ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଙ୍ଗଠନ (ଏସସିଓ)ର ଶିଖର ସମ୍ମିଳନୀ ଭଳି ଆନ୍ତର୍ଜାତିକ ମଞ୍ଚରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବାତ୍ୟା ମୁକାବିଲା ଏବଂ କ୍ଷୟକ୍ଷତି ନିୟନ୍ତ୍ରଣରେ ଓଡିଶା ସରକାରଙ୍କ ତ୍ବରିତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧରେ ସମ୍ବୋଧନ କରିବା ସମୟରେ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ମଞ୍ଚରେ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି।
ଭୂକମ୍ପରୁ ବର୍ତ୍ତିବା ସହ ଏହାର ମୁକାବିଲା କରିବା ସମ୍ପର୍କରେ ଏସସିଓ ମଞ୍ଚରେ ଗୃହମନ୍ତ୍ରୀ ଅଭିଭାଷଣ ରଖିଥିଲେ। ସୋମବାର ଏହି ସମ୍ମିଳନୀରେ ଭାରତ ଶୁବଶୀଘ୍ର ଏକ ରାଷ୍ଟ୍ରୀୟ ଯୋଜନା ଆଣିବାକୁ ଯାଉଛି । ଯାହା ଦ୍ବାରା ପ୍ରାକୃତିକ ବିପର୍ଯ୍ୟୟ କ୍ଷତିଗ୍ରସ୍ତଙ୍କୁ ଏହାର ମୁକାବିଲା କରିବା ଦିଗରେ କାମ କରିବ । ଏହାସହ ସ୍ଥାୟୀ ବିକାଶ ଓ ଜଳବାୟୁ ସମ୍ବନ୍ଧୀୟ ବୁଝାମଣାରେ ଏହି ଯୋଜନା କାର୍ଯ୍ୟ କରିବ। ଏହାସହ ଦେଶରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ସ୍କିମରେ ସଂଶୋଧନ କରାଯାଇଥିବା କଥା କହିଛନ୍ତି।
ଏହାସହ ଅମିତ ଶାହ ଏହି ମଞ୍ଚରେ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ସଫଳତାର ସହ ମୁକାବିଲା କରିଥିବା ଓଡିଶାର ଉଦାହରଣ ବିଶ୍ବ ସମୂହଙ୍କ ଆଗରେ ଉପସ୍ଥାପନ କରିଥିଲେ। ଭାରତ, ପ୍ରାକୃତିକ ବିପର୍ଯ୍ୟୟରେ ଜୀବନହାନୀକୁ କମ୍ କରିବା ପାଇଁ ସମସ୍ତ ପ୍ରୟାସ କରୁଛନ୍ତି ବୋଲି ସେ କହିଛନ୍ତି। ଫାଇଲିନ, ହୁଡହୁଡ, ଫୋନିରେ ଓଡିଶାର ଉଦାହରଣ ରଖିଥିଲେ ଗୃହମନ୍ତ୍ରୀ। କିଭଳି ଭାବରେ ସଫଳତା ପୂର୍ବକ ବାତ୍ୟା ମୁକାବିଲା କରାଯାଇଥିଲା ସେ କଥା କହିଛନ୍ତି।
ଓଡିଶାରେ ଫନି ବାତ୍ୟା ସମୟରେ ମାତ୍ର 64 ଜଣଙ୍କ ପ୍ରାଣହାନି ହୋଇଥିଲା। ବାତ୍ୟାକୁ କିଭଳି ପ୍ରଭାବୀ ଢଙ୍ଗରେ ପରିଚାଳନା କରାଯାଇଥିଲା ତାହାର ଏକ ଉଦାହରଣ । ଯେଉଁଠି ଆଜକୁ 20 ବର୍ଷ ତଳେ ରାଜ୍ୟରେ ମହାବାତ୍ୟାରେ 10ହଜାର ଲୋକଙ୍କ ଜୀବନହାନୀ ହୋଇଥିଲା, ଏବେ ଓଡିଶା ଅନ୍ୟ ରାଜ୍ୟ ପାଇଁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା କଥା ସେ ଏହି ଆନ୍ତର୍ଜାତିକ ମଞ୍ଚରେ କହିଛନ୍ତି।