କୋଲକାତା: ବଲିଉଡ ବାଦଶାହା ଶାହରୁଖ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦେଶର ଏପରି ପରିସ୍ଥିତିରେ ଶାହାରୁଖ ସାହାଯ୍ୟ କରିଥିବାରୁ ସେ ତାଙ୍କୁ ପ୍ରଶଂସା କରିଛନ୍ତି । ଏହାସହ ମମତା କହିଛନ୍ତି ଯେ ଏପରି କାମ ଲକ୍ଷାଧିକ ଲୋକଙ୍କୁ ଉତ୍ସାହିତ କରିବ ।
ନିଜ ଟ୍ବିଟରରେ ମମତା ଲେଖିଛନ୍ତି ଯେ ଶାହାରୁଖ ଯାହା କରିଛନ୍ତି ତାହା ସ୍ବାଗତଯୋଗ୍ୟ । ଏଥିପାଇଁ ସେ ତାଙ୍କୁ ଅନେକ ଧନ୍ୟବାଦ ଦେଉଛନ୍ତି । ଦେଶର ପରିସ୍ଥିତି ଏବେ ଖରାପ ଅଛି । ଏପରି ସମୟରେ ତାଙ୍କ ସାହାଯ୍ୟ ଦ୍ବାରା ଅନେକ ଲୋକ ଉପକୃତ ହେବେ । ବହୁତ ଅସହାୟଙ୍କୁ ସେ ସାହାଯ୍ୟ କରିଛନ୍ତି । ଦେଶର ଅନେକ ଲୋକ ଶାହାରୁଖଙ୍କୁ ରୋଲ ମଡେଲ ଭାବେ ମାନନ୍ତି । ଆଉ ତାଙ୍କର ଏପରି କାର୍ଯ୍ୟ ସେମାନଙ୍କୁ ନିଶ୍ଚିତ ଉତ୍ସାହିତ କରିବ । ଏହାଦ୍ବାରା ସେମାନେ ପ୍ରେରଣା ପାଇବେ ବୋଲି ମମତା କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କିଙ୍ଗ ଖାନଙ୍କ ସହ ମମତାଙ୍କ ଭଲ ସମ୍ପର୍କ ରହିଛି । ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ଟିମ କିଣିବା ପରେ ଉଭୟଙ୍କ ସମ୍ପର୍କ ନିବିଡ ହୋଇଥିଲା । ଏପରିକି ମମତାଙ୍କୁ ଦିଦି ବୋଲି ସମ୍ବୋଧନ କରନ୍ତି ଶାହାରୁଖ । ସେ ତାଙ୍କୁ ନିଜ ଭଉଣୀ ବୋଲି ମାନନ୍ତି ।
ଗୁରୁବାର ଶାହାରୁଖ ନିଜ ପ୍ରଯୋଜନା ସଂସ୍ଥା ରେଡ ଚିଲିଜ ଏଣ୍ଟରଟେନମେଣ୍ଟ ଓ ଆଇପିଏଲ ଟିମ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ କୋରୋନା ମୁକାବିଲା ପାଇଁ ସାହାଯ୍ୟ ପ୍ରଦାନ କରିଛନ୍ତି । ରେଡ ଚିଲିଜ ପକ୍ଷରୁ ପିଏମ କେୟାର୍ସ ଫଣ୍ଡକୁ ଆର୍ଥିକ ସହାୟତା ଦିଆଯାଇଛି । ଏହାସହ କେକେଆର ପକ୍ଷରୁ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରକୁ ପିପିଇ କିଟ୍ ପ୍ରଦାନ କରାଯାଇଛି ।