ନୂଆଦିଲ୍ଲୀ: ଆସନ୍ତା 17ରେ ପଡୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଏନେଇ ନେଇ ବିଜେପି ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ସେବା ସପ୍ତାହ । ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ଆଗକୁ ନେବା ସହ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଏହି ଅଭିଯାନର ଲକ୍ଷ୍ୟ ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାରା ଜୀବନ ଦେଶ ଓ ଗରିବଙ୍କ ସେବାରେ ବିତାଇବା ପାଇଁ ଚାହାଁନ୍ତି । ତେଣୁ ତାଙ୍କ ଜନ୍ମଦିନ ଉଦ୍ଦେଶ୍ୟରେ ଆମେ ସେବା ସପ୍ତାହ ପାଳନ କରୁଛୁ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
ଏନେଇ ଗୃହମନ୍ତ୍ରୀଙ୍କ ସମେତ, ବିଜେପିର ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଓ ରାଜ୍ୟସଭା ସାଂସଦ ବିଜୟ ଗୋଏଲଙ୍କ ସମେତ ଦଳ ଅନେକ ବରିଷ୍ଠ ନେତା ମନ୍ତ୍ରୀ ଏମ୍ସରେ ପହଞ୍ଚିଛନ୍ତି। ସେବା ଓ ସ୍ବଚ୍ଛତାକୁ ଆଖିରେ ରଖି ହାତରେ ଝାଡୁ ଧରି ହସ୍ପିଟାଲ ପରିସରକୁ ସଫା କରିଛନ୍ତି ।
ହସ୍ପିଟାଲରେ ଚିକିତ୍ସା ହେଉଥିବା କୁନିକୁନି ପିଲାଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଶାହା ଏବଂ ଜେପି ନଡ୍ଡା । ସେମାନଙ୍କୁ ବିଭିନ୍ନ ଉପହାର ଦେଇ ଏହି ଅଭିଯାନରେ ସାମିଲ କରାଯାଇଛି।