ହାଇଦ୍ରାବାଦ: ମହାମାରୀ ସଙ୍କଟ ମଧ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ତେଲେଙ୍ଗାନା ଉପରେ ସାଜିଛି ବଜ୍ର ଚଡକ । ବର୍ତ୍ତମାନ ସୁଦ୍ଧା ବର୍ଷା ବିତ୍ପାତ ଯୋଗୁଁ ରାଜ୍ୟରେ 50 ଜଣଙ୍କ ମୃତ୍ୟୁ ହୋଇସାରିଥିବା ସୂଚନା ଦେଇଛନ୍ତି ତେଲେଙ୍ଗାନା ସରକାର ।
ବର୍ଷା ଛାଡିଯାଇଥିବା ବେଳେ ତେଲେଙ୍ଗାନାର ଅନେକ ତଳିଆ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି । ଏଥିରୁ ବାଦ ପଡିନାହିଁ ରାଜଧାନୀ ହାଇଦ୍ରାବାଦ । କେବଳ ହାଇଦ୍ରାବାଦ ସହରରେ 19 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ବନ୍ୟା ଯୋଗୁଁ ଗୋଟିଏ ପରିବାରର 8 ଜଣ ପ୍ରାଣ ହରାଇଛନ୍ତି ।
ଗୁରୁବାର ହାଇଦ୍ରାବାଦର ଟୋଲିଚୌକି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଏନଡିଆରଏଫର ଏକ ବୋଟ ପାଣିରେ ଓଲଟି ପଡିଛି । ତେବେ ଏନଡିଆରଏଫ କର୍ମୀ ବୋଟରୁ ଲୋକଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି ।
ତେଲେଙ୍ଗାନାରେ ବର୍ଷା ବିତ୍ପାତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏବେ ବି ଅନେକ ଅଞ୍ଚଳ ପାଣି ଘେରରେ ରହିଛି । ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ସରକାର । ତେବେ ବନ୍ୟା ଯୋଗୁଁ ତେଲେଙ୍ଗାନା ଓ ରାଜଧାନୀ ହାଇଦ୍ରାବାଦରେ ପାଖାପାଖି 5 ହଜାର କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କେସିଆର । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟ କରି କ୍ଷୟକ୍ଷତିର ସୂଚନା ଦେଇଛନ୍ତି । ଏହାସହ ରାଜ୍ୟକୁ 1350 କୋଟିର ଆର୍ଥିକ ସହାୟତା ଯୋଗାଇଦେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି କେସିଆର ।
ସେପଟେ କର୍ଣ୍ଣାଟକରେ ମଧ୍ୟ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଏହାଯୋଗୁଁ 111 ଘର ଭାଙ୍ଗିଯାଇଥିବା ଜଣାପଡିଛି । ମହାରାଷ୍ଟ୍ରରେ ମଧ୍ୟ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି । ତେବେ ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ 24ଟି ଏନଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।