ନୂଆଦିଲ୍ଲୀ: ଶିଶୁମାନଙ୍କ ବିରୋଧରେ ଆସୁଥିବା ଯୌନ ଅପରାଧ ସଂପର୍କୀତ ମାମଲାର ଶୀଘ୍ର ଶୁଣାଣି ଲାଗି ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରି ପୋକ୍ସୋ ମାମଲା ଶୁଣାଣିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଶହେରୁ ଅଧିକ ପୋକ୍ସୋ ମାମଲା ରହିଥିବା ଜିଲ୍ଲା ଗୁଡିକରେ 60 ଦିନ ମଧ୍ୟରେ କେନ୍ଦ୍ର ଦ୍ବାରା ପରିଚାଳିତ ସ୍ବତନ୍ତ୍ର କୋର୍ଟ ଖୋଲିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟବିଚାରପତିଙ୍କ ସହ ବିଚାରପତି ଅନିରୁଦ୍ଧ ବୋଷ ଓ ଦୀପକ ଗୁପ୍ତା ଏହି ଖଣ୍ଡପୀଠରେ ରହିଥିଲେ ।
କେନ୍ଦ୍ର ଏଥିପାଇଁ ଦକ୍ଷ ଓ ଅଭିଜ୍ଞ ବିଚାରପତିମାନଙ୍କୁ ନିଯୁକ୍ତ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କେନ୍ଦ୍ର 30 ଦିନ ମଧ୍ୟରେ ଏହାର ସ୍ଥିତି ସଂପର୍କରେ ଅବଗତ କରାଇବେ । ଏହା ପାଇଁ ଆବଶ୍ୟକୀୟ ଅର୍ଥ ଅନ୍ୟାନ୍ୟ ସହାୟତା ମଧ୍ୟ ଯୋଗାଇଦେବେ ।