେଶାବଳୀ ଉଲ୍ଲେଖ କରାଯାଇନାହିଁ। ଯେତେବେଳେ ଏହି ଆଇନ ପ୍ରଥମେ ଲାଗୁ କରାଯାଇଥିଲା ସରକାର ମେହେନ୍ତର ପ୍ରଥା ଉଚ୍ଛେଦ କରିବା ସହ ସଫେଇ ଶ୍ରମିକଙ୍କ ଥଇଥାନ ପାଇଁ ସେଥିରେ ପ୍ରସ୍ତାବ ରଖିଥିଲେ। ପ୍ରକଳ୍ପର ମୋଟ ଖର୍ଚ୍ଚ ଅଟକଳ 4 ହଜାର 825 କୋଟି ଟଙ୍କା ଥିଲା ଏବଂ ଆଇନ ପ୍ରଣୟନ କରାଯିବାର 9 ମାସ ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ କରାଯିବାକୁ ଧାର୍ଯ୍ୟ ହୋଇଥିଲା। ହେଲେ ଏହି ପାଣ୍ଠି ଯୋଗାଇ ଦେବାରେ ସରକାରଙ୍କ ବିଫଳତା ଥିଲା ଆଇନ କାର୍ଯ୍ୟକାରୀ ନହେବାରୁ ପ୍ରମୁଖ କାରଣ।
ନିତି ଆୟୋଗର ଏକ ସର୍ଭେ ଅନୁଯାୟୀ, ଦେଶର 18ଟି ରାଜ୍ୟ ଏବଂ 170 ଟି ଜିଲ୍ଲାରେ 54 ହଜାର 130 ଜଣ ସଫେଇ ଶ୍ରମିକ ଭାବେ କାମ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ ରାଜ୍ୟସଭାରେ ଏହି ତଥ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ତ୍ରୁଣମୂଳ ସ୍ତରରେ କାମ କରୁଥିବା ସ୍ବେଚ୍ଛାସେବୀଙ୍କ ଦାବି ହେଲା ପ୍ରକୃତ ଶ୍ରମିକଙ୍କ ସଂଖ୍ୟା ଲକ୍ଷାଧିକ ହେବ। 2011 ଜନଗଣନା ରିପୋର୍ଟ ମୁତାବକ ଦେଶରେ ସେସମୟରେ ଦେଶରେ 21 ଲକ୍ଷ ଡ୍ରାଏ ଲ୍ୟାଟ୍ରିନ ଥିଲା ଯାହାକୁ ସଫା କରିବା ପାଇଁ ମେହେନ୍ତର ଆବଶ୍ୟକ। ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ରିପୋର୍ଟରୁ ପ୍ରକାଶ ଯେ, 1992ରେ ଦେଶରେ ସଫେଇ ଶ୍ରମିକଙ୍କ ସଂଖ୍ୟା 5.88 ଲକ୍ଷ ଥିବା ବେଳେ ଏହା 2002-03ରେ 6.76 ଲକ୍ଷରେ ପହଞ୍ଚିଛି। ଏହା ପରବର୍ତ୍ତୀ ବର୍ଷରେ ଏହି ସଂଖ୍ୟା ପହଞ୍ଚିଥିଲା 8 ଲକ୍ଷରେ ।
କେନ୍ଦ୍ର ସରକାର ଏବେକାର ସ୍ୟୁଏଜ ସିଷ୍ଟମର ଆଧୁନିକୀକରଣ ପାଇଁ ଯୋଜନା କରୁଛନ୍ତି ଏବଂ ଯନ୍ତ୍ରଚାଳିତ ପରିମଳ ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛନ୍ତି। ଏଥିପାଇଁ ସ୍ଥାନୀୟ ସଂଗଠନଗୁଡ଼ିକ ଆଗୁଆ ପ୍ରସ୍ତୁତ ହୋଇ ରହିବା ଉଚିତ ଏବଂ ନାଗରିକମାନେ ମଧ୍ୟ ଏ ଦିଗରେ ଶିକ୍ଷିତ ହେବା ଜରୁରୀ। ଏବେ ସଂଶୋଧିତ ଆଇନ କେବଳ ଯେ ଅଧିକ କଡ଼ାକଡ଼ି ଲାଗୁ ହେବ ତାନୁହେଁ, ଏପରି ଏକ ସାମାଜିକ ବ୍ୟାଧୀର ଅବସାନ ପାଇଁ ଆଇନର ଖିଲାପକୁ ଆଦୌ ସୁଯୋଗ ଦିଆଯିବ ନାହିଁ।