ଶ୍ରୀନଗର: 20 ବର୍ଷ ତଳେ ସେନା ଲଢିଥିଲା ଆରପାର ଲଢେଇ । ଧୁଳିଚାଟିଥିଲା ପଡୋଶୀ ପାକିସ୍ତାନ । ଭୋଗିଥିଲା ଭାରତ ଉପରେ ଆଖି ଉଠାଇ ଦେଖିବାର ଭୟାନକ ପରିଣାମ । କାରଗିଲ ଯୁଦ୍ଧରେ ଦୁନିଆ ଦେଖିଥିଲା ଭାରତର ଶକ୍ତି । ତେବେ ବୀର ଯବାନଙ୍କ ବିରତ୍ବର ଗାଥା ବଖାଣୁଥିବା ବିଜୟ ଦିବସ ଅବ୍ୟବହିତ ପୂର୍ବରୁ ମନେପଡନ୍ତି କାରଗିଲ ଯୁଦ୍ଧର ‘ମହାନାୟକ’ । ଯୁଦ୍ଧ ଲଢିନଥିଲେ ସିନା, ଭାରତ ବିଜୟର ମହାନାୟକ ସେ । ପାକିସ୍ତାନର ଦୁଃସାହସ ନେଇ ପ୍ରଥମେ ସେନାକୁ କରିଥିଲେ ସତର୍କ । ଦେଇଥିଲେ ଶତୃର ଅନୁପ୍ରବେଶ ନେଇ ସୂଚନା । ବିଜୟ ଦିବସ ସ୍ବତନ୍ତ୍ରରେ ଜାଣନ୍ତୁ କିଏ ଏହି ମହାନାୟକ...
ଅନୁପ୍ରବେଶକାରୀ ରୂପ ଧାରଣ କରି ଏଲଓସି ଅତିକ୍ରମ କରିଥିଲା ପାକିସ୍ତାନ ସେନା । ଏହାର ତିଳେ ହେଲେ ସୁରାକ ପାଇନଥିଲେ ଭାରତୀୟ ଯବାନ । କାରଗିଲ ପାହାଡର ସର୍ବୋଚ୍ଚ ଶୃଙ୍ଗରେ ଭିନ୍ନ ପୋଷାକ ଧାରଣ କରି ଭିନ୍ନ ଅନ୍ଦାଜରେ ଲୁଚି ରହିଥିଲା ପାକ ସେନା । ସେହି ସମୟରେ ଉଭୟ ଦେଶ ମଧ୍ୟରେ ସବୁ କିଛି ସମାଧାନ ହୋଇ ଆସୁଥିଲା । କିନ୍ତୁ ପ୍ରକୃତି ବଦଳାଇ ନଥିଲା ପାକିସ୍ତାନ । ପଛରୁ ଛୁରା ମାରିବା ଭଳି ଦେଖାଇଦେଲା ତାର ଅସଲ ରୂପ । ଭାରତ ପିଠିରେ ପାକିସ୍ତାନ ଯେ ଏପରି ଛୁରା ମାରିବ ତାହାର ଆଭାସ ପାଇନଥିଲା ସେନା । କିନ୍ତୁ ସମୟ ପୂର୍ବରୁ ସେନାକୁ ଏହାର ଖବର ମିଳିଥିଲା । ଆଉ ଏହି ଖବର ଦେଇଥିଲେ ଯୁଦ୍ଧର ‘ମହାନାୟକ’ ତଥା ଜଣେ ସାହସୀ ମେଷପାଳକ ତୀଶୀ ନାମଗ୍ୟାଲ।
କାରଗିଲ ବିଜୟ ଦିବସ ଅବସରରେ ଶହୀଦଙ୍କୁ ମନେ ପକାଉଛି ସାରା ଦେଶ । କାରଗିଲ ବିଜୟ ଦିବସକୁ ପୁରିଛି 20 ବର୍ଷ । 1999 ମସିହାରେ ଭାରତୀୟ ସେନା ଅସୀମ ବୀରତ୍ବ ପ୍ରଦର୍ଶନ କରି କାରଗିଲରେ ଅନୁପ୍ରବେଶ କରିଥିବା ପାକିସ୍ତାନୀ ସେନାଙ୍କୁ ଘଉଡାଇ ଦେଇଥିଲେ । ସେହି ସମୟରେ ଭାରତୀୟ ସେନାଙ୍କ ଯାତ୍ରା କିପରି ଥିଲା ତାହା ଏକ ବହୁତ ବଡ ଅଧ୍ୟାୟ । ପାକସେନା ଗୋପନୀୟ ଢଙ୍ଗରେ କାରଗିଲରେ ପ୍ରବେଶ କରୁଥିଲେ । ଏସମ୍ପର୍କରେ କାହାକୁ ଜଣାନଥିଲା । କିନ୍ତୁ ଏହି ଘଟଣା ଭାରତୀୟ ସେନାଙ୍କ ନଜରକୁ ଆଣିଥିଲେ ଜଣେ ମେଷପାଳକ ତାଶି ନାମଗ୍ୟାଲ ।
1999 ମସିହା କଥା । ଲଦାଖ ଜିଲ୍ଲାର କାରଗିଲଠାରୁ ୬୦ କିଲୋକମିଟର ଦୂର ଏକ ଛୋଟ ଗାଁ ଘରକୋନ୍ରେ ବସବାସ କରନ୍ତି ତୀଶୀ ନାମଗ୍ୟାଲ । ଦିନେ ତାଶୀଙ୍କ ନୂତନ ଚମରୀଗାଈ ହଜିଗଲା । ସେ ସେହି ଗାଈ ଅନୁସନ୍ଧାନରେ ବାହାରି ପଡିଲେ । ଖୋଜି ଖୋଜି କାରଗିଲ ବାଲଟିକ ସେକ୍ଟରରେ ପହଞ୍ଚିଲେ । କାରଗିଲର ସର୍ବୋଚ୍ଚ ଶୃଙ୍ଗର କଡେ କଡେ ବୁଲୁଥିଲା ତାଶୀଙ୍କ ଚମରୀଗାଈ । ସେ ନିଜ ଗାଈକୁ ପାଇଲେ ସତ କିନ୍ତୁ ସେ ସେଠାରେ ସେ ଅନ୍ୟ ଏକ ଦୃଶ୍ୟ ଦେଖିଲେ । ଯାହାକୁ କାରଗିଲର ପ୍ରଥମ ଘଟଣା ବୋଲି କୁହାଯାଉଛି । ସେ ସେଠାରେ ଏକ ଗୋଷ୍ଠୀକୁ ଦେଖିଲେ । ସେମାନେ କାଶ୍ମୀର ପୋଷାକ ପିନ୍ଧି ଭିନ୍ନ ଅନ୍ଦାଜରେ ଲୁଚି ରହିଥିଲେ ଏବଂ ତାଙ୍କ ପାଖରେ ଥିଲା ଅସ୍ତ୍ରଶସ୍ତ୍ର । ଏ ଦୃଶ୍ୟ ଦେଖି ପ୍ରଥମେ ସେ ଚିନ୍ତାରେ ପଡିଗଲେ ।
55 ବର୍ଷିୟ ତାଶୀ ଏ ଘଟଣାକୁ ମନେ ପକାଇ କୁହନ୍ତି, ‘ଯଦି ସେ ମୋ ନୂଆ ଚମରୀଗାଈ ହୋଇନଥାନ୍ତା, ତେବେ ମୁଁ କେବେବି ତାକୁ ଖୋଜିବାକୁ ଯାଇନଥାନ୍ତି । ଆଉ ତାକୁ ଖୋଜିବାକୁ ଯାଇ ପାକିସ୍ତାନୀ ସେନା ଭିନ୍ନ ପୋଷାକରେ ଥାଇ କିଛି ଗୋଟେ ଖୋଳାଖୋଳି କରୁଥିବା ଦେଖିବାକୁ ପାଇଲି । ସେଠାରେ ଗୁଡାଏ ଲୋକଙ୍କ ହାତରେ ଅସ୍ତ୍ର ଥିଲା । ସେମାନଙ୍କୁ ଦେଖିଲେ ମନେ ହେଉଥିଲା ସେମାନେ ଭାରତୀୟ ନୁହଁନ୍ତି । ମୁଁ ଏହି ଦୃଶ୍ୟକୁ ଦେଖି ସଙ୍ଗେସଙ୍ଗେ ଭାରତୀୟ ଯବାନଙ୍କୁ ସୂଚନା ଦେଇଥିଲି ।’
ଭାରତୀୟ ସେନା ମେଷପାଳକର ଏହି ସୂଚନାକୁ ଗୁରୁତ୍ବର ସହ ନେଇ ସଜାଗ ହୋଇଯାଇଥିଲେ । ବୋଧହୁଏ ସେତେବେଳେ ମେଷପାଳକର କଥା ମାନି ଭାରତୀୟ ସେନା ଆଲର୍ଟ ହୋଇ ନିଜକୁ ପ୍ରସ୍ତୁତ କରିଥିଲା । ଯଦି ଏନେଇ ମେଷପାଳକ ତୁରନ୍ତ ସେନାକୁ ସୂଚନା ଦେଇନଥାନ୍ତା, ସେତେବେଳକୁ ବୋଧହୁଏ ବହୁତ ଡେରି ହୋଇସାରିଥାନ୍ତା । ସେହି ଦିନଠାରୁ ଆରମ୍ଭ ହେଲା କାରଗିଲ ଯୁଦ୍ଧ । ଆଉ ତାହା ଜୁଲାଇ 26 1999 ମସିହାରେ ଶେଷ ହେଲା । ଶେଷରେ ଆମ ଭାରତୀୟ ସେନାର ବିଜୟ ହେଲା । ଏଥିରେ 527ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଆଉ ଆସନ୍ତାକାଲି ସାରା ଦେଶ 20ତମ କାର୍ଗିଲ ଦିବସ ପାଳିବା ସହ ବୀର ଶହୀଦ ଯବାନଙ୍କୁ ଦେବ ଶ୍ରଦ୍ଧାଞ୍ଜଳୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ