ବେଙ୍ଗାଲୁରୁ: ଡୋରଷ୍ଟେପରେ ଖାଦ୍ୟ ଡେଲିଭରୀ କରୁଥିବା କମ୍ପାନୀ 'ସ୍ବିଗୀ' ନିଜର ପ୍ରିମିୟମ୍ ଖାଦ୍ୟ ବିତରଣ ସର୍ଭିସ 'ସ୍କୁଟି' ସେବାକୁ ବନ୍ଦ କରିବାକୁ ଯାଉଛି । 2018 ରେ ପ୍ରାୟ 50 କୋଟି ଟଙ୍କାରେ ସ୍ବିଗୀ ସ୍କୁଟି ଅଧିଗ୍ରହଣ କରିଥିଲା । କମ୍ପାନୀ ନିଜର ଖାଦ୍ୟ ବିତରଣ ବର୍ଗକୁ ଆହୁରି ମଜବୁତ କରିବାକୁ ଏହି ନିଷ୍ପତ୍ତି ନେଇଥିଲା । ତେବେ କମ୍ପାନୀ ସ୍କୁଟି ଅଧିଗ୍ରହଣ କରିବା ପରେ ମଧ୍ୟ ଅନ୍ୟ ଖାଦ୍ୟ ବିତରଣ ଆପ୍ ଭଳି ଏହାକୁ ଚଲାଇବାକୁ ଅନୁମତି ଦେଇଥିଲା । ଏହି ଆପ୍ ଜରିଆରେ ସ୍ୱିଗୀ ନିଜର ୟୁଜର୍ସମାନଙ୍କୁ ଅନ୍-ଡିମାଣ୍ଡ ତାଲିକାରେ ଥିବା ରୟାଲ ଚାଇନା, ମସ୍କ ଓ ନାରା ଥାଇ ଭଳି ମୁମ୍ବାଇ ରେସ୍ତୋରାଁରୁ ଖାଦ୍ୟ ସାମଗ୍ରୀ ବିତରଣ କରୁଥିଲା ।
ଗତ ମାସରେ ସ୍ବିଗୀ ଯୁଜର୍ସଙ୍କୁ ଆଇଟିସି ହୋଟେଲ, ମ୍ୟାରିଏଟ, ହୟାତ ପରି ବଡ ବଡ ହୋଟେଲରୁ ଉପଭୋକ୍ତାମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସ୍କୁଟି ସହ ଚୁକ୍ତିନାମା କରିଥିଲା । ଏହାଦ୍ବାରା ସ୍ବିଗୀର ଲାଭ ମଧ୍ୟ ବଢିଥିଲା । ବର୍ତ୍ତମାନ ସ୍ବିଗୀ ନିଜ ପ୍ଲାଟଫର୍ମରେ ଏକ ପ୍ରିମିୟମ୍ କ୍ୟୁରେଟେଡ୍ ମେନୁ ସେଗମେଣ୍ଟ୍ ଲଞ୍ଚ କରିବାକୁ ଯୋଜନା କରୁଛି । ସ୍କୁଟି ଗ୍ରାହକଙ୍କୁ ସ୍ବିଗୀ ଆପକୁ ଆଣିବାକୁ କମ୍ପାନୀ ଯୋଜନା କରିଛି । ଏଭଳି ପରିସ୍ଥିତିରେ ସ୍ବିଗୀ ବର୍ତ୍ତମାନ ସ୍କୁଟିର ଅଂଶୀଦାର ଏବଂ ବିତରଣ ପ୍ଲିଟକୁ ମଧ୍ୟ ଅଧିଗ୍ରହଣ କରି ନେବ ।
ସ୍ୱିଗୀ ମୁଖପାତ୍ର କହିଛନ୍ତି ଯେ ଗତ କିଛି ମାସ ହେବ ପ୍ରିମିୟମ ବ୍ରାଣ୍ଡରୁ କ୍ୟୁରେଟେଡ୍ ଖାଦ୍ୟ ପାଇଁ ଆମେ ଅଧିକ ଚାହିଦା ପାଇଛୁ। ଏପରି ପରିସ୍ଥିତିରେ, ମୁମ୍ବାଇର ପ୍ରତ୍ୟେକ ବିଭାଗର ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ସ୍କୁଟି ପକ୍ଷରୁ ଦିଆଯାଉଥିବା ସମସ୍ତ ସେବାକୁ ସ୍ବିଗିରେ ଦେବାକୁ ଆମେ ଏକ ଯୋଜନା ଉପରେ କାର୍ଯ୍ୟ କରୁଛୁ । ଖୁବ ଶୀଘ୍ର ଆମେ ସ୍ବିଗୀ ଆପର ପ୍ରିମିୟମ୍ ବର୍ଗ ମାଧ୍ୟମରେ ପ୍ରତ୍ୟେକ ବର୍ଗର ଲୋକଙ୍କ ଚାହିଦା ପୂରଣ କରିବା ଆରମ୍ଭ କରିବୁ । ମୁଖପାତ୍ର କହିଛନ୍ତି ଯେ ସ୍ବିଗୀରେ ସାମିଲ ହେବାକୁ ଥିବା ସ୍କୁଟିର ଡେଲିଭରି ଫ୍ଲିଟକୁ ନେଇ ବର୍ତ୍ତମାନ ଅନିଶ୍ଚିତତା ରହିଛି । ସ୍ବିଗି ନିଜର ସମସ୍ତ କର୍ମଚାରୀଙ୍କୁ ରଖିବ କି ନାହିଁ ତାହା ବର୍ତ୍ତମାନ ଏହା ମଧ୍ୟ କୁହାଇଯାଇପାରିବ ନାହିଁ ।
ପ୍ରକାଶ ଥାଉକି, କୋରୋନା କାରଣରୁ ଅଧିକାଂଶ ରେସ୍ତୋରାଁ ଏବଂ ହସ୍ପିଟାଲିଟି ଇଣ୍ଟିଷ୍ଟ୍ରି ଗୁଡିକ ବନ୍ଦ ରହିଛି । ଆଗକୁ ଦେଶର ଅଧିକାଂଶ ରେସ୍ତୋରାଁ ବନ୍ଦ ହେବାର ସମ୍ଭାବନା ରହିଛି ଏବଂ ଅନେକ ନିଜ ରୋଜଗାର ମଧ୍ୟ ହରାଇବେ । ଏଭଳି ସ୍ଥିତିରେ ଅଧିକାଂଶ ରେସ୍ତୋରାଁ ଅନଲାଇନ ଫୁଡ ଡେଲିଭରୀ ପ୍ଲାଟଫର୍ମ ସହ ଯୋଡି ହେବାକୁ ଚାହୁଁଛନ୍ତି ।