ନୂଆଦିଲ୍ଲୀ: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ 151 ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଶୁକ୍ରବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ସ୍ଥିତ ଗାନ୍ଧୀଙ୍କ ସମାଧିସ୍ଥଳ ରାଜଘାଟ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅପର୍ଣ କରିଛନ୍ତି । ଏହା ପୂର୍ବରୁ ରାଷ୍ଟ୍ରପତି ଓ ପିଏମ ଉଭୟେ ଟ୍ବିଟ କରି ବାପୁ ଓ ଶାସ୍ତ୍ରୀଙ୍କୁ ମନେ ପକାଇଥିଲେ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗାନ୍ଧୀ ଜୟନ୍ତୀରେ ପୁଣିଥରେ ଶପଥ କରିବା ଯେ, ସତ୍ୟ ତଥା ଅହିଂସା ମାର୍ଗ ଅନୁସରଣ କରି ଏକ ସ୍ବଚ୍ଛ, ସମୃଦ୍ଧ, ଦୃଢ ଭାରତ ସୃଷ୍ଟି କରିବା । ଆମେ ଦେଶର କଲ୍ୟାଣ ତଥା ପ୍ରଗତି ପାଇଁ ସର୍ବଦା ଉତ୍ସର୍ଗୀକୃତ ହେବା । ଏଥିସହ ବାପୁଙ୍କ ସ୍ବପ୍ନକୁ ସାକାର କରିବାକୁ ରାଷ୍ଟ୍ରପତି ଟ୍ବିଟ କରି ଦେଶବାସୀଙ୍କ କହିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ କୃତଜ୍ଞ ରାଷ୍ଟ୍ର ପକ୍ଷରୁ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କୋବିନ୍ଦ । ସତ୍ୟ, ଅହିଂସା ଏବଂ ପ୍ରେମର ବାର୍ତ୍ତା ସମାଜରେ ସୌହାର୍ଦ୍ଦ୍ୟ ଏବଂ ସମନ୍ବୟ ରକ୍ଷା କରି ସମଗ୍ର ବିଶ୍ବ କଲ୍ୟାଣ ପାଇଁ ବାଟ ଖୋଲିଥାଏ। ଗାନ୍ଧୀ ସମସ୍ତ ମାନବିକତା ପାଇଁ ପ୍ରେରଣା ଉତ୍ସ ହୋଇ ରହିଛନ୍ତି ବୋଲି ସେ କହିଥିଲେ ।
ଭାରତ ମାତାର ସୁପୁତ୍ର ଶାସ୍ତ୍ରୀ ଯିଏ, ଅଦ୍ଭୂଦପୂର୍ବ ସମର୍ପଣ ଓ ସତ୍ୟନିଷ୍ଠାରେ ଦେଶ ସେବା କରିଛନ୍ତି । ସବୁଜ ବିପ୍ଳବ ଏବଂ ଧଳା ବିପ୍ଳବରେ ତାଙ୍କର ମୌଳିକ ଭୂମିକା ଏବଂ ଯୁଦ୍ଧ ସମୟରେ ତାଙ୍କର ଦୃଢ ନେତୃତ୍ବ ପାଇଁ ସମସ୍ତ ଦେଶବାସୀ ତାଙ୍କୁ ଭକ୍ତିଭାବରେ ମନେ କରନ୍ତି ବୋଲି ରାମନାଥ କୋବିନ୍ଦ ଟ୍ବିଟ କରି କହିଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ପ୍ରଥମେ ପ୍ରିୟ ବାପୁଙ୍କୁ ପ୍ରଥମେ ନମସ୍ୟ ଜଣାଇଥିଲେ । ଗାନ୍ଧୀଙ୍କ ଜୀବନୀ ଓ ତାଙ୍କର ଚିନ୍ତାଧାରାରୁ ଅନେକ କିଛି ଶିଖିବାର ଅଛି, ବୋଲି ମୋଦି କହିଛନ୍ତି । ବାପୁଙ୍କ ଆଦର୍ଶ ଆମକୁ ସମୃଦ୍ଧ ତଥା ଦଳାୟୁ ଭାରତ ସୃଷ୍ଟି କରିବାରେ ମାର୍ଗଦର୍ଶନ ଜାରି ରହିବ ବୋଲି ସେ କହିଛନ୍ତି ।
ସେହିପରି ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲା ବାହାଦୂର ଶାସ୍ତ୍ରୀଙ୍କ ମଧ୍ୟ 116 ତମ ଜନ୍ମ ଦିବସ । ମୋଦି ବିଜୟ ଘାଟରେ ପହଞ୍ଚି ସେଠାରେ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୋଦି ବିଜୟ ଘାଟରେ ଶ୍ରଦ୍ଧାଞ୍ଜଳି ଦେବା ପୂର୍ବରୁ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ଟ୍ବିଟ କରିଥିଲେ । ଲାଲ ବାହାଦୂର ଶାସ୍ତ୍ରୀ ଜଣେ ଅତ୍ୟନ୍ତ ବିନମ୍ର ବ୍ୟକ୍ତିବିଶେଷ । ସେ ସରଳତାର ଉଦାହରଣ ହେବା ସହ ଦେଶ କଲ୍ୟାଣ ପାଇଁ ବଞ୍ଚିଥିଲେ । ସେ ଭାରତ ପାଇଁ କରିଥିବା ସମସ୍ତ କାର୍ଯ୍ୟ ପାଇଁ ଗଭୀର କୃତଜ୍ଞତା ଜଣାଇବା ସହ ସବୁଦିନ ମନେ ରହିବେ ବୋଲି ମୋଦି ଟ୍ବିଟ କରି କହିଛନ୍ତି ।


ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଗାନ୍ଧୀ-ଶାସ୍ତ୍ରୀଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭେଙ୍କୟା ନାଇଡୁ ଟ୍ବିଟ କରି ଦୁଇ ମହାପୁରୁଷଙ୍କୁ ମନେ ପକାଇଛନ୍ତି । ସେମାନଙ୍କ ଆଦର୍ଶ ଓ ଜୀବନଶୈଳୀକୁ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଅନ୍ୟାନ୍ୟ ନେତା ଓ ମନ୍ତ୍ରୀ ଏହି ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।