ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ(ଟିଏସଆରଟିସି) କର୍ମଚାରୀଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଗତ ମଙ୍ଗଳବାର 46 ଦିନରେ ପହଞ୍ଚିଛି। ସେମାନଙ୍କର ଦାବି ପୂରଣ ହୋଇନଥିବାରୁ ନିଜ ଆନ୍ଦୋଳନକୁ ଜାରି ରଖିଛନ୍ତି ଟିଏସଆରଟିସି କର୍ମଚାରୀ।
ଏ ମାମଲାରେ ତେଲେଙ୍ଗାନା ଉଚ୍ଚ ନ୍ୟାୟାଳୟ ଶ୍ରମ ଆୟୁକ୍ତଙ୍କୁ ଦୁଇ ସପ୍ତାହ ମଧ୍ୟରେ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମସ୍ୟାର ସମାଧାନ କରିବାକୁ ଯାଇ ଭିନ୍ନ ଭିନ୍ନ କର୍ମଚାରୀ ସଙ୍ଗଠନ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସମାଧାନର କୌଣସି ରାସ୍ତା ବାହାରିନଥିଲା। ବର୍ତ୍ତମାନ ଟିଏସଆରଟିସି କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଛି।
ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଟିଏସଆରଟିସିର ଯୁଗ୍ମ କାର୍ଯ୍ୟକାରୀ କମିଟି(JAC) ସଂଯୋଜକ ଅଶ୍ବଥାମା ରେଡୀଙ୍କ କହିବା ଅନୁସାରେ, " ଆନ୍ଦୋଳନକୁ ସେତେବେଳେ ବଦଳାଯିବ, ଯେତେବେଳେ ସରକାର ଟିଏସଆରଟିସିର 5100 ରୁଟକୁ ଘରୋଇକରଣ କରିବା ନିଷ୍ପତ୍ତିକୁ ପରିବର୍ତ୍ତନ କରିବେ। "
ଆର୍ଥିକ ଦିଗରୁ ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମ(ଟିଏସଆରଟିସି) ପ୍ରାୟ 12 ଶହ କୋଟି ଟଙ୍କାର କ୍ଷତି ସହିଛି। ଏହା ସହିତ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ଏଥିପାଇଁ 5 ହଜାର କୋଟି ଟଙ୍କାର ଋଣ କରିଛନ୍ତି। ଟିଏସଆରଟିସିକୁ ସରକାରୀ ମାନ୍ୟତା ଦେବା ପରିବର୍ତ୍ତେ ଏହାକୁ ଘରୋଇକରଣ କରିବା ନେଇ ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧ କରି ପ୍ରାୟ 50 ହଜାର ଟିଏସଆରଟିସି କର୍ମଚାରୀ ସରକାରୀ କର୍ମଚାରୀ ମାନ୍ୟତା ସହ ବିଭିନ୍ନ ଆନୁଷଙ୍ଗୀକ ସୁବିଧା ସୁଯୋଗ ପ୍ରଦାନ କରିବା ଦାବିରେ ଦୀର୍ଘଦିନ ହେବ ଆନ୍ଦୋଳନ ଚଳାଇଛନ୍ତି।