ନୂଆଦିଲ୍ଲୀ: ଜନ୍ମଦିନ ପାଳିବେ ନାହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଡିସେମ୍ବର 9ରେ ସୋନିଆଙ୍କ ଜନ୍ମଦିନ ଥିବାବେଳେ ସେ ଆସନ୍ତାକାଲି(ବୁଧବାର) ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଜଣାପଡିଛି । କୃଷକ ଆନ୍ଦୋଳନ ଏବଂ ମହାମାରୀ କୋରୋନାକୁ ଦେଖି ସେ ଏଭଳି ନିଷ୍ପତି ନେଇଛନ୍ତି ।
ମିଳିଥିବା ବିଶେଷ ସୂତ୍ର ଅନୁସାରେ, କଂଗ୍ରେସ ମହାସଚିବ ସଙ୍ଗଠନ ପକ୍ଷରୁ ରାଜ୍ୟର ସମସ୍ତ ପ୍ରଭାରୀ ଏବଂ ପିସିସି ସଭାପତିଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ସାରା ଦେଶରେ କୋଭିଡ ମହାମାରୀ ଯୋଗୁଁ ଆସିଥିବା ସଙ୍କଟକୁ ଦେଖି ଏହାସହ ଦେଶରେ ଚାଲିଥିବା 'କୃଷି ବିଲ' ବିରୋଧରେ କୃଷକଙ୍କ ଆନ୍ଦୋଳନ ଯୋଗୁଁ ସୋନିଆ ନିଜ ଜନ୍ମଦିନ ପାଳନ ନ କରିବାକୁ ନିଷ୍ପତି ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ସାରା ଭାରତବର୍ଷରେ କୃଷକମାନେ ଆନ୍ଦୋଳନ କରିଛନ୍ତି । ଯେଉଁଥିପାଇଁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସମସ୍ତ ରାଜ୍ୟର ପ୍ରମୁଖଙ୍କୁ ଚିଠି ଲେଖି ସୋନିଆଙ୍କ ଜନ୍ମଦିନରେ କେକ କାଟିବା ସହ ସବୁ ପ୍ରକାର ସମାରୋହ ଉତ୍ସବ ନକରିବାକୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ