ଅଧିକାଂଶ ସମୟରେ ଆମେ ଦେଖିଛେ ଯେ, ଲୋକଙ୍କର ତ୍ୱଚାରେ ସ୍ଥାନେ ସ୍ଥାନେ କଳାଦାଗ ଥାଏ, ଯାହା କି ସ୍ୱାଭାବିକ ସ୍କିନ ଟୋନ୍ଠାରୁ ଅଲଗା । ଏହା ‘ହାଇପରପିଗମେଂଟେସନ’ ନାମରେ ପରିଚିତ । ଏହା ଗୁରୁତର ସ୍ଥିତି ନୁହେଁ ଓ କ୍ଷତିକାରକ ବି ହୋଇ ନ ଥାଏ । ‘ହାଇପରପିଗମେଂଟେସନ’ବାବଦରେ ଅଧିକ ଜାଣିବା ପାଇଁ ଆମେ କାୟା କ୍ଲିନିକ୍ସ ଇଣ୍ଡିଆର ମେଡିକାଲ ହେଡ୍ ଡକ୍ଟର ସୁଶାନ୍ତ ସେଟ୍ଟୀଙ୍କ ସହ ଆଲୋଚନା କରିଥିଲୁ । ସେ କହନ୍ତି ଯେ, ସ୍ୱାଭାବିକ ସ୍କିନ୍ ଟୋନଠାରୁ ଅଧିକ କଳା ଦାଗ ତ୍ୱଚାରେ ଦେଖାଗଲେ ତାହା ହାଇପରପିଗମେଂଟେସନ କୁହାଯାଏ । ଏହାର କାରଣକୁ ତିନିଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ । ଅନୁବଂଶୀୟ, ହରମୋନାଲ୍ ଓ ପ୍ରାପ୍ତ ( ଆକ୍ୱାୟର୍ଡ) ଏହି ଭଳି ତିନିଟି ଶ୍ରେଣୀରେ ହାଇପରପିଗମେଂଟେସନକୁ ବିଭକ୍ତ କରାଯାଇପାରେ । ଏହା ଏକ ଛୋଟ ପ୍ୟାଚ୍ ହୋଇପାରେ ବା ସମଗ୍ର ଶରୀରରୁ ପ୍ରଭାବିତ କରିପାରେ ।
ଆମ ବିଶେଷଜ୍ଞଙ୍କ କହିବା ଅନୁସାରେ ହାଇପରପିଗମେଂଟେସନ କିଛି ପ୍ରକାର ଭେଦ ନିମ୍ନରେ ଦିଆଗଲା ।
- ମେଲାସ୍ମା – ହରମୋନାଲ ପରିବର୍ତ୍ତନ ହେଲେ ମେଲାସମା ସ୍ଥିତି ସୃଷ୍ଟି ହୋଇଥାଏ ବୋଲି କୁହାଯାଏ । ଏହା ବିଶେଷ କରି ମହିଳାମାନଙ୍କଠାରେ ଦେଖାଯାଏ । ଗର୍ଭବତୀ ଥିବା ବେଳେ ସେମାନଙ୍କ ପେଟରେ ଓ ମୁହଁରେ ମେଲାସ୍ମା ଦେଖାଯାଏ । ପୁରୁଷମାନେ ବି ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି ।
- ପୋଷ୍ଟ ଇନଫ୍ଲେମୋଟରୀ – ତ୍ୱଚାରେ କୌଣସି ଆଘାତ ହେଲେ ଏହା ଘଟିଥାଏ । ବ୍ରଣ, କାଛୁ, ବଏଲ୍ସ ଓ ମଶା କାମୁଡିଥିବା ଜାଗାକୁ କୁଣ୍ଡାଇଲେ ତ୍ୱଚାରେ କଳା ଦାଗ ପଡିଯାଏ । ପ୍ରାୟତଃ ଏହି ଦାଗଗୁଡିକ ଧୀରେ ଧୀରେ ଉଭେଇଯାଏ । କିନ୍ତୁ ଏଗୁଡିକୁ ଯଦି ଅସ୍ଥିର କରାଯାଏ ଓ ସ୍ୱାଭାବିକ ଭାବେ ଶୁଖିବାକୁ ଦିଆ ନ ଯାଏ, ତାହା ହେଲେ ଅଡୁଆ ପରିସ୍ଥିତି ସୃଷ୍ଟି ହୁଏ । ଏପରିକି ସେଗୁଡିକ ସ୍ଥାୟୀ ଭାବେ ରହିଯିବା ସମ୍ଭାବନା ଥାଏ ।
- ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିଲେ – ସୂର୍ଯ୍ୟ ଆଲୋକ ସଂସ୍ପର୍ଶରେ ଆସିଲେ ବି ହାଇପରପିଗମେଣ୍ଟେସନ ସୃଷ୍ଟି ହୋଇଥାଏ । ଛୋଟ ଛୋଟ କଳା ପ୍ୟାଚ୍ସବୁ ଆପଣଙ୍କ କପାଳ, ନାକ ଓ ହାତରେ ସୃଷ୍ଟି ହେବା ଆପଣ ଲକ୍ଷ୍ୟ କରିଥିବେ ।
- ଅନୁବଂଶୀୟ - ଅନୁବଂଶୀୟ ବା ଜେନେଟିକ୍ କାରଣରୁ ବି ଶରୀରରେ ମୋଲ୍ , ଏପରିକି ଫ୍ରିକଲ୍ସ ସୃଷ୍ଟି ହୁଏ ।
- ମେଡିକାଲ କଣ୍ଡିସନ- କିଛି ନିର୍ଦ୍ଦିଷ୍ଟ ମେଡିକାଲ ସ୍ଥିତି ବି ପିଗମେଂଟେସନର କାରଣ ହୋଇଥାଏ । ନିର୍ଦ୍ଦିଷ୍ଟ କିଛି ଔଷଧ ସେବନ କଲେ ମଧ୍ୟ ସ୍କିନ୍ ରିଆକସନ୍ ହୋଇଥାଏ ।
ପ୍ରକୃତରେ କଣ ଘଟେ ?
ମିଲାନୋକାଇଟସ୍ ନାମକ ତ୍ୱଚା କୋଷିକା ମେଲାନିନ୍ ଉତ୍ପାଦନ କରନ୍ତି । ଏହା ତ୍ୱଚାକୁ ରଂଗ ଦେଇଥାଏ । ବିଭିନ୍ନ କାରଣରୁ ଆମ ଶରୀରରେ ମେଲାନିନ୍ ଉତ୍ପାଦନ ପ୍ରଭାବିତ ହୋଇଥାଏ । ଆଉ ଏହାର ପରିଣାମ ସ୍ୱରୂପ ସମୟେ ସମୟେ କଳା ପ୍ୟାଚ୍ ସୃଷ୍ଟି ହୁଏ । ଉଦାହରଣ ସ୍ୱରୂପ ଯଦି ଶରୀରର କୌଣସି ନିର୍ଦ୍ଦିଷ୍ଟ ଜାଗାରେ ଅତ୍ୟଧିକ ସୂର୍ଯ୍ୟାଲୋକ ପଡେ, ତାହା ହେଲେ ସେହି ଜାଗାର କୋଷିକା ଅଧିକ ରଂଗ ସୃଷ୍ଟି କରି ସେହି ପ୍ୟାଚରେ ଜମା କରିଥାଏ । ଆଉ ଏହା ତ୍ୱଚାକୁ କ୍ଷତିରୁ ବଂଚାଇଥାଏ । ତେଣୁ ତ୍ୱଚାରେ କଳା ପ୍ୟାଚ୍ ରହିଯାଏ ।
ପ୍ରତିକାର ଓ ଚିକିତ୍ସା
ହାଇପରପିଗମେଂଟେସନର କାରଣ ଅନୁସାରେ ଚିକିତ୍ସା ନିର୍ଭର କରେ । ଯଦି ଅନୁବଂଶୀୟ କାରଣ ଯୋଗୁଁ ଏହା ସୃଷ୍ଟି ହେଉଛି, ତାହା ହେଲେ ବିଶେଷ କିଛି କରିହେବ ନାହିଁ । କିନ୍ତୁ ଏହା ଯଦି ଗୋଟିଏ ଛୋଟ ଚିହ୍ନ ବା ଦାଗ ହୋଇଥାଏ, ତେବେ,ତାହା ସଂପୂଣ୍ଣ ର୍ ଭାବେ ହଟାଯାଇପାରିବ । କିନ୍ତୁ ଗୋଟିଏ ବଡ ଜାଗାକୁ ସଂପୂର୍ଣ୍ଣ ଭାବେ ଯଦି ଏହା ଆଚ୍ଛାଦିତ କରିଥିବା, ତାହା ହେଲେ ବିନା ଦାଗରେ ହଟାଇହେବ ନାହିଁ ବୋଲି ଡକ୍ଟର ସେଟ୍ଟୀ କହନ୍ତି । ଯଦି ତ୍ୱଚାରେ କଳା ଦାହ ବା ପ୍ୟାଚ୍ ଅତ୍ୟଧିକ ସୂର୍ଯ୍ୟାଲୋକ ଦ୍ୱାରା ସୃଷ୍ଟି ହୁଏ, ତାହା ହେଲେ ଘରୁ ବାହାରିଲା ବେଳେ ସନସ୍କ୍ରିନ ଓ ସ୍କାର୍ଫ ପିନ୍ଧନ୍ତୁ । ଏହାଛଡା ଆପଣ ଛତା ବି ବ୍ୟବହାର କରିପାରିବେ । ଏଥିସହ ସ୍କ୍ରିନ୍ ଲାଇଟେନିଂ କ୍ରିମ ମଧ୍ୟ ଆପଣ ବ୍ୟବହାର କରିପାରିବେ ।
ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା
- କେମିକାଲ ପିଲିଂ
- ଲେଜର୍ ଟ୍ରିଟମେଂଟ୍
- କ୍ୟୁ –ସୁଇଚ୍ ଲେଜର୍
- ଟପିକାଲ କ୍ରିମ୍ସ
- ଲାଇଟେନିଂ କ୍ରିମ୍ସ
ତେବେ, ତ୍ୱଚାର ସୁରକ୍ଷା ସହ ପିଗମେଂଟେସେନର ପ୍ରକୃତ କାରଣ ଚିହ୍ନଟ କରିବା ଜରୁରୀ ବୋଲି ଡକ୍ଟର ସୁଶାନ୍ତ ସେଟ୍ଟୀ କହନ୍ତି । ପିଗମେଂଟେସନ ସେତେ କ୍ଷତିକାରକ ହୋଇ ନ ଥିଲେ ମଧ୍ୟ ଏହାକୁ ଯଦି ଆପଣ ହଟାଇହାକୁ ଚାହାନ୍ତି, ତାହା ହେଲେ ଜଣେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ନିହାତି ଆବଶ୍ୟକ । ଚିକିତ୍ସା ତ ଉପଲବ୍ଧ ଅଛି,କିନ୍ତୁ ସୁସ୍ଥ ହେଉଥିବା ସମୟରେ ଆପଣ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ ।