ହାଇଦ୍ରାବାଦ: ଅବସର ଗ୍ରହଣ ପରବର୍ତ୍ତୀ ଯୋଜନା ଓ ପ୍ରସ୍ତୁତି କଥା ବିଚାରକୁ ନେଲେ ଭାରତର ଭିନ୍ନତା ସୁସ୍ପଷ୍ଟ । ଭାରତୀୟମାନେ ଶୀଘ୍ର ଅବସର ଗ୍ରହଣ କରି ସେମାନଙ୍କ ଭାବାବେଗ ସହ ସଂପୃକ୍ତ ଜୀବନର କେତେକ ଲକ୍ଷ୍ୟ ହାସଲ କରିବାକୁ କିମ୍ବା ଏକ ସେବା ମନୋଭାବ ସଂପନ୍ନ ଚିନ୍ତାଧାରା କାର୍ଯ୍ୟକାରୀ କରାଇବାକୁ ଚାହୁଁଥିବା ବେଳେ, ସେମାନଙ୍କ ଅବସର ଗ୍ରହଣ ପରବର୍ତ୍ତୀ ଲକ୍ଷ୍ୟସାଧନ ଦିଗରେ କେତେକ ଦୋଷତ୍ରୁଟି ପରିଲକ୍ଷିତ ହୁଏ ।
ଆଉ ମହିଳାମାନଙ୍କ କ୍ଷେତ୍ରରେ, ବିଶେଷତଃ କର୍ମଜୀବୀ ମହିଳାମାନଙ୍କ କ୍ଷେତ୍ରରେ ଏହା ଆହୁରି ଅଧିକ ଅନୁଭୂତ ହୁଏ । ବିଭିନ୍ନ ରିପୋର୍ଟରୁ ସୂଚନା ମିଳେ ଯେ, ଅବସର ଗ୍ରହଣ ପ୍ରସଙ୍ଗରେ ମହିଳାମାନଙ୍କ ଆର୍ଥିକ ପ୍ରସ୍ତୁତି, ପୁରୁଷମାନଙ୍କ ତୁଳନାରେ କମ୍ ଏବଂ ଅବସର ପରବର୍ତ୍ତୀ ଜୀବନର ଆବଶ୍ୟକତା ପୂରଣ ପାଇଁ ସେମାନେ ସୁସଂହତ ପ୍ରସ୍ତୁତି କରି ନ ଥାଆନ୍ତି ।
ବିଶେଷତଃ, ଚଳିତ ସହସ୍ରାବ୍ଦୀରେ ଜନ୍ମଗ୍ରହଣ କରିଥିବା ଯୁବପିଢ଼ି ପାଇଁ ଅବସର ଗ୍ରହଣ, ଜୀବନର ଏକ ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ରୂପେ ବିବେଚିତ ହେଉଥିବାବେଳେ ମହିଳାମାନେ ଏବଂ କର୍ମଜୀବୀ ମହିଳାମାନେ ସେମାନଙ୍କ ଅବସର ପରବର୍ତ୍ତୀ ଜୀବନ ସଂପର୍କରେ କାହିଁକି ଯୋଜନା କରିବା ଉଚିତ, ତାହାର ଅନେକ କାରଣ ରହିଛି । ସେଥିରୁ କେତେକ ପ୍ରମୁଖ କାରଣ ହେଲା ଲିଙ୍ଗ, ବେତନରେ ବ୍ୟବଧାନ, ପାରିବାରିକ ପ୍ରସଙ୍ଗ, ଜୀବନ ଧାରଣର ସମ୍ଭାବନା । ଏଠାରେ ମୁଁ ପ୍ରତିଟି କାରଣ ଉପରେ ଆଲୋକପାତ କରିବା ସହିତ କାହିଁକି ମହିଳାମାନେ ଅବସର ଗ୍ରହଣ ପରେ ଜୀବନର ଲକ୍ଷ୍ୟ ହାସଲ ଲାଗି ଅଧିକ କାର୍ଯ୍ୟକ୍ଷମ ଯୋଜନା କରିବା ଦରକାର ସେ ସଂପର୍କରେ ଆଲୋଚନା କରୁଛି ।
ଆର୍ଥିକ ବ୍ୟବଧାନ
ଉଭୟ ଲିଙ୍ଗ ମଧ୍ୟରେ ବେତନର ବ୍ୟବଧାନ ଏକ ବାସ୍ତବ କଥା- ଏବଂ ଏହାର ଅର୍ଥ ହେଉଛି, ପୁରୁଷମାନଙ୍କ ତୁଳନାରେ ମହିଳାମାନେ ଅଳ୍ପ ଟଙ୍କା ସଞ୍ଚୟ କରିବାରେ ସକ୍ଷମ ।
ଲିଙ୍ଗଭେଦରେ ବେତନ ବ୍ୟବଧାନ ବ୍ୟତିରେକ, ମହିଳାମାନେ ପିଲାମାନଙ୍କର କିମ୍ବା ବୟସ୍କ ସଂପର୍କୀୟମାନଙ୍କର ଯତ୍ନ ନେବା ସକାଶେ କାର୍ମିକ ଜୀବନରୁ ଅଧିକ ବିରତି ନେବା ସମ୍ଭାବନା ରହିଛି । ଯଦିଚ ଅଧିକରୁ ଅଧିକ ପୁରୁଷ ସେବାକାରୀ ଭୂମିକାକୁ ବହୁଳ ମାତ୍ରାରେ ଆଦରି ନେଉଥିବା ଲକ୍ଷ୍ୟ କରାଯାଉଛି, ତଥାପି, ମୁଖ୍ୟ ରୂପରେ ଏହା ମହିଳାମାନଙ୍କ ଦ୍ବାରା ଗ୍ରହଣୀୟ ଭୂମିକା ହୋଇ ରହିଆସିଛି ।
ଚାକିରି ଜୀବନରେ ଏଭଳି ବିରତି ହୁଏତ ମହିଳାମାନଙ୍କ ଅବସର ଗ୍ରହଣ ପରବର୍ତ୍ତୀ ସମୟ ଦିଗରେ ପ୍ରସ୍ତୁତି ଉପରେ ଗମ୍ଭୀର ପ୍ରତିକୂଳ ପ୍ରଭାବ ପକାଇପାରେ । ବିଶେଷତଃ ଯଦି ଆପଣ 35ରୁ 45 ବର୍ଷ ବୟସ ମଧ୍ୟରେ ଚାକିରି ଜୀବନରୁ ବିରତି ନିଅନ୍ତି । କାରଣ, ଏହା ସେହି ସମୟ, ଯେଉଁ ସମୟରେ ଅନେକ କର୍ମଜୀବୀ ମହିଳା ପାରିବାରିକ ଜୀବନ ଆରମ୍ଭ କରନ୍ତି ଏବଂ ସେମାନଙ୍କର ବାର୍ଷିକ ଉପାର୍ଜନ ସର୍ବୋଚ୍ଚ ସ୍ତରରେ ରହିଥାଏ ।
ଏମିତି କି ଯଦି ଏହି ମହିଳାମାନେ ପୁଣି ଚାକିରିରେ ଯୋଗ ଦିଅନ୍ତି, ତଥାପି ସେମାନେ ବର୍ଷ ବର୍ଷର ଦରମା ବୃଦ୍ଧି କିମ୍ବା ପଦୋନ୍ନତି ହରାଇ ବସନ୍ତି ଏବଂ ଚକ୍ରବୃଦ୍ଧି ଆକାରରେ ସେମାନଙ୍କ ସଂପୂର୍ଣ୍ଣ ଜୀବନ କାଳ ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଯଦିଓ ପୁରୁଷ ଓ ମହିଳମାନଙ୍କ ବେତନରେ ଥିବା ବ୍ୟବଧାନ ସଂକୁଚିତ ହେବାରେ ଲାଗିଛି, ତଥାପି ଏଥିରେ ଏ ପର୍ଯ୍ୟନ୍ତ ଆହୁରି ଅନେକ ଦୂରତା କମ୍ ହେବାର ସମ୍ଭାବନା ରହିଛି ।
ଯଦି ଚାକିରି ଜୀବନ ଆରମ୍ଭରୁ ୟୁନିଟ୍ ଲିଙ୍କ୍ଡ ଇନ୍ସ୍ୟୁରାନ୍ସ ପ୍ଲାନ୍ (ULIPs) ଭଳି ବଜାର-ସଂଲଗ୍ନ ଯୋଜନାରେ ଅଧିକ ଅର୍ଥ ନିବେଶ କରାଯାଏ, ତେବେ କିଛି ସମୟ ପାଇଁ ଆପଣ କାମ ନ କରିଲେ ବି, ତାହା ଆପଣଙ୍କ ସଞ୍ଚୟ ପରିମାଣ ବୃଦ୍ଧି କରିପାରେ । ଜୀବନର ଲକ୍ଷ୍ୟ ପୂରଣ ପାଇଁ ଶୀଘ୍ର ଯୋଜନା କରିବା ଏବଂ ଦୂରଦର୍ଶୀ ଢଙ୍ଗରେ ନିବେଶ ଯୋଗୁଁ ଆପଣଙ୍କ ଧନ ସୁରକ୍ଷିତ ରହିପାରେ ଏବଂ ମହିଳାମାନଙ୍କ ପାଇଁ ଏହା ଅଧିକ ଜରୁରୀ ।
ସ୍ବାସ୍ଥ୍ୟ ଏବଂ ଆୟୁ ସମ୍ଭାବନା
ଏକଥା ମନେ ରଖିବା ଆବଶ୍ୟକ ଯେ, ଜୀବ ବିଜ୍ଞାନର କଥନ ଅନୁସାରେ, ମୌଳିକ ଭାବେ ପୁରୁଷ ଓ ମହିଳା ଦୁଇଟି ଭିନ୍ନ ଭିନ୍ନ ପ୍ରାଣୀ । ଏହାର ଅର୍ଥ ଦୁହିଁଙ୍କର ସ୍ବାସ୍ଥ୍ୟସେବା ଏବଂ ଚିକିତ୍ସା ଆବଶ୍ୟକତାରେ କେତେକ ପ୍ରମୁଖ ପାର୍ଥକ୍ୟ ରହିଛି ।
ବିଭିନ୍ନ ଅନୁଶୀଳନରୁ ଜଣାପଡ଼ିଛି ଯେ, ନିର୍ଦ୍ଦିଷ୍ଟ କେତେକ ପ୍ରକାରର କ୍ୟାନ୍ସର ପ୍ରତି ମହିଳାମାନେ ଅଧିକ ସମ୍ବେଦନଶୀଳ ଏବଂ ସେମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ବାତ ବା ଆର୍ଥ୍ରାଇଟିସ୍ ଏବଂ ବାର୍ଦ୍ଧକ୍ୟଜନିତ ଅସ୍ଥିରୋଗ ବା ଅଷ୍ଟିଓପୋରୋସିସ୍ ଭଲି ଅନ୍ୟ କେତେକ ଦୀର୍ଘସ୍ଥାୟୀ ରୋଗ ମଧ୍ୟ ପୁରୁଷମାନଙ୍କ ତୁଳନାରେ ଅଧିକ ଦେଖାଯାଏ ।
ସେହି ଏକା ସମୟରେ, ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ବର୍ଷ ବଞ୍ଚନ୍ତି । 2011 ଜନଗଣନା ଅନୁସାରେ 65 ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର 4.05 କୋଟି ମହିଳା ରହିଥିବା ବେଳେ ତୁଳନାତ୍ମକ ଭାବେ ସେହି ବୟସ ବର୍ଗରେ 3.6କୋଟି ପୁରୁଷ ଅଛନ୍ତି । ଅଧିକନ୍ତୁ, ଭାରତରେ ମହିଳାଙ୍କ ହାରାହାରି ଜୀବନ ଧାରଣ ସମୟ 69.8 ବର୍ଷ ହୋଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା 67.3 ବର୍ଷ ।
ଏହା ଫଳରେ, ମହିଳାମାନଙ୍କର ସ୍ବାସ୍ଥ୍ୟସେବା ବାବଦ ଖର୍ଚ୍ଚ ପୁରୁଷମାନଙ୍କ ତୁଳନାରେ ବହୁ ମାତ୍ରାରେ ଅଧିକ ହୋଇପାରେ । ନିକଟରେ ପ୍ରକାଶିତ ଏକ ରିପୋର୍ଟର ଆକଳନ ଅନୁସାରେ 65 ବର୍ଷର ଜଣେ ମହିଳା 87 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଲେ ତାଙ୍କର ସ୍ବାସ୍ଥ୍ୟସେବା ବାବଦ ହାରାହାରି ଖର୍ଚ୍ଚ, ପୁରୁଷଙ୍କ ତୁଳନାରେ 18% ଅଧିକ ହେବ । ଏଣୁ, ଆପଣ ଯେତେ କମ୍ ବୟସର ହୋଇଥିବେ, ଏହି ସ୍ବାସ୍ଥ୍ୟସେବା ବାବଦ ଖର୍ଚ୍ଚ ବ୍ୟବଧାନ ସେତେ ବେଶୀ ହେବ ।
ଅବସର ପରବର୍ତ୍ତୀ ଜୀବନ ସଂପର୍କିତ ଯୋଜନା କରିବା ସମୟରେ ଏହି ଦିଗଗୁଡ଼ିକ ବିଚାର କରିବା ଆବଶ୍ୟକ । ଆପଣଙ୍କୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ମୋଟାମୋଟି ଭାବେ ଜୀବନ ଧାରଣର ମାନ ହ୍ରାସ ନକରି, ଏହି ସବୁ ଅତିରିକ୍ତ ସ୍ବାସ୍ଥ୍ୟସେବା ଖର୍ଚ୍ଚ ଏବଂ ନିତିଦିନିଆ ଖର୍ଚ୍ଚ ତୁଲାଇବା ଯେଭଳି ସହଜରେ ସମ୍ଭବ ହୋଇପାରିବ । ସର୍ବାଧିକ ସୁରକ୍ଷା ଓ ସୁବିଧା ପାଇବା ଲାଗି ଆପଣ ବିଭିନ୍ନ ଅନ୍ଲାଇନ୍ କାଲ୍କୁଲେଟର ସାହାଯ୍ୟରେ ଆପଣଙ୍କ ଅବସର ଗ୍ରହଣ ସମୟରେ ଆବଶ୍ୟକ ସଞ୍ଚୟ ରାଶି ଆକଳନ କରିପାରିବେ ।
ପରିବାରର ଲକ୍ଷ୍ୟ
ପ୍ରକୃତି ନିର୍ଦ୍ଧାରିତ ଭାଗ୍ୟ ହେଉ ବା ସାମାଜିକ ଢାଞ୍ଚା, ଅଧିକାଂଶ କ୍ଷେତ୍ରରେ ମହିଳାମାନେ ହିଁ ସେବାଯତ୍ନ ପ୍ରଦାନକାରୀ ଭୂମିକାରେ ଅବତୀର୍ଣ୍ଣ ହୋଇଥାଆନ୍ତି ଏବଂ ନିଜ ଯତ୍ନକୁ ପଛରେ ରଖି ଅନ୍ୟମାନଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇଥାଆନ୍ତି ।
ଯଦି ଆପଣ ଜଣେ କର୍ମଜୀବୀ ବୃତ୍ତିଧାରିଣୀ କିମ୍ବା ଗୃହ ଉଦ୍ୟୋଗୀ, ବିବାହିତା ହୁଅନ୍ତୁ କିମ୍ବା ଅବିବାହିତା, ଅଧିକାଂଶ କ୍ଷେତ୍ରରେ ଆପଣ ପରିବାରର ଜଣେ ତତ୍ତ୍ବାବଧାରକ ଭାବେ ଏକ ଅବୈତନିକ ଦାୟିତ୍ବ ନିର୍ବାହ କରନ୍ତି ଏବଂ ନିଜ ଜୀବନର ଲକ୍ଷ୍ୟ ହାସଲ ପଥରେ ଅନ୍ୟାନ୍ୟ ଅନେକ ଆର୍ଥିକ ତ୍ୟାଗ ସ୍ବୀକାର କରନ୍ତି ।
ମୋର ବିଶ୍ବାସ ଯେ ଜୀବନର ଲକ୍ଷ୍ୟ ଲିଙ୍ଗଭେଦ ଉପରେ ନିର୍ଭର କରେ ନାହିଁ ଏବଂ ସେମାନଙ୍କ ଜୀବନର ଲକ୍ଷ୍ୟ ହାସଲ ଦିଗରେ ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସମାନ ସୁବିଧା ସୁଯୋଗ ପ୍ରଦାନ କରାଯିବା ଉଚିତ।
ବିଶ୍ବ ପରିଭ୍ରମଣ, ପ୍ରଚୁର ଧନ ଓ ଭଲ ସ୍ବାସ୍ଥ୍ୟାବସ୍ଥାରେ ଅବସର ଗ୍ରହଣ କିମ୍ବା ଆପଣଙ୍କ ପିଲାମାନଙ୍କୁ ବିଦେଶରେ ପଢ଼ାଇବା ଭଳି ଜୀବନର ଦୀର୍ଘକାଳୀନ ଲକ୍ଷ୍ୟ ସାଧନ ନିମନ୍ତେ ଆପଣ ଯେତେ ଶୀଘ୍ର ପାରିବେ ସେତେ ଶୀଘ୍ର ବିନିଯୋଗ ଆରମ୍ଭ କରିବା ଉଚିତ।
ସଂକ୍ଷେପରେ ଏତିକି କୁହାଯାଇପାରେ ଯେ, ଆର୍ଥିକ କ୍ଷେତ୍ରରେ ସକ୍ରିୟ ରହିଲେ, ଆପଣଙ୍କ ଅବସର ପରବର୍ତ୍ତୀ ଜୀବନ ସୁଗମ ଏବଂ ସଫଳ ହେବ।
(ଲେଖକ: ତରୁଣ ଚୁଗ, ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବାଜାଜ ଆଲିଆଞ୍ଜ ଲାଇଫ୍ ।)
(ନାଦାବିପତ୍ର: ଉପରୋକ୍ତ ମତାମତ ଏବଂ ନିବେଶ ସମ୍ବନ୍ଧୀୟ ପରାମର୍ଶ ଲେଖକଙ୍କର ଏକାନ୍ତ ନିଜସ୍ବ ଏବଂ ଇଟିଭି ଭାରତ କିମ୍ବା ଏହାର ପରିଚାଳକମାନଙ୍କର ନୁହେଁ । ନିବେଶ ସଂପର୍କିତ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସ୍ବୀକୃତିପ୍ରାପ୍ତ ବିଶେଷଜ୍ଞମାନଙ୍କ ଦ୍ବାରା ଯାଞ୍ଚ କରାଇ ନେବାକୁ ଇଟିଭି ଭାରତ ପାଠକମାନଙ୍କୁ ପରାମର୍ଶ ଦିଏ ।)