ଶ୍ରୀନଗର: ଭାରତୀୟ ନ୍ୟୁଜ ଚ୍ୟାନେଲ ଦେଖିବାକୁ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କାଶ୍ମୀର ସ୍ଥିତିକୁ ନେଇ ସୀମାପାରରୁ ଆସୁଥିବା ଗୁଜବ ଖବର ଉପରେ ପ୍ରତିକ୍ରିୟା ଦେଉଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଯଦି ତାଙ୍କୁ କାଶ୍ମୀରର ସଠିକ ସ୍ଥିତି ଜାଣିବାର ଅଛି ତାହେଲେ ସେ ଭାରତୀୟ ନ୍ୟୁଜ ଚ୍ୟାନେଲ ଦେଖନ୍ତୁ ବୋଲି ମଲ୍ଲିକ କହିଛନ୍ତି ।
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ପ୍ରକାର ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଜମ୍ମୁ-କାଶ୍ମୀର ରାଜଭବନରୁ ଏକ ବୟାନ ଜାରି କରାଯାଇଛି । ରାଜ୍ୟପାଳଙ୍କ ଅଫିସରୁ ଜାରି ବୟାନରେ କୁହାଯାଇଛି, ରାହୁଲ ଗାନ୍ଧୀ ମିଥ୍ୟା ଖବରକୁ ନେଇ ପ୍ରତିକ୍ରିୟା ଦେଉଛନ୍ତି । ଯାହା ସମ୍ଭବତଃ ସୀମା ପାରିରୁ ପ୍ରଚାର କରାଯାଉଛି । ସେ ବିଭିନ୍ନ ଭାରତୀୟ ନ୍ୟୁଜ ଚ୍ୟାନେଲ ଦେଖନ୍ତୁ । ଯେଉଁମାନେ ଘାଟି ସମ୍ବନ୍ଧରେ ସଠିକ୍ ଖବର ଦେଉଛନ୍ତି ।
ଏହା ସହିତ ମାମଲାକୁ ନେଇ ରାହୁଲ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ମଲ୍ଲିକ । ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତାମାନଙ୍କ ଏକ ପ୍ରତିନିଧିମଣ୍ଡଳୀଙ୍କ ସହ ଘାଟିକୁ ଆସିବା ପାଇଁ ଅନେକ ସର୍ତ୍ତ ରଖିଛନ୍ତି । ସେଥିମଧ୍ୟରେ ଗୃହବନ୍ଦୀ ଥିବା ନେତାଙ୍କ ସହ ସାକ୍ଷାତକାର ମଧ୍ୟ ସାମିଲ ଅଛି । ଏହା ଦ୍ବାରା ସାଧାରଣ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହେବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ଶନିବାର ଦିନ ଘାଟିର ସ୍ଥିତିକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ରାଜ୍ୟପାଳ ରାହୁଲଙ୍କୁ ଜମ୍ମୁ-କାଶ୍ମୀର ଆସି ସ୍ଥିତି ପରଖିବାକୁ କହିଥିଲେ। ଏଥିପାଇଁ ସେ ତାଙ୍କୁ ଏକ ସ୍ବତନ୍ତ୍ର ବିମାନ ମଧ୍ୟ ପଠାଇବେ ବୋଲି କହିଥିଲେ। ଏହାପରେ ରାହୁଲ ତାଙ୍କୁ କାଶ୍ମୀରରେ ସ୍ବାଧୀନତାର ସହ ବୁଲିବାକୁ ଅନୁମତି ମାଗିଥିଲେ ।