ଭୋପାଳ: ଆଜି(ଗୁରୁବାର) ମଧ୍ୟପ୍ରଦେଶର ଶିବରାଜ ସରକାରଙ୍କ କ୍ୟାବିନେଟ୍ ସମ୍ପୂର୍ଣ୍ଣ ଭାବେ ବିସ୍ତାର ହୋଇଛି। କିନ୍ତୁ ବିଜେପି ନେତା ଉମା ଭାରତୀ ଏହି କ୍ୟାବିନେଟର ସମ୍ପ୍ରସାରଣକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହି କ୍ୟାବିନେଟ ବିସ୍ତାରରେ ଜାତୀୟ ସନ୍ତୁଳନ ରହିନାହିଁ ।
ଉମା ଭାରତୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସହ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଥିଲେ । ସେ କହିଛନ୍ତି ଯେ ମଧ୍ୟପ୍ରଦେଶ କ୍ୟାବିନେଟର ସମ୍ପ୍ରସାରଣ ଯୋଗୁଁ ଜାତୀୟ ସନ୍ତୁଳନ ବ୍ୟାହତ ହୋଇଛି। ଏହି ବୟାନ ଦେବା ପରେ ଉମା ଭାରତୀ ଅଯୋଧ୍ୟାରେ ବାବରୀ ମସଜିଦ ଭାଙ୍ଗିବା ମାମଲାରେ ଏକ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବାକୁ ଯାଇଛନ୍ତି ।
ଗୁରୁବାର ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ 28 ନେତା ଶପଥ ଗ୍ରହଣ କରିଛନ୍ତି। ଏହି ନୂତନ ମନ୍ତ୍ରୀଙ୍କ ମଧ୍ୟରେ 12 ଜଣ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ମଧ୍ୟ ଅଛନ୍ତି । ଏମାନେ ମାର୍ଚ୍ଚରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଫଳରେ ରାଜ୍ୟରେ କମଲ ନାଥ ସରକାରଙ୍କ ପତନ ଘଟିଥିଲା।
ପ୍ରକାଶଥାଉକି, ରାଜ୍ୟପାଳ ଅନନ୍ଦୀବେନ୍ ପଟେଲଙ୍କ ଉପସ୍ଥିତିରେ ରାଜଭବନରେ କ୍ୟାବିନେଟ ସମ୍ପ୍ରସାରଣ ନେଇ ଆୟୋଜିତ ସମାରୋହରେ 20 କ୍ୟାବିନେଟ ମନ୍ତ୍ରୀ ଓ 8 ରାଜ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଥିବା ସିନ୍ଧିଆଙ୍କ ସମର୍ଥକ ନେତାଙ୍କ ମଧ୍ୟରୁ ଜଣେ ବି ବିଧାନସଭା ସଦସ୍ୟ ନୁହଁନ୍ତି। ମାର୍ଚ୍ଚରେ ବିଧାନସଭାରୁ ଇସ୍ତଫା ଦେବା ପରେ ସେମାନେ ସମସ୍ତେ ବିଜେପିରେ ଯୋଗ ଦେଇଥିଲେ। ତେବେ ଦେଶରେ ଏହା ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଅଣ-ବିଧାୟକଙ୍କୁ ରାଜ୍ୟ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି।