ନୂଆଦିଲ୍ଲୀ: ସମସ୍ତ ବାଦ ବିବାଦ ଓ ମନମାଳିନ୍ୟକୁ ପଛରେ ପକାଇ 7 ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏହି ବୈଠକରେ ଜିଏସଟି ଏବଂ NEET-JEE ପରୀକ୍ଷା ଉପରେ ଆଲୋଚନା ହୋଇଛି । ତେବେ ଜିଏସଟି ସହାୟତାକୁ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧି । ଅନ୍ୟପକ୍ଷେ ପରୀକ୍ଷା ପରିଚାଳନା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ବୈଠକରେ ସହମତି ପ୍ରକାଶ ପାଇଥିବା ଜଣାପଡିଛି । ବୈଠକରେ ସର୍ବ ସମ୍ମତି କ୍ରମେ NEET-JEE ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ। ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ବିବୃତ୍ତି ରଖିବା ପରେ ବୈଠକରୁ ଉଠିଯାଇଛନ୍ତି । ଏପରିସ୍ଥିତିରେ ତାଙ୍କର ଆନୁଷ୍ଠାନିକ ସମ୍ମତିକୁ ଅପେକ୍ଷା କରାଯାଇଛି।
ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇଥିଲେ ।
କଣ କହିଲେ ସୋନିଆ ଗାନ୍ଧୀ ?
ବୁଧବାର ଅନୁଷ୍ଠିତ ଏହି ବୈଠକରେ ସୋନିଆ ଗାନ୍ଧୀ ପ୍ରଥମେ ଜିଏସଟି ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ଜିଏସଟି ଠିକ ସମୟରେ ପ୍ରଦାନ କରାଯିବା ଉଚିତ । ସୋନିଆ ଗାନ୍ଧୀ କହିଛନ୍ତି ଯେ ଜିଏସଟି ଟଙ୍କା ଏକ ବଡ ପ୍ରସଙ୍ଗ ଏବଂ ଦେୟ ନଦେବା କାରଣରୁ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ପ୍ରଭାବିତ ହେଉଛି। ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାକୁ ମନା କରିବା ମୋଦି ସରକାରଙ୍କ ବିଶ୍ବାସଘାତକତା । NEET-JEE ପରୀକ୍ଷା ଉପରେ ସୋନିଆ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସମସ୍ୟା ଏବଂ ପରୀକ୍ଷା ପ୍ରସଙ୍ଗକୁ କେନ୍ଦ୍ର ସରକାର ସମାଧାନ କରିବା ଉଚିତ ।
ମମତା ବାନାର୍ଜୀ ଉଠାଇଲେ ପରୀକ୍ଷା ପ୍ରସଙ୍ଗ
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ NEET-JEE ପରୀକ୍ଷା ପ୍ରସଙ୍ଗ ଉଠାଇ ସୋନିଆ ଗାନ୍ଧୀଙ୍କୁ ଏହି ବୈଠକ ଡାକିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ପରୀକ୍ଷା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନେକ ଚିଠି ଲେଖିଛି ଏବଂ କହିଛି ଯେ ଏପରି ପରିସ୍ଥିତିରେ ଯେତେବେଳେ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି, ସେତେବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିପାରିବେ ଏବଂ ସମୀକ୍ଷା ପାଇଁ କହିପାରିବେ।
ବାନାର୍ଜୀ କହିଛନ୍ତି ଯେ ଆମେ ଛାତ୍ରମାନଙ୍କ ସହିତ ଛିଡା ହେବା ଉଚିତ। ଯଦି କେନ୍ଦ୍ର କିଛି କରୁନାହିଁ, ତେବେ ଆମେ ମଧ୍ୟ ଲୋକଙ୍କର ନିର୍ବାଚିତ ପ୍ରତିନିଧୀ, ଆମେ କୋର୍ଟକୁ ଯିବା ଉଚିତ। ସମସ୍ତ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ଯାଇ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି ମମତା ।
ଜିଏସଟି ପ୍ରସଙ୍ଗରେ ମଧ୍ୟ ମମତା ବାନାର୍ଜୀ ତାଙ୍କ ମତ ଦେଇଛନ୍ତି। ସେ କହିଛନ୍ତି ଯେ କୋରୋନା ସଙ୍କଟ ମଧ୍ୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ନେଉଛନ୍ତି, ମାଗଣା ଚିକିତ୍ସା ସେବା ଦିଆଯାଉଛି, କିନ୍ତୁ ଆମେ କେନ୍ଦ୍ର ସରକାରଙ୍କଠାରୁ କୌଣସି ସହାୟତା ପାଇନଥିବା ଅଭିଯୋଗ କରିଛନ୍ତି ।
ହେମନ୍ତ ସୋରେନଙ୍କ ପ୍ରତିକ୍ରିୟା
ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି ଯେ ବିରୋଧୀଦଳ ଦୁର୍ବଳ ହେବା ଭଳି ମନେ ହେଉଛି । ଯେଭଳି ମିଳିତ ଭାବରେ କାର୍ଯ୍ୟ କରିବା ଉଚିତ, ତାହା ହେଉନାହିଁ । ଜିଏସଟି ପ୍ରତି କେନ୍ଦ୍ରର 2ଟି ମନୋଭାବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ତାଙ୍କ ଦଳ ଦ୍ବାରା ପରିଚାଳିତ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରୁଛନ୍ତି, କିନ୍ତୁ ଅବଶିଷ୍ଟ ରାଜ୍ୟଗୁଡିକ ଏଥିରୁ ବଞ୍ଚିତ ହେଉଛନ୍ତି। ପରୀକ୍ଷାକୁ ନେଇ ସୋରେନ ପ୍ରଥମେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତିଙ୍କୁ ସୁପ୍ରିମକୋର୍ଟରେ ଆବେଦନ କରିବା ଉଚିତ ।
ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା
ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୋରୋନା କାରଣରୁ ସୃଷ୍ଟି ଆର୍ଥିକ ଚ୍ୟାଲେଞ୍ଜ ବିଷୟରେ ଉଠାଇଛନ୍ତି ଏବଂ କେନ୍ଦ୍ରରୁ ଜିଏସଟି ଅଂଶ ଗ୍ରହଣ ନକରିବା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ସମସ୍ତ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଜିଏସଟି ଦେୟ ପ୍ରସଙ୍ଗ ଉଠାଇବା ଉଚିତ।
ପରୀକ୍ଷାକୁ ନେଇ କ୍ୟାପଟେନ ଅମରିନ୍ଦର ସିଂ ମମତା ବାନାର୍ଜୀଙ୍କ ମତକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଆମେ ସମସ୍ତେ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗ ଉଠାଇବା ଉଚିତ ।