ପାଟନା: ବିହାରରେ ଦିନକୁ ଦିନ ବଢିଚାଲିଛି ପିଲା ଚୋରି ଅଭିଯୋଗରେ ନିର୍ଦ୍ଧୋଷକୁ ମାରପିଟ ଭଳି ଘଟଣା । ଗୟା ସହରର ପଞ୍ଚାୟତୀ ଆଖଡା ଓ ନଗମତିଆ ଅଞ୍ଚଳରେ ରହୁଥିବା 4 ଜଣ ଲୋକଙ୍କୁ ମହେର ଗ୍ରାମବାସୀମାନେ ପିଲା ଚୋର କହି ନିର୍ଦ୍ଧୁମ ପିଟିଥିଲେ ।
ରବିବାର ସଂଧ୍ୟାରେ ଏହି ଘଟଣା ଘଟିଥିଲା । ଟନକୃପ୍ପା ପୋଲିସ ଘଟଣାସ୍ଥଳରେ ପହଞ୍ଚି 4 ଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି । ସେଥିମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ରାଞ୍ଚି ହସ୍ପିଟାଲକୁ ପଠାଇ ଦିଆଯାଇଛି । ସୂଚନାମୁତାବକ,ଏକ କାରରେ ଉକ୍ତ 4 ଜଣ ବ୍ୟକ୍ତି ଓ ଜଣେ ନାବାଳକ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଯେତେବେଳ ଗାଡି ମହେର ଗାଁ ନିକଟସ୍ଥ ହୋଇଥିଲା କାର ଉପରକୁ ପଥର ମାଡ ହେବା ଆରମ୍ଭ ହୋଇଯାଇଥିଲା । ଏହାପରେ ଗାଁ ଲୋକେ ଉକ୍ତ ଗାଡିକୁ ଘେରିଯାଇଥିଲେ । ଆରମ୍ଭ କରିଦେଇଥିଲେ ମାରପିଟ । ଖବରପାଇ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ଏହାପରେ ପୋଲିସ ସମସ୍ତ ଗୁରୁତରଙ୍କୁ ହସ୍ପିଟାଲ ପଠାଇଥିଲା ।
ସେହିପରି ଏଟା ଜିଲ୍ଲାରେ ମଧ୍ୟ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି । ପିଲା ଚୋର ଭାବି ଜଣେ ମହିଳାଙ୍କୁ ଧୁମ ପିଟିଛନ୍ତି ଲୋକେ । ମହିଳା ଜଣଙ୍କ ହିମାଚଳପ୍ରଦେଶର ହୋଇଥିବାବେଳେ ତାଙ୍କ ନାଁ ବୀଣା ଦେବି । ମଙ୍ଗଳବାର ସକାଳୁ ମହିଳାଙ୍କୁ ପିଲାଚୋର ଭାବି ପୁରୁଷଙ୍କ ସମେତ ମହିଳା ମାନେ ମିଶି ଧୁମ ପିଟିଥିଲେ । ଘଟଣାର ଖବରପାଇ ପୋଲିସ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।