ହାଇଦ୍ରାବାଦ: ପ୍ରେମିକାର ସମାଧି ନିକଟରେ ଜୀବନ ହାରିଲେ ଯୁବକ । ଅସୁସ୍ଥତା କାରଣରୁ ପ୍ରେମିକାଙ୍କର ମୃତ୍ୟୁ ହେବା ପରେ ତାଙ୍କୁ ଝୁରି ଝୁରି ନିଜ ଜୀବନ ହାରିଦେଇଛନ୍ତି ଜଣେ ଯୁବକ । ଏପରି ଏକ ଦୁଃଖଦ ଘଟଣା ଆନ୍ଧ୍ରପ୍ରଦେଶ ଜୟଶଙ୍କର ଭୂପାଲପାଲୀ ଜିଲ୍ଲାରେ ଦେଖିବାକୁ ମିଳିଛି ।
ଜିଲ୍ଲାର ଚଲ୍ଲା ମହେଶ ନାମକ ଜଣେ 24 ବର୍ଷୀୟ ଯୁବକ ପ୍ରେମିକାଙ୍କ ସମାଧି ନିକଟରେ ଥିବା ଏକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ମହେଶଙ୍କ ପ୍ରେମିକାଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଛି । ରାଜ୍ୟ ପୋଲିସର ସୂଚନା ଅନୁଯାୟୀ ଘଟଣାଟି ମହାଦେବପୁର ମଣ୍ଡଳ ଜିଲ୍ଲାର କୁଦୁରୁପାଲ୍ଲି ଅଞ୍ଚଳରେ ଘଟିଛି । ମହେଶ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ହ୍ବାଟ୍ସଆପ ଷ୍ଟାଟସରେ ତାଙ୍କ ପ୍ରେମ ବିନା ବଞ୍ଚି ପାରିବେନି ବୋଲି ପୋଷ୍ଟ କରିଥିଲେ ।
ମହେଶ ତେଲେଙ୍ଗାନା ଖଣିଜ ବିକାଶ ନିଗମରେ ଚାକିରି କରୁଥିଲେ । ସେ କୌଣସି କାମରେ ଆଜି(ରବିବାର) ଘରକୁ ଆସିଥିଲେ । ଘରକୁ ଆସି ମହେଶ ତାଙ୍କ ପ୍ରେମିକାଙ୍କ ସମାଧି ନିକଟରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ମୃତ ପ୍ରେମିକାଙ୍କ ସମାଧି ନିକଟରେ ଝୁଲୁଥିବାର ଦେଖିବାକୁ ପାଇଥିଲେ ।
ତେବେ ମହେଶଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ମହେଶ ତାଙ୍କ ବାହାଘର ପାଇଁ ପ୍ରସ୍ତୁତି କରୁଥିଲେ, ହଠାତ୍ ସେ ଝିଅଙ୍କର ମୃତ୍ୟୁ ହୋଇଯିବାରୁ ମହେଶ ମାନସିକ ଦୁଃଶ୍ଚିନ୍ତାରେ ରହୁଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ