ନୂଆଦିଲ୍ଲୀ: ଥମିବାର ନାଁ ନେଉନି କୋରୋନା। ଦୀର୍ଘ 6 ମାସ ଧରି ସମସ୍ତଙ୍କୁ ନାକରେ କନ୍ଦାଉଛି। ତେବେ ପର୍ଯ୍ୟାୟ କ୍ରମେ ଲକଡାଉନ ହଟାଇ ଅନଲକ ପର୍ଯ୍ୟାୟର ଆରମ୍ଭ କରାଯାଇଥିବା ବେଳେ ଏବେ ପରିସ୍ଥିତି ପୁଣି ଅଣାୟତ। ତେବେ ସ୍ଥିତି ଆୟତକୁ ଆଣିବାକୁ କିଛି ରାଜ୍ୟ ଲକଡାଉନ ପର୍ଯ୍ୟାୟକୁ ପୁଣି ଲାଗୁ କରିଛନ୍ତି।
ରାଜସ୍ଥାନରେ ବଢୁଥିବା କୋରୋନାଭାଇରସ୍ ମାମଲାକୁ ଦୃଷ୍ଟିରେ ରଖି ଅଶୋକ ଗେହଲଟ୍ ସରକାର ଶନିବାର ରାଜ୍ୟର 11 ଟି ଜିଲ୍ଲାରେ 144 ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ରାଜସ୍ଥାନ ସରକାର ଏକ ସରକାରୀ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ଜୟପୁର, ଯୋଧପୁର, କୋଟା, ଅଜମେର, ଅଲୱାର, ଭିଲୱାରା, ବିକାନେର, ଉଦୟପୁର, ସିକର, ପାଲି ଏବଂ ନାଗୁର ଜିଲ୍ଲାରେ ଧାରା 144 ଲାଗୁ କରାଯାଇଛି।
ସୂଚନାଯୋଗ୍ୟ ଯେ ଧାରା 144 ଲାଗୁ ହେବା ପରେ ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ବ୍ୟକ୍ତିଙ୍କ ସମାବେଶକୁ ବାରଣ କରିଛନ୍ତି। ଏହା ବ୍ୟତୀତ ରାଜସ୍ଥାନ ସରକାର ମଧ୍ୟ ଅକ୍ଟୋବର 31 ପର୍ଯ୍ୟନ୍ତ ସାମାଜିକ କିମ୍ବା ଧାର୍ମିକ କାର୍ଯ୍ୟ ଉପରେ ପ୍ରତିବନ୍ଧକ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା 20 ଜଣଙ୍କୁ ଅନ୍ତିମ ସଂସ୍କାରରେ ଏବଂ 50 ଜଣଙ୍କୁ ବିବାହ କାର୍ଯ୍ୟ ପାଇଁ ଅନୁମତି ଦେଇଛନ୍ତି।
ଭାରତ ଶନିବାର ଆମେରିକାକୁ ଅତିକ୍ରମ କରି ସାରା ବିଶ୍ୱରେ ସର୍ବାଧିକ ସଂଖ୍ୟକ କୋଭିଡ୍ ପୁନରୁଦ୍ଧାର ରେକର୍ଡ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରକାଶ କରିଛି। ଭାରତର କୋରୋନାଭାଇରସ୍ ପୁନରୁଦ୍ଧାର ହାର 79.28% କୁ ବୃଦ୍ଧି ପାଇଛି।