ନୂଆଦିଲ୍ଲୀ: ପୁଣିଥରେ ନିଜ ଉଦାରତାର ପରିଚୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ ଜଣେ ଅସୁସ୍ଥ ମହିଳାଙ୍କୁ ସାହାଯ୍ୟ କରି ଆମେଠି ଲୋକଙ୍କ ମନ ଜିଣିଛନ୍ତି । ଶନିବାର ଆମେଠି ଯାଉଥିବା ବେଳେ ତାଙ୍କ ନଜର ପଡିଥିଲା ରାସ୍ତା ଉପରେ ପଡିଥିବା ଜଣେ ଅସୁସ୍ଥ ମହିଳାଙ୍କ ଉପରେ । ଏହାପରେ ସେ ତୁରନ୍ତ ଗାଡି ରଖିବା ସହ ମହିଳା ଜଣଙ୍କୁ ସାହାଯ୍ୟ କରିଥିଲେ । ନିଜ କନ୍ଭୟରେ ଥିବା ଆମ୍ବୁଲାନ୍ସରେ ମହିଳାଙ୍କୁ ଡାକ୍ତରଖାନା ପଠାଇଥିଲେ ସ୍ମୃତି ।
ତେବେ ଅସୁସ୍ଥ ମହିଳାଙ୍କୁ ଉଚିତ୍ ଚିକିତ୍ସା ଯୋଗାଇବାକୁ ତାଙ୍କ ପରିବାରକୁ ନିର୍ଦ୍ଦେଶ ଦେବା ପରେ ହିଁ ଆଗକୁ ବଢିଥିଲେ ସେ । ଯାହା ସମସ୍ତଙ୍କ ମନଙ୍କୁ ଛୁଇଁ ଯାଇଥିଲା । ସେପଟେ ସ୍ମୃତିଙ୍କ ଆମେଠି ଗସ୍ତରେ ଆଉ ଏକ ଘଟଣା ଦେଖିବାକୁ ମିଳିଛି । ସେଠାରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ଜଣେ ମହିଳା ତାଙ୍କ ଗୋଡ ଧରି ତାଙ୍କୁ ସାହାଯ୍ୟ ମାଗିଥିଲା । ମହିଳା ଜଣକ ସ୍ମୃତିଙ୍କୁ ନିଜ ଦୁଃଖ ଶୁଣାଇ କିଛି ସମ୍ପର୍କୀୟ ତାଙ୍କ ଜମି ହଡପ କରିନେଇଥିବା କହିଥିଲେ । ତେବେ ସ୍ମୃତି ମଧ୍ୟ ନିଜ ମାନବିକତା ଦେଖାଇ ତାଙ୍କୁ ସହାୟତାର ହାତ ବଢାଇଥିଲେ । ସେ ତାଙ୍କୁ ସାହାଯ୍ୟ କରିବେ ବୋଲି ଆଶ୍ବାସନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ସ୍ମୃତି ଇରାନୀ ଶନିବାର ଆମେଠି ଗସ୍ତରେ ଯାଇଥିଲେ । କିଛିଦିନ ପୂର୍ବରୁ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ବରୌଲିର ଗ୍ରାମର ମୁଖିଆ ସୁରେନ୍ଦ୍ର ସିଂହଙ୍କ ପରିବାର ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । ସ୍ମୃତିଙ୍କ ସହ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ ଥିଲେ ।