ହାଇଦ୍ରାବାଦ: ଏ ମୃତ୍ୟର ଦୋଷ ମୁଣ୍ଡାଇବ କିଏ ? ତାଙ୍କୁ ପ୍ରବାସୀର ଆଖ୍ୟା ଓ ଦାଦନର ସଂଜ୍ଞା ଦେଲା କିଏ ? ନିଜ ଇଚ୍ଛାରେ ଭିଟା ମାଟି ଛାଡିଥିଲେ ନାଁ ପରିସ୍ଥିତିର ବେଡିରେ ପଡି ଜନ୍ମମାଟିରୁ ମୁହଁ ମୋଡିଥିଲେ ? ଏବେ ଏସବୁ ଅମିମାଂସିତ ପ୍ରଶ୍ନ ପଚାରିଲା ବେଳକୁ ଜଣେ ପ୍ରବାସୀ ଓଡିଆର ପାଦ ତଳୁ ମାଟି ଖସି ଯାଉଛି,ମୁଣ୍ଡ ଉପରେ ଆକାଶ ଛିଡି ପଡୁଛି।
ହୁଏତ କାଲି ସକାଳେ ମହାମାରୀ ଦୂରେଇ ଯିବ ପୂର୍ବ ପରି ସବୁ କିଛି ଚଳଚଞ୍ଚଳ ହୋଇଉଠିବ ହେଲେ ଏହି ନୀରିହ,ନିର୍ଦ୍ଦୋଶ ଓ ନିଷ୍ପାପ ଲୋକଙ୍କ ଅକାଳ ମୃତ୍ୟୁର ଦୋଷୀ ସାଜିବ କିଏ। କିଏ ଦେବ ଏମାନଙ୍କ ଅସହାୟ ପରିବାରକୁ ସାହାରା। ଏସବୁ ଘଟଣାକୁ ଅଙ୍ଗେ ନିଭାଇ, ଅନୁଭବ କରି ଓ ନିଜ ଆଖିରେ ଦେଖିସାରିବା ପରେ ଆଗାମୀ ଭବିଷ୍ୟତରେ ଜଣେ ଓଡିଆ ପୁଅ ବାହାର ପ୍ରଦେଶକୁ ଦାଦନ ଖଟିବାକୁ ଯିବା ପୂର୍ବରୁ ନିଜକୁ ହଜାରେ ଥର ପ୍ରଶ୍ନ କରିବ !
ଏହି ନ୍ୟାୟରେ ମା ତା ପୁଅକୁ ଛାଡି ନପାରେ, ସ୍ତ୍ରୀ ତା ସ୍ବାମୀକୁ ଛାଡି ନପାରେ, ଭଉଣୀ ତା ଭାଇକୁ ଛାଡି ନପାରେ ଓ ପିଲାମାନେ ତା ବାପାକୁ ନିଜ ଆଖି ସାମ୍ନାରୁ ଦୂରେଇବାକୁ ଅମଙ୍ଗ ବୋଧ ହୋଇପାରନ୍ତି। ଠିକ୍ ଏହି ସମୟରେ ସରକାର ଏହି ଖଟିଖିଆ ଓ ଦିନ ମଜୁରିଆଙ୍କ ପ୍ରବାସୀ ଷ୍ଟାମ୍ପକୁ ହଟାଇ ପାରିବେ କି? ରାଜ୍ୟର ମୁଖିଆ ଦେଇଥିବା ପ୍ରତିଜ୍ଞା, ପ୍ରତିଶୃତି ଓ ପ୍ରତିବଦ୍ଧତା ଓ ଶିଳ୍ପାୟନର ସ୍ବପ୍ନ ଏଠି ବାସ୍ତବତାର ରୂପ ନେଇ ସାକାର ହୋଇପାରିବ କି? ଏସବୁ ଅଛିଣ୍ଡା ଗଣିତ, ଅସଜଡା ପ୍ରଶ୍ନ ଓ ଆକାଶ କଇଁଆ ଚିଲିକା ମାଛ ସଦୃଶ -
ଯେତେବେଳେ ଭୋକର ଜ୍ବାଳାରେ ପ୍ରବାସରେ କେନ୍ଦ୍ରାପଡା ଗଦାଧରଙ୍କ ବେକରେ ରଶି ଝୁଲୁଛି,ଗଞ୍ଜାମ ସତ୍ୟ ସ୍ବାଇଁର ଜୀବନ ପୋଲିସ ଲାଠିରେ ଚାଲି ଯାଇଛି ଓ ପୁରୀ ଜିଲ୍ଲା କାକଟପୁର ଧୁବେଇ ଚରଣର ଜୀବନ ଚାଲୁଚାଲୁ ଛାଡି ଯାଇଛି ସେତିକି ବେଳେ ପ୍ରବାସରୁ ଫେରି ଘର ଲୋକଙ୍କୁ ଭେଟିନଥିବା ସୁରେନ୍ଦ୍ର ବେହେରା କ୍ବାରେଣ୍ଟିନରେ ରହିଥିବା ବେଳେ ମହୁଲି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛି।
ସମ୍ଭାବ୍ୟ ମହାମାରୀରେ ଏମାନଙ୍କ ମୃତ୍ୟୁ ଘଟିନାହିଁ। ଭୂତାଣୁ ସଂକ୍ରମଣ ହୋଇ ଏମାନଙ୍କ ଜୀବନ ଚାଲି ଯାଇନାହିଁ କି ଶରୀର କ୍ଷୀଣ ହୋଇନାହିଁ। ବରଂ ଅକସ୍ମାତ, ଅକାଳ ଓ ଅବେଳରେ ଏମାନଙ୍କ ପିଣ୍ଡରୁ ପ୍ରାଣ ଚାଲିଯାଇଛି। ଯେଉଁଥି ପାଇଁ ପରିବାର ଉପରକୁ ଘୋଟି ଆସିଛି ଦୁର୍ଦ୍ଦିନର କଳା ବାଦଲ। ଆତ୍ମୀୟ ଲୋକଙ୍କ ଆଖିରେ ଅସରନ୍ତି ଲୁହ। ଯାହାର ମୂଲ୍ୟ ଭରଣ କରିବାକୁ ଅସମର୍ଥ ରାଜ୍ୟ ସରକାର ଓ କମ୍ପାନୀ ମାଲିକ।
ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ବରେ କରୁଛି କୋରୋନା ରାଜୁତି। ମହାମାରୀରେ ଗଡୁଛି ହଜାର ହଜାର ମୁଣ୍ଡ। ଉଜୁଡି ଯାଉଛି ଲକ୍ଷ ଲକ୍ଷ ସଂସାର। ନିଜରର ଲୋକଙ୍କ ମୃତ୍ୟୁ ପରେ ଶବ ସଂସ୍କାର କରିବାକୁ ଅମଙ୍ଗ ଆତ୍ମୀୟ ସ୍ବଜନ। ଭୟରେ ମାଡୁ ନାହାଁନ୍ତି ପାଖ ଏବଂ ପଡିରହୁଛି ଶହ ଶହ ଶବ। ଏଭଳି ଅକଳ୍ପନୀୟ, ଅଭୁଦ୍ଦପୂର୍ବ ଓ ଆତଙ୍କୀତ ମୁହୁର୍ତ୍ତରେ ସମସ୍ତେ ନାଚାର।
କିନ୍ତୁ ଏହି ମହାମାରୀ ମାଡ ପ୍ରବାସୀଙ୍କ ପ୍ରାଣଙ୍କୁ ଘାଣ୍ଟି ଚକଟି ଦେଇଛି। କର୍ମଭୂମିରୁ ଜନ୍ମଭୂମିକୁ ବାହୁଡିବାକୁ ସେ ଆପ୍ରାଣେ ଆକୁଳ ନିବେଦନ କରୁଛି। କାରଣ ତାକୁ ଶୁଆଇ ଦେଉନି ପେଟର ଜ୍ବାଳା, ପରିବାରର ଚିନ୍ତା ଓ ଗୋଡେଇ ମାରୁଛି ଅନେକ ଶଙ୍କା। ଏମିତି ହୋଇପାରେ ଆଉ କେବେ ସେ ନିଜର ରକ୍ତର ଲୋକକୁ ଭେଟି ନପାରେ। ଭାଇରସର ସଂକ୍ରମଣ ଅପକ୍ଷୋ ଭୟରେ ବି ତା ଜୀବନ ଯାଇପାରେ।
6 ମାସ ଓ ବର୍ଷେ ହେବ ଟଙ୍କା ସଞ୍ଚୟରେ ଲାଗି ପଡିଥିବା ଶ୍ରମିକଟି ଘରକୁ ଫେରିବାକୁ ପରିବାରକୁ ଫୋନରେ କଥା ଦେଇଥିଲା। ଟଙ୍କା ପଇସା ସଞ୍ଚୟ ହୋଇଗଲେ ଘରକୁ ଫେରିବ। କିଏ ମୁଣ୍ଡରେ ରହିଥିବା ଅଭିଆଡୀ ଭଉଣୀର ବାହାର ବୋଝ ଉଠେଇବ, ପରୀକ୍ଷା ଦେଇସାରିଥିବା ବଡ ଝିଅର ଆଗାମୀ ବର୍ଷ ପାଇଁ ନୂତନ ଆର୍ଡମିସନ ଓ ଅଲିଅଳୀ ସାନ ଝିଅ ପାଇଁ ନୂଆ ଡ୍ରେସ ଖଣ୍ଡେ କିଣି ଦେବ। କାରଣ ଦୀର୍ଘ ଦିନ ପରେ କାହାର ବାପା ଓ ଭାଇ ବିଦେଶରୁ ଫେରୁଛି।
ଅଧାଗଢା ଘରର ଛାତ ପଡିସାରିଛି କିନ୍ତୁ ପ୍ଲାଷ୍ଟର ବାକି ଥିଲା। ବାହାଘର ପାଇଁ ବରପାତ୍ର ଖୋଜା ସରିଛି କିନ୍ତୁ ମୁଦି ଦିଆ ନିଆ ରହିଯାଇଥିଲା। ଏହାସହ ଘରର ଦାୟିତ୍ବ ଦେଇଯାଇଥିବା ବୁଢା ବାପାକୁ ମୁଗ ଅମଳ ଓ ଧାନ ଚାଷରେ ସହଯୋଗ କରିବାର ଥିଲା। କିନ୍ତୁ ସବୁ ଅଧା ଓ ଅଧୁରା ହୋଇ ରହିଗଲା। ନାଁ ଘର ପୁଅ ଘରକୁ ଫେରିଲା ନାଁ ଦେଇଥିବା କଥାକୁ ରଖିପାରିଲା। ଶେଷରେ ମୃତ୍ୟୁ ପଥର ଯାତ୍ରୀ ହୋଇଗଲା।
ଏବେ ସ୍ବାମୀକୁ ହରାଇଥିବା ସ୍ତ୍ରୀ, ପୁଅକୁ ହରାଇ ଥିବା ବାପ ଓ ଭାଇକୁ ହରାଇଥିବା ଭଉଣୀ କରୁଛନ୍ତି ଅସହାୟତାର ଆତଃ ଚିତ୍କାର। ପରିବାର ଚଳାଇ ପାଇଁ ଲୋଡୁଛନ୍ତି ସରକାରୀ କ୍ଷତିପୂରଣ। ଯାହା ସାମୟିକ ସମୟ ପାଇଁ ସେମାନଙ୍କ ଅସୁବିଧାକୁ ଏଡେଇ ଦେବ। ହେଲେ ସେମାନଙ୍କ ଦୀର୍ଘସ୍ଥାୟୀ ସମ୍ଭାବନାଙ୍କୁ ମାରିଦେବ। ପୁଅ ମୁଣ୍ଡରୁ ଉଠିଗଲା ବାପାର ହାତ, ସ୍ତ୍ରୀ ମଥାରୁ ଲିଭିଗଲା ସୁହାଗ ସିନ୍ଦୁର ଓ ମା, ବାପା ବଞ୍ଚିଥାଉ ଥାଉ ଭେଣ୍ଡିଆ ପୁଅର ମୃତ୍ୟୁ ସମ୍ବାଦ ସେମାନଙ୍କୁ ଜଡ କରିଦେଇଛି।
ଏତେ ଆଲୋଚନା, ପର୍ଯ୍ୟାଲୋଚନା ଓ ବିଶ୍ଲେଷଣର ଭିର୍ତ୍ତିଭୂମି ଉପରେ ଗୋଟିଏ ପ୍ରଶ୍ନ ମନକୁ ଆନ୍ଦୋଳିତ କରେ ଯେ ରାଜ୍ୟ ସରକାର ଯଦି ସୂଚାରୁ ଭାବେ ପ୍ରବାସୀଙ୍କ ଦୁଃଖ ଦୁର୍ଦ୍ଦଶାକୁ ବୁଝିଥାନ୍ତେ ଏବଂ ସହଯୋଗର ହାତ ବଢାଇଥାନ୍ତେ ହୁଏତ ଏହି ନୀରିହ ଜୀବନ ଗୁଡାକ ରହିଯାଇପାରିଥାନ୍ତି। ଏବେ ପରିଚାଳନାକୁ ସଠିକ୍ ରୂପେ ସମ୍ପାଦିତ ନକରି ଖାମଖିଆଲ ଢଙ୍ଗରେ ନେଇ ସମୁଦ୍ରକୁ ଶଙ୍ଗେ ନ୍ୟାୟରେ କିଛି କ୍ଷତିପୂରଣ ଦେଇଦେଲେ ଆଉ ଫେରିଆସିବେନି କେନ୍ଦ୍ରାପଡାର ଗଦାଧର, ପୁରୀର ଧୁବେଇ ଓ ଗଞ୍ଜାମର ସତ୍ୟ। ଏ ସମ୍ବେଦନଶୀଳ କ୍ଷେତ୍ରରେ ଚିନ୍ତା କରିବାର ସମୟ ଆସିଛି କୋରୋନା ମହାମାରୀ ସଂକ୍ରମଣ, ସାମାଜିକ ଦୁରତା ଓ ଏହାର ପରିଚାଳନାକୁ ରାଜ୍ୟ ସରକାର ଯେଉଁଭଳି ଢଙ୍ଗରେ ଗୁରୁତର ସହିତ ନେଇଛନ୍ତି ଏହି ପ୍ରବାସୀମାନଙ୍କୁ କଥା ସେହିପରି ହୃଦବୋଧ କରିଥିଲେ। ଏପରି ଅଭାବନୀୟ ପରିସ୍ଥିତି ଆଜି ଆସିନଥାନ୍ତା। ଏହି ଘଟଣା /ଦୁର୍ଘଟଣା ବୁଦ୍ଧିଜୀବିମାନଙ୍କୁ ଆନ୍ଦୋଳିତ କରିଥାଇ ପାରେ ହେଲେ ଆଗାମୀ ଦିନରେ ଏହା ପାଇଁ କି ପରିପନ୍ଥା ଅବଲମ୍ବନ କରାଯିବ ତାହା ସମୟ କହିବ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ