ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ ଧରଣର ଷଡଯନ୍ତ୍ର ରଚୁଛନ୍ତି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜମାତ-ଉଦ-ଦାବା ଏବଂ ଲସ୍କର-ଏ-ତୋଏବା । ରାଜଧାନୀ ଦିଲ୍ଲୀର କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନ ଓ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ ସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ଭାରତର ପ୍ରମୁଖ ଗୁଇନ୍ଦା ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ ଓ୍ଵିଙ୍ଗ (RAW) କାର୍ଯ୍ୟାଳୟ ଏବଂ ସେନା ମୁଖ୍ୟାଳୟରେ ଏହି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସୂଚନା ମିଳିଛି ।
ଲସ୍କର ଏବଂ ଜମାତର ଆତଙ୍କବାଦୀ ୱିଙ୍ଗ ର' ଏବଂ ଭାରତୀୟ ସେନାର ନୂଆ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଛନ୍ତି । ଆତଙ୍କୀ ସଂଗଠନ ଅକ୍ଟୋବର ଶେଷ ସପ୍ତାହରେ ଏହି ଆକ୍ରମଣ କରିପାରନ୍ତି । ତେବେ ଏହି ସତର୍କ ସୂଚନା ପରେ ର' ଏବଂ ସେନାର ବଡ ବଡ ପଦାଧିକାରୀଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ସେପଟେ ଭାରତର ଅନ୍ୟାନ୍ୟ ସୁରକ୍ଷା ସଂସ୍ଥା ଗୁଡିକୁ ମଧ୍ୟ ଏନେଇ ସତର୍କ କରାଯାଇଛି । ଏହା ବ୍ୟତୀତ ଆତଙ୍କବାଦୀମାନେ ପୋଲିସ କର୍ମୀ ରହୁଥିବା ଅଞ୍ଚଳରେ ଏବଂ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଥିବା ଦାବି କରାଯାଇଛି ।