ହାଇଦ୍ରାବାଦ: ଦୀର୍ଘ 31 ଦିନ ଧରି ଆନ୍ଦୋଳନ ଜାରି ରଖିଛନ୍ତି ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ (ଟିଏସଆରଟିଏସ)ରେ କାର୍ଯ୍ୟରତ କର୍ମଚାରୀ। ଏହି ଆନ୍ଦୋଳନ ସମୟରେ ରାଜ୍ୟ ସରକାର ଟିଏସଆରଟିଏସର ପ୍ରାୟ 46 ହଜାର କର୍ମଚାରୀଙ୍କୁ ଛଟେଇ କରିସାରିଛନ୍ତି। ଇତି ମଧ୍ୟରେ 10 ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇ ସାରିଲାଣି। ଏହା ସତ୍ତ୍ବେ ସେମାନେ ଆନ୍ଦୋଳନରୁ ହଟିବାକୁ ନାରାଜ। ଚଳିତ ମାସ ନଭେମ୍ବର 5 ତାରିଖ ସୁଦ୍ଧା ପୁଣିଥରେ ରାଜ୍ୟ ସରକାର ଆନ୍ଦୋଳନରୁ ହଟିବା ପାଇଁ ଟିଏସଆରଟିସି କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଡେଡ ଲାଇନ ଜାରି କରିଛନ୍ତି।
ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କହିଛନ୍ତି କି, ଆସନ୍ତା 5 ତାରିଖ ସୁଦ୍ଧା ଟିଏସଆରଟିସି କର୍ମଚାରୀ ସେମାନଙ୍କ କାର୍ଯ୍ୟସ୍ଥଳକୁ ଫେରିବାକୁ ଶେଷ ସୁଯୋଗ ଦିଆଯାଇଛି। ଏହା ପୁର୍ବରୁ 5100 ରୁଟକୁ ବେସରକାରୀ ଘୋଷଣା କରାଯାଇଛି। ଯଦି ସେମାନେ କାର୍ଯ୍ୟକୁ ନ ଫେରନ୍ତି ତେବେ ଅବଶିଷ୍ଟ 5 ହଜାର ରୁଟକୁ ମଧ୍ୟ ବେସରକାରୀ ଘୋଷଣା କରାଯିବ ବୋଲି ସେ ଜଣାଇ ଦେଇଛନ୍ତି।
ସେପଟେ ଆନ୍ଦୋଳନରୁ ନ ଓହରିବା ପାଇଁ ଯୁଗ୍ମ କାର୍ଯ୍ୟାନୁଷ୍ଠାନ କମିଟି କହିଛି। କମିଟିର ସଂଯୋଜକ ଅଶ୍ବଥାମା ରେଡ୍ଡୀ କହିଛନ୍ତି କି, କୌଣସି ପରିସ୍ଥିତିରେ ମଧ୍ୟ ଆନ୍ଦୋଳନରୁ କର୍ମଚାରୀ ଉଠିବେ ନାହିଁ। ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମୟ ଧାର୍ଯ୍ୟ ନିର୍ଦ୍ଧାରଣ କରିଥିଲେ । ମାତ୍ର ସେମାନେ ଆନ୍ଦୋଳନରୁ ହଟିନଥିଲେ। ଏବେବି ଉଠିବେ ନାହିଁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ କି, ଟିଏସଆରଟିଏସର କୌଣସି କର୍ମଚାରୀଙ୍କୁ ବହିଷ୍କାର କରିବାର କୌଣସି ଅଧିକାର ନାହିଁ।
ଆନ୍ଦୋଳନ ସମୟରେ ପ୍ରାୟ 10 ଜଣ ଟିଏସଆରଟିଏସ କର୍ମଚାରୀଙ୍କ ମୃତ୍ୟୁ ହୋଇ ସାରିଲାଣି। ସେମାନଙ୍କ ମଧ୍ୟରୁ 3 ଜଣ ଆତ୍ମହତ୍ୟା କରିଛନ୍ତି । ଅବସାଦ କାରଣରୁ ଓ୍ବାରଙ୍ଗଲ ଜିଲ୍ଲାର କଣ୍ଡକ୍ଟର ରବିନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା।