ୱାଶିଂଟନ: ଏୟାରଷ୍ଟ୍ରାଇକ ଦ୍ବାରା ଇରାନର ସେନା କମାଣ୍ଡର ମେଜର ଜେନେରାଲ କାସିମ ସୁଲେମାନିଙ୍କ ହତ୍ୟା ପରେ ଆମେରିକା, ଇରାନ୍ ଏବଂ ଇରାକ୍ରେ ଛାଇ ରହିଛି ଚିନ୍ତାର କଳାବାଦଲ । କେବଳ ସେତିକି ନୁହେଁ, ଦେଶରେ ଅବସ୍ଥାପିତ ହୋଇଥିବା ଆମେରିକା ସେନାକୁ ସ୍ବଦେଶ ପଠାଇବା ପାଇଁ ଇରାକ୍ ସଂସଦର ନିଷ୍ପତ୍ତି ଉପରେ ଉତ୍ତ୍ୟକ୍ତ ହୋଇ ଉଠିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ।
ଏନେଇ ସେ କହିଛନ୍ତି ଯେ, ଯଦି ଆମେରିକା ସୈନ୍ୟଙ୍କୁ ଦେଶ ଛାଡିବାକୁ ବାଧ୍ୟ କରେ, ତା’ହେଲେ ସେ ଇରାକ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇବେ । ଆମେରିକା ଇରାକ ଉପରେ ଏପରି ପ୍ରତିବନ୍ଧକ ଲଗାଇବ ଯେ, ଯାହାର ସାମନା ଆଗରୁ କେବେ କରିନଥିବ । ଏହା ସହ ରାଷ୍ଟ୍ରପତି ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଇରାକ୍ ପାଖରେ ଆମେରିକାର ଏକ ବହୁ ମୂଲ୍ୟବାନ ଏୟାରବେସ ଅଛି । ଯାହାକୁ ନିର୍ମାଣ କରିବାରେ ଆମେରିକା ବିଲିୟନ ଡଲାର ଖର୍ଚ୍ଚ କରିଛି । ଆମ ସେନା ସେତେ ପର୍ଯ୍ୟନ୍ତ ଇରାକ୍ ଛାଡିବେ ନାହିଁ ଯେ ପର୍ଯ୍ୟନ୍ତ, ଇରାକ ନିଜ ମାଟିରେ ନିର୍ମିତ ହୋଇଥିବା ଆମେରିକାନ ଏୟାରବେସର ନିର୍ମାଣରେ ବିନିଯୋଗ ହୋଇଥିବା ଖର୍ଚ୍ଚ ନଦେଇଛି ।