ନୂଆଦିଲ୍ଲୀ: ଓଡ଼ିଶା ସମେତ ୫ ରାଜ୍ୟ ଉପରେ ସୋମବାର ଅତିରିକ୍ତ ୧୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସୁପ୍ରିମକୋର୍ଟ । ଖାଦ୍ୟ ସୁରକ୍ଷା ଏବଂ ସାମୂହିକ ରୋଷେଇ ଶାଳ ନିର୍ମାଣ ନେଇ ସତ୍ୟପାଠ ଦାଖଲରେ ଅବହେଳା କରିଥିବା ଦର୍ଶାଇ ରାଜ୍ୟଗୁଡିକ ଉପରେ ଏହି ଜୋରିମାନା ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ ।
ସୂଚନା ମୁତାବକ, ରାଜ୍ୟଗୁଡିକରେ ଖାଦ୍ୟ ସୁରକ୍ଷା ଏବଂ ସାମୂହିକ ରୋଷେଇ ଶାଳ ନିର୍ମାଣ ପାଇଁ ଉଠାଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ ଗତ ସପ୍ତାହରେ ନୋଟିସ ଜାରି କରିଥିଲେ । ଏହା ସହିତ ସେମାନଙ୍କୁ ୫ ଲକ୍ଷ ଟଙ୍କା ଜୋରିମାନା ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ଓଡ଼ିଶା, ଦିଲ୍ଲୀ, ମହାରାଷ୍ଟ୍ର, ମଣିପୁର ଏବଂ ଗୋଆ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଥିଲେ । ତେଣୁ ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ତେବେ କେବଳ 7 ରାଜ୍ୟ ଯଥା, ଆଣ୍ଡାମାନ-ନିକୋବର, କର୍ନାଟକ, ପଞ୍ଜାବ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ, ନାଗାଲାଣ୍ଡ ଏବଂ ଜମ୍ମୁ-କଶ୍ମୀର ସତ୍ୟପାଠ ଦାଖଲ କରିଥିଲେ । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୮ରେ ହେବ ।