କୋଲକାତା: ପଶ୍ଚିମ ମେଦିନୀପୁରର ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ଜଣେ ବିଜେପି କର୍ମୀଙ୍କ ମୃତଦେହ ମିଳିଛି। ମୃତ ବିଜେପି କର୍ମୀଙ୍କ ନାମ ବାଚୁ ବେରା । ତାଙ୍କୁ ତୃଣମୂଳ କଂଗ୍ରେସର କର୍ମୀ ମାନେ ହତ୍ୟା କରି ଗଛରେ ଟାଙ୍ଗୀ ଦେଇଥିବା ଅଭିଯୋଗ ହୋଇଛି । ସେ ଗତ ତିନି ଦିନ ଧରି ନିଖୋଜ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ତାଙ୍କର ମୃତଦେହ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।
ପରେ ଆଜି ସକାଳେ ସେହି ସ୍ଥାନୀୟ ବାସିନ୍ଦାମାନେ ତାଙ୍କ ମୃତଦେହ ଜଙ୍ଗଲରେ ଝୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରିଛି । ପୋଷାକ ଉପରେ ରକ୍ତ ଦାଗ ଏବଂ ଶରୀରରେ ଏକାଧିକ ସ୍ଥାନରେ ଦାଗ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି ।
ମୃତକଙ୍କ ପୁଅ ଦେଇଥିବା ବୟାନ ଅନୁସାରେ ବାଚୁଙ୍କର କପଡା ବ୍ୟବସାୟ ଥିଲା । ଏବଂ ସେ ତୃଣମୁଳ ନେତାଙ୍କ ଘରେ କପଡା ଦେଇଥିଲେ । ଟଙ୍କା ମାଗିବାରୁ ତୃଣମୁଳ ନେତାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିହା ସେ ପ୍ରକାଶ କରିଛନ୍ତି । ସେଦିନ ସେ ନିଖୋଜ ଥିବା ମଧ୍ୟ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଜଙ୍ଗଲରୁ ମୃତଦେହ ମିଳିବା ପରେ ତାଙ୍କ ବାପାଙ୍କୁ ତୃଣମୁଳ କଂଗ୍ରେସର ନେତା ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ବାଚୁଙ୍କ ପରିବାର ଲୋକେ ।
ଏପଟେ ପଶ୍ଚିମବଙ୍ଗ ବିଜେପି ମଧ୍ୟ ଏହି ହତ୍ୟାକାଣ୍ଡ ପାଇଁ ତୃଣମୁଳ କଂଗ୍ରେସର ସମ୍ପୃକ୍ତି ଥିବା ଅଭିଯୋଗ କରିଛି । ଘଟଣାରେ ଦଳର କୌଣସି ସମ୍ପୃକ୍ତି ନଥିବା କହି ଅଭିଯୋଗକୁ ଖଣ୍ଡନ କରିଛି ତୃଣମୁଳ କଂଗ୍ରେସ । ତେବେ ଘଟଣାକୁ ନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ