ନୂଆଦିଲ୍ଲୀ: ଆଇଏନ୍ଏକ୍ସ ମିଡିଆ ମାମଲାରେ ସିବିଆଇ ରିମାଣ୍ଡରେ ଅଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ । ଆଜି ଅଗଷ୍ଟ 26 (ସୋମବାର) ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ । ଅଗଷ୍ଟ ୨୦ ତାରିଖରେ ଚିଦାମ୍ବରମ୍ଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟଙ୍କ ଦ୍ବାରା ଖାରଜ ହୋଇ ଯାଇଥିଲା । ଫଳରେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଚିଦାମ୍ବରମ୍ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଏତ୍ଦବ୍ୟତୀତ ସୋମବାର ଚିଦାମ୍ବରମ୍ଙ୍କ ଉପରେ ଇଡି ଓ ସିବିଆଇ ଦାଏର କରିଥିବା ଦୁଇଟି ମାମଲାର ଶୁଣାଣି ମଧ୍ୟ କରିବେ ସୁପ୍ରିମକୋର୍ଟ । ଆଇଏନ୍ଏକ୍ସ ମିଡିଆ ମାମଲା ଇଡି ମନି ଲଣ୍ଡ୍ରିଂ ଓ ସିବିଆଇ ଭ୍ରଷ୍ଟ୍ରାଚାର କେସ୍ ଦାଖଲ କରିଛି ।
ଏନ୍ୟପଟେ ସୁପ୍ରିମକୋର୍ଟ ଶୁକ୍ରବାର ଆଇଏଅନ୍ଏକ୍ସ ମିଡିଆ କେସ୍ରେ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଚିଦାମ୍ବରମ୍ଙ୍କୁ ଗିରଫ୍ ସମ୍ନ ଉପରେ ରୋକ୍ ଲଗାଇଛନ୍ତି । ସୁପ୍ରିମକୋର୍ଟ ଏହି ମାମଲାରେ ଇଡିକୁ ଜବାବ ମାଗିଛନ୍ତି । ଏହାସହ ଇଡି ଦ୍ବାରା ଚିଦାମ୍ବରମ୍ଙ୍କ ନାମରେ ଲଗାଯାଇଥିବା ସମସ୍ତ ତିନିଗୋଟି ମାମଲାକୁ ସୋମବାର କୋର୍ଟରେ ସୂଚୀବଦ୍ଧ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ସିବିଆଇ ଚିଦାମ୍ବରମ୍ଙ୍କୁ ନେଇଥିବା 5 ଦିନିଆ ରିମାଣ୍ଡର ସମୟ ସୀମା ଶେଷ ହେଉଛି ।
ସମ୍ପୂର୍ଣ୍ଣ ଘଟଣାଟି କିଛି ଏମିତି...
- 2017 ମେ 15ତାରିଖରେ ଆଇଏନ୍ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ମିଳିଥିବା ଏଫ୍ଆଇପିବି ମଞ୍ଜୁରୀରେ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ଏଫ୍ଆଇର ରୁଜୁ କରିଥିଲା।
- 2018 ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା। ସିବିଆଇ ଜେରା ପାଇଁ ଚିଦମ୍ବରମ୍ଙ୍କୁ ସମନ୍ କରିଥିଲା ।
- ସେହିବର୍ଷ ମେ 30 ତାରିଖରେ ସିବିଆଇ ଦ୍ବାରା ରୁଜୁ ଦୁର୍ନୀତି ମାମଲାରେ ଆଗୁଆ ଜାମିନ ଆବେଦନ ଦାବି କରି ଚିଦାମ୍ବରମ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
- 2018 ଜୁଲାଇ 23 ତାରିଖରେ ଇଡିର ମନି ଲଣ୍ଡ୍ରିଂ ମାମଲାରେ ଚିଦାମ୍ବରମ୍ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
- 2018 ଜୁଲାଇ 25ରେ ଦାୟର କରାଯାଇଥିବା ଦୁଇଟି ମାମଲାରେ ହାଇକୋର୍ଟ ଚିଦମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ।
- 2019 ଜାନୁଆରି 25 ତାରିଖରେ ଦୁଇଟି ଯାକ ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
- 2019 ଅଗଷ୍ଟ 20 ତାରିଖରେ ଆଗୁଆ ଜାମିନ ଆବେଦନ ହାଇକୋର୍ଟଙ୍କ ଦ୍ବାରା ଖାରଜ ହୋଇ ଯାଇଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଚିଦାମ୍ବରମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ।
ଏହାପରେ ଚିଦାମ୍ବରମ୍ଙ୍କୁ ଗିରଫ ପାଇଁ ସିବିଆଇ ଟିମ୍ ତାଙ୍କ ଘରେ ପହଞ୍ଚିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚିଦାମ୍ବରମ୍ଙ୍କୁ ଗିରଫ ନେଇ ହାଇ ଭୋଲଟ୍ଜ ଡ୍ରାମା । ଶେଷରେ ଚିଦାମ୍ବରମଙ୍କୁ 22 ତାରିଖରେ ଗିରଫ କରିଥିଲା ସିବିଆଇ । ପଚରାଉଚରା ପାଇଁ ଅଗଷ୍ଟ 22ରୁ ଚିଦମ୍ବରମଙ୍କୁ ୫ ଦିନ ରିମାଣ୍ଡରେ ନେଇଥିଲା ସିବିଆଇ । ଆଉ ଆଜି ହେବ ଚିଦାମ୍ବରମଙ୍କ ଭାଗ୍ୟ ନିର୍ଦ୍ଧାରଣ ।