ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ସାମିଲ ହୋଇଥିଲେ ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା । ସେହିପରି ବିଗତ ଦିନରେ ତାଙ୍କ ପତ୍ନୀ ପୁନମ ସିହ୍ନା ମଧ୍ୟ ଧରିଥିଲେ ସମାଜବାଦୀ ପାର୍ଟି(ଏସପି)ର ହାତ । ସେ ଲକ୍ଷ୍ନୌ ଲୋକସଭା ଆସନରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଟକ୍କର ଦେବେ । ତେଣୁ ଆଜି ନାମାଙ୍କନ ଦାଖଲ ମଧ୍ୟ କରିଛନ୍ତି ସେ ।
ଏହି ନାମାଙ୍କନ ବେଳେ ପୁନମଙ୍କ ସହ ତାଙ୍କ ସ୍ବାମୀ ଶତ୍ରୁଘ୍ନ ସିହ୍ନା ଓ ଏସପି ପ୍ରମୁଖ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଉପସ୍ଥିତ ଥିଲେ । ଯାହାକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କାରଣ କଂଗ୍ରେସ ଲକ୍ଷ୍ନୌ ଆସନରୁ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କୁ ନିଜ ପ୍ରାର୍ଥୀ କରିଛି ।
ଅନ୍ୟପକ୍ଷେ ଶତ୍ରୁଘ୍ନ ନିଜ ଦଳ ପରିବର୍ତ୍ତେ ନିଜ ପତ୍ନୀ ତଥା ଏସପି ପ୍ରାର୍ଥୀଙ୍କ ପ୍ରଚାର କରିବାରୁ ପ୍ରମୋଦ କୃଷ୍ଣମ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଶତ୍ରୁ ନିଜ ପତ୍ନୀଙ୍କ ପ୍ରଚାର କରିବାକୁ ଆସିଛନ୍ତି । କିନ୍ତୁ ସେ ପାର୍ଟି ଧର୍ମ ନିର୍ବାହ କରନ୍ତୁ ବୋଲି ଆଚାର୍ଯ୍ୟ କହିଛନ୍ତି ।