ନୂଆଦିଲ୍ଲୀ: ଗୋଆର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ସତ୍ୟପାଲ ମଲ୍ଲିକ । ଉଭୟଙ୍କର ଏହି ସାକ୍ଷାତକାର ପ୍ରଧାନମନ୍ତ୍ରୀଙ୍କ ବାସ ଭବନରେ ହୋଇଛି । ସତ୍ୟପାଲ ମଲ୍ଲିକ ଏବେ ଗୋଆ ରାଜ୍ୟପାଳ ଆର କେ ମାଥୁରଙ୍କ ସ୍ଥାନ ନେବେ ।
ମୋଦି ଏବଂ ସତ୍ୟପାଲ ମଲ୍ଲିକଙ୍କ ସାକ୍ଷାତକାରର ଏକ ଫଟୋ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ କରାଯାଇଛି । ମଲ୍ଲିକଙ୍କୁ ଗତ ବର୍ଷ ଅଗଷ୍ଟ ମାସରେ ଜମ୍ମୁ-କାଶ୍ମୀର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ଜମ୍ମୁ-କଶ୍ମୀର ପୂର୍ବରୁ ସେ ବିହାର ଓ ୨୦୧୮ ରେ କିଛି ମାସ ପାଇଁ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ବ୍ୟତିତ ସତ୍ୟପାଲ ମଲିକ ୧୯୮୦-୮୬ ଏବଂ ୧୯୮୬-୯୨ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ରାଜ୍ୟସଭା ସଦସ୍ୟ ରହିଥିଲେ। ସେ ୧୯୭୪ ରୁ ୧୯୭୭ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶ ବିଧାନସଭାର ସଦସ୍ୟ ମଧ୍ୟ ରହିଛନ୍ତି।