ଥିରୁଅନନ୍ତପୁରମ: ଚଳିତ ମାସ ଜୁନ 14ରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବନି କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର । କେରଳ ପର୍ଯ୍ୟଟନ ଏବଂ ଦେବସ୍ବମ ମନ୍ତ୍ରୀ କଡକମପଲ୍ଲୀ ସୁରେନ୍ଦ୍ରନ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜୁନ 19ରୁ ସାବରୀମାଳା ମନ୍ଦିରରେ ଆରମ୍ଭ ହେବାକୁ ଥିବା ସମସ୍ତ ପର୍ବକୁ ମଧ୍ୟ ସ୍ଥଗିତ ରଖାଯାଇଛି । ମନ୍ଦିର ଟ୍ରଷ୍ଟର ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରକାଶ ଥାଉ କି, ବୁଧବାର ଦିନ ଦେବସ୍ବମ ବୋର୍ଡର ଅଧ୍ୟକ୍ଷ ଏନ ବାସୁ ମାସିକ ପୂଜା ପାଇଁ ଜୁନ 14 ସନ୍ଧ୍ୟାରେ ମନ୍ଦିର ଖୋଲିବା ନେଇ ସୂଚନା ଦେଇଥିଲେ । ହେଲେ କୋରୋନା ସଂକ୍ରମଣ ବଢୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା କୋରୋନା ଲକଡାଉନରେ ମନ୍ଦିର ବନ୍ଦ କରାଯାଇଥିଲା ।
ଏହା ପୂର୍ବରୁ କେରଳ ସରକାରଙ୍କ ମନ୍ଦିର ଖୋଲିବା ନିଷ୍ପତ୍ତିକୁ ନେଇ ସମାଲୋଚନା କରିଥିଲା ବିଜେପି । ରାଜ୍ୟର ସମସ୍ତ ଚର୍ଚ୍ଚ ଏବଂ ମସଜିଦ ବନ୍ଦ ଥିବାବେଳେ ସରକାର କାହିଁକି ସାବରୀମାଳା ମନ୍ଦିର ଖୋଲିବାକୁ ଉତ୍ସୁକ ବୋଲି ବିଜେପିର ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ପ୍ରଶ୍ନ କରିଥିଲେ ।
କେନ୍ଦ୍ର ସରକାର ଜୁନ 8ରୁ ସମସ୍ତ ଧାର୍ମିକସ୍ଥଳ, ମଲ ଆଦି ଖୋଲିବାକୁ ଅନୁମତି ଦେଇଥିଲେ । ହେଲେ ଏହାର ଶେଷ ନିଷ୍ପତ୍ତି ନେବା ଅଧିକାର ଦେଶର ରାଜ୍ୟ ସରକାରଙ୍କ ଉପରକୁ ଛାଡିଥିଲେ ।